କୁଲାଡ ଗଡରେ ରହିଛି ଭଞ୍ଜ ବଂଶୀୟ ରାଜା ମାନଙ୍କର ଆରାଧ୍ୟା ମାଆ ବ୍ୟାଘ୍ରଦେବୀ ମନ୍ଦିର  | News Room Odisha

କୁଲାଡ ଗଡରେ ରହିଛି ଭଞ୍ଜ ବଂଶୀୟ ରାଜା ମାନଙ୍କର ଆରାଧ୍ୟା ମାଆ ବ୍ୟାଘ୍ରଦେବୀ ମନ୍ଦିର 

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରୁ ୫ କିମି ଦୂରରେ ଅବସ୍ଥିତ କୁଲାଡ଼ ଗଡରେ ରହିଛି ମାଆ ବ୍ୟାଘ୍ରଦେବୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର। ଏହି ଦୁଇ ମନ୍ଦିର ହେଉଛି ଭଞ୍ଜ ବଂଶୀୟ ରାଜା ମାନଙ୍କର ଅନନ୍ୟ କିର୍ତ୍ତୀ। ବାସ୍ତବରେ ଏହି ଅଞ୍ଚଳ ଘୁମୁସର ଗଡଜାତ ରାଜ୍ଯ ଭାବେ ଜଣା। ଇଂରେଜ ମାନଙ୍କ ବିରୋଧରେ ଘୁମୁସର ର କନ୍ଧ ବିଦ୍ରୋହ ମଧ୍ଯ ଇତିହାସ ପ୍ରସିଦ୍ଧ. ତେବେ ଏହି ଗୁମସର (Gumsorr) ଅର୍ଥ କଣ ଆସନ୍ତୁ ଜାଣିବା। ଗୁମ ଅର୍ଥାତ ଗୃହ ବା ଗଡ ଏବଂ ସର ଅର୍ଥାତ୍ ପୋଖରି. ତେଣୁ ପୋଖରି ପାଖରେ ଗଡ ନିର୍ମିତି ହୋଇ ଥିବାରୁ ଏହା ଗୁମସର୍ ବା ପ୍ରକାରାନ୍ତରେ ଘୁମୁସର ନାମରେ ନାମିତ।

ଇତିହାସ କୁହେ ଗୁମସର ବା ଆଧୁନିକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ୮୩୨ ମସିହାରୁ ୧୮୩୫ ମସିହା ପାଖାପାଖି ୧୦୦୦ ବର୍ଷ ମଧ୍ୟରେ ୫୮ ଜଣ ଭଞ୍ଜ ବଂଶୀୟ ରାଜା ଏହି ଅଞ୍ଚଳରେ ଶାସନ କରୁଥିଲେ। ଏହି ସମୟ ମଧ୍ୟରେ ଗୁମସର ର ରାଜା ମାନଙ୍କ ଦ୍ଵାରା ବିଭିନ୍ନ ସ୍ଥାନରେ ସୁନ୍ଦର ଐତିହ୍ୟ ମାନ ଦେଖିବାକୁ ମିଳେ। ଇତିହାସ କୁହେ (୧୧୯୦-୧୨୦୭) ମସିହାରେ ଗୁମସର ରାଜା ଶ୍ରୀ ପ୍ରତାପ ଭଞ୍ଜ କୁଲାଡ଼ ଗଡ ସ୍ଥାପନ କରିଥିଲେ ଓ ବ୍ୟାଘ୍ରଦେବୀ ମନ୍ଦିର ପ୍ରତିଷ୍ଠା କରିଥିଲେ।

ଏହି ବ୍ୟାଘ୍ରଦେବୀ ଠାକୁରାଣୀ ହେଉଛନ୍ତି ଭଞ୍ଜ ବଂଶୀ ରାଜାମାନଙ୍କର କୂଳଦେବୀ। ଓଡିଆ ସାହିତ୍ୟର ସମ୍ରାଟ କୁହାଯାଉଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ହେଉଛନ୍ତି ଏହି କୁଲାଡ଼ ଗଡର ଭଞ୍ଜ ବଂଶୀ ରାଜା ନୀଳକଣ୍ଠ ଭଞ୍ଜଙ୍କ ପୁତ୍ର।

ବ୍ୟାଘ୍ରଦେବୀ ଙ୍କ ଆଶିର୍ବାଦ ରୁ କବିସମ୍ରାଟ ଙ୍କ କାଳଜୟୀ ସୃଷ୍ଟିରେ ଆଜି ଓଡିଆ ସାହିତ୍ୟ ଭଣ୍ଡାର ସମୃଦ୍ଧ। ସେହି କୁଲାଡ଼ ଗଡରେ ଅଷ୍ଟାଦଶ ଶତାବ୍ଦୀ ରେ ନିର୍ମିତ ଜଗନ୍ନାଥ ମନ୍ଦିର ଓ ବ୍ୟାଘ୍ରଦେବୀ ମନ୍ଦିର ଅବସ୍ଥିତ। ମନ୍ଦିର ପରିବେଶ ବହୁତ୍ ସୁନ୍ଦର୍ ଓ ପରିଷ୍କାର ପରିଚ୍ଛନ୍ନ. ରେଖ ଶୈଳୀର ବିମାନ ଏବଂ ପୀଢ଼ ଶୈଳୀର ଜଗମୋହନ ଓ ନାଟ ମଣ୍ଡପ ସହିତ ଜଗନ୍ନାଥ ଙ୍କ ମନ୍ଦିର ପରିସର ବହୁତ୍ ବଡ ଓ ସୁନ୍ଦର୍। ମନ୍ଦିର ମଧ୍ଯ ବହୁତ୍ ବଡ। ଜଗନ୍ନାଥ ମନ୍ଦିର ର ପ୍ରାଚୀରକୁ ଲାଗି ମା ବ୍ୟାଘ୍ରଦେବୀ ଙ୍କ ମନ୍ଦିର ପରିସର।

ଏହି ମନ୍ଦିର ପରିସରରେ କବି ସମ୍ରାଟ ଙ୍କ ରହିଛି. ପ୍ରତିମୂର୍ତ୍ତି । କିନ୍ତୁ ବ୍ୟାଘ୍ରଦେବୀ ଙ୍କ ମୂଳ ମନ୍ଦିର ରହିଛି ପାହାଡ଼ ଉପରେ। ତଳ ବ୍ୟାଘ୍ରଦେବୀ ଙ୍କ ମନ୍ଦିର ଠାରୁ ୫୦୦ ମିଟର ଦୂରରେ ପାହାଡ଼ ଉପରେ ଗୋଟିଏ ଛୋଟ ଗୁମ୍ଫା ରେ ପୂଜା ପାଉଛନ୍ତି ମା ବ୍ୟାଘ୍ରଦେବୀ।

ପାଖାପାଖି ୨୦୦ ପାହାଚ ଚଢ଼ି ମା ‘ଙ୍କ ଆସ୍ଥାନ ପାଖରେ ପହଞ୍ଚିହେବ. ପାହାଚ ମଝିରେ ଲୁହା ପାଇପ୍ ଦିଆ ଯାଇଛି ଧରି ଚଢ଼ିବା ପାଇଁ ଏବଂ ମଝିରେ ବସିବା ପାଇଁ ଓ ପାଣି ପିଇବା ପାଇଁ ମଧ୍ଯ ସୁବିଧା ରହିଛି. ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଏହି ସ୍ଥାନ ଟିରେ ପାହାଡ଼ ଚଢ଼ି ମା’ ଙ୍କ ପୀଠରେ ପହଁଞ୍ଚିବା ପରେ ଚତୁଃପାର୍ଶ୍ଵର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନମୁଗ୍ଧକର. ତେବେ ଘୁମୁସର ର ଭଞ୍ଜ ବଂଶୀ ରାଜା ମାନଙ୍କ ର ପ୍ରାଚୀନ ଐତିହ୍ୟ କୁ ବହନ କରୁଥିବା କୁଲାଡ଼ ଗଡ ନିଶ୍ଚିତ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ. ଏହା ଭଞ୍ଜନଗର ରୁ ମାତ୍ର ୫ କିମି ଦୂରରେ ଅବସ୍ଥିତ. କୁଲାଡ଼ ଯିବା ସମୟରେ ଆପଣ ଭଞ୍ଜନଗର ର ଓଡିଶା ପ୍ରସିଦ୍ଧ ବିଜୁପଟ୍ଟନାୟକ ପାର୍କ କୁ ମଧ୍ଯ ବୁଲିପାରିବେ. ଏହା ପରିବାର ନେଇ ଦେଖିଲା ଭଳି ଜାଗାଟିଏ. ଯେଉଁଠାରେ ଆପଣ ଶିବଙ୍କ ବିଶାଳ ମୂର୍ତ୍ତୀ ଦେଖି ପାରିବେ।