ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କୋଠା ପରିଦର୍ଶନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢା | News Room Odisha

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କୋଠା ପରିଦର୍ଶନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢା

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି , କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କୋଠା ପରିଦର୍ଶନ କରିଛନ୍ତି । ଆଜି ପୂର୍ବାହ୍ନରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ମହାବିଦ୍ୟାଳୟର ନୂତନ କୋଠାର ଏକାଡେମୀ ବ୍ଲକ , ପୁରୁଷ ଓ ମହିଳା ହଷ୍ଟେଲ ନିର୍ମାଣ ଏବଂ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟସ୍ଥଳ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସବୁବେଳେ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରାଧାନ୍ୟ ଦେଇଆସୁଛି । ବିଦ୍ୟାଳୟସ୍ତରରେ ଭଲ କ୍ରୀଡ଼ାବିତ୍ ସୃଷ୍ଟି ନିମନ୍ତେ ପିଇଟି ଶିକ୍ଷକ ନିଯୁକ୍ତି ଉପରେ ସରକାର ବେଶ ଗୁରୁତ୍ଵ ଦେଉଛନ୍ତି । କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପରିଚାଳିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପିଇଟି ଶିକ୍ଷକ ସୃଷ୍ଟି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏଠାରୁ ଶିକ୍ଷାଗ୍ରହଣ କରି ଅନେକ ବିଭିନ୍ନ ଶିକ୍ଷନୁଷ୍ଠାନମାନଙ୍କରେ ପିଇଟି ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି । ତେଣୁ ଓଡ଼ିଶାକୁ ଏକ କ୍ରୀଡ଼ା ହବ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ଵପ୍ନ ରହିଛି , ତାହାର ସଫଳ ରୂପାୟନ ନେଇ ଆମ ସମସ୍ତଙ୍କୁ ଆଗଭର ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଶାରୀରିକ ଶିକ୍ଷାବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟ ରଖି ତମାଣ୍ଡୋ ଠାରେ ଉନ୍ନତ ଭିତ୍ତିଭୂମି ଥାଇ ମହାବିଦ୍ୟାଳୟ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି । ଜମି ଚିହ୍ନଟ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଅନେକ ବାର ଗସ୍ତ କରି ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ତ୍ଵରିତ ପଦକ୍ଷେପ ଗ୍ରହଣ କରିଛନ୍ତି ।

ନୂତନ ମହାବିଦ୍ୟାଳୟର କୋଠା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବାବେଳେ ବାକିଥିବା କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ଉପରେ ମନ୍ତ୍ରୀ ଠିକା ସଂସ୍ଥା ତଥା ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଫଳରେ ଆସନ୍ତା ଶିକ୍ଷା ବର୍ଷରୁ ନୂତନ କୋଠାରେ ପାଠପଢା ଆରମ୍ଭ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ତାହା ପୂରଣ ହୋଇପାରିବ । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କ୍ରୀଡ଼ା ଓ ଯୁବସେବା ବିଭାଗ , ପୂର୍ବ ଏବଂ ନିର୍ମାଣ ଦାୟିତ୍ୱ ନେଇଥିବା ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ ।