ଡିଏଚ୍ଏଚରେ ଆରମ୍ଭ ହେଲା ମାଗଣା ଡାଇଲିସିସ ସେବା, ଆଶ୍ବସ୍ତ ହେଲେ କିଡନି ରୋଗୀ | News Room Odisha

ଡିଏଚ୍ଏଚରେ ଆରମ୍ଭ ହେଲା ମାଗଣା ଡାଇଲିସିସ ସେବା, ଆଶ୍ବସ୍ତ ହେଲେ କିଡନି ରୋଗୀ

ସମ୍ବଲପୁର : କିଡନି ରୋଗୀଙ୍କୁ ବିରାଟ ଆଶ୍ବସ୍ତି ମିଳିଛି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍ଏଚ୍)ରେ ଗତକାଲି ଠାରୁ ଆରମ୍ଭ ହୋଇଛି ଡାଇଲିସିସ ୟୁନିଟ୍। ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଏହାର ଉଦଘାଟନ କରିଛନ୍ତି। ପ୍ରଥମ ଦିନରେ 3 ଜଣ କିଡନୀ ରୋଗୀଙ୍କ ଡାଇଲିସିସ ମଧ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ସହାୟ ଯୋଜନାରେ ସମ୍ପୂର୍ଣ୍ଣ ମାଗଣାରେ ଏହି ସେବା ଯୋଗାଇ ଦିଆଯାଉଛି। ଡିଏଚଏଚରୁ ଏହି ସେବା ପାଇବା ପାଇଁ ବର୍ତ୍ତମାନ ସୁଦ୍ଧା 18 ଜଣ କିଡନୀ ରୋଗୀ ନିଜର ନାମ ପଞ୍ଜିକରଣ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଡିଏଚ୍ଏଚ୍ ପରିସରରେ ମୁଖ୍ୟଅତିଥି ଭାବେ ଏଡିଏମ୍(ରାଜସ୍ବ) ଉମାକାନ୍ତ ରାଜ, ସଦର ଉପଜିଲ୍ଲାପାଳ ମୟୁର ସୂର୍ଯ୍ୟବଂଶୀ ବିକାଶ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ ଯୋଗଦେଇ ଏହି ୟୁନିଟକୁ ଉଦଘାଟନ କରିଥିଲେ। ଡିଏଚ୍ଏଚରେ ଏହି ସେବା ଆରମ୍ଭ ହେବା ପରେ ସାଧାରଣରେ ଏହାକୁ ସ୍ବାଗତ କରାଯାଇଛି। ପିପିପି ମୋଡରେ ରାହି କେୟାର୍ ସଂସ୍ଥା ଏହାକୁ ପରିଚାଳନା କରୁଛି। ଏଥି ପାଇଁ ସଂସ୍ଥା ପକ୍ଷରୁ ଡାକ୍ତର, ପରାମେଡିକାଲ୍ ଷ୍ଟାପ୍, ଟେକ୍ନିସିଆନ୍, ଆଟେଣ୍ଡେଣ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ବିଭାଗ ସବୁଦିନ ସକାଳ 8ଟାରୁ ରାତି 8ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ।
ଗୋଟିଏ ଦିନରେ 18 ଜଣ କିଡନୀ ରୋଗୀଙ୍କ ଡାଏଲିସିସ୍ କରିବା ପାଇଁ ଲକ୍ଷ୍ୟ ରହିଛି ବୋଲି ସୂଚନା ଦିଆଯାଇଛି। ଉଦଘାଟନ ଅବସରରେ ରାହି କେୟାର୍ ସଂସ୍ଥାର ମ୍ୟାନେଜର୍ ବିବେକ ସିଂ, ଡା. ସୁଧାଂଶୁ ପାତ୍ର, ଏନ୍ଏଚ୍ଏମ୍ ଡିପିଏମ୍ ଡ. ମୌସୁମୀ ମିଶ୍ର, ଆରବିଏସକେ ମ୍ୟାନେଜର୍ ଗୁରୁ କୁମାର ଭୋଇ, ଡିଏଲସି ହର ପ୍ରସାଦ ପ୍ରଧାନ, ହସ୍ପିଟାଲ ମ୍ୟାନେଜର୍ ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଦୀର୍ଘ ବର୍ଷ ଧରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଏହି ସୁବିଧା ଉପଲବ୍ଧ କରାଇବାକୁ ଦାବି ହୋଇଆସୁଥିଲା।

ଏହି ୟୁନିଟରେ ମୋଟ୍ 7ଟି ଡାଏଲିସିସ୍ ମେସିନ୍ ବ୍ୟବସ୍ଥା ସହ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ଯୋଗାଇ ଦିଆଯାଇଛି।