ରାଜଧାନୀରେ ଚାଞ୍ଚଲ୍ୟ : ଶିଶୁକନ୍ୟାକୁ ମାରି ବାପାମାଆଙ୍କ ଆତ୍ମହତ୍ୟା | News Room Odisha

ରାଜଧାନୀରେ ଚାଞ୍ଚଲ୍ୟ : ଶିଶୁକନ୍ୟାକୁ ମାରି ବାପାମାଆଙ୍କ ଆତ୍ମହତ୍ୟା

ଭୁବନେଶ୍ବର – ରାଜଧାନୀରେ ଆଉ ଏକ ହୃଦୟ ବିଦାରକ ଘଟଣା । ୧୫ ମାସର ଶିଶୁ କନ୍ୟାକୁ ହତ୍ୟା କରିବା ପରେ ରଶି ଲଗାଇ ଝୁଲିପଡିଲେ ବାପା ମାଆ । ଏଭଳି ଲୋମଟାଙ୍କୁରା ଘଟଣା ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବରରେ ଘଟିଛି । ଚିନ୍ତାମଣିଶ୍ବରର ଏକ ଭଡା ଘର ବେଡରୁମର ସ୍କାଏଲାଇଟରେ ଝୁଲନ୍ତା ଅବସ୍ଥାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ହେଲେ ତୁଷାର ରାଜେନ୍ଦ୍ର ଜଗତପ, ପତ୍ନୀ ନେହା ତୁଷାର‌ ଜଗତପ ଓ ଶିଶୁ କନ୍ୟା ଶିବନ୍ୟା । ମୃତ ଦମ୍ପତିଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି ।ଭଡା ଘର ମାଲିକାଣି ସୁରେକ୍ଷା ଉତ୍ତମ ପାଓ୍ବାରଙ୍କ ସୂଚନା ଅନୁସାରେ, କିଛି ଦିନ ଧରି ତୁଷାର ରାଜେନ୍ଦ୍ର ଜଗତପ ନିଜ ପରିବାର ସହ ଲଜରେ ରହୁଥିଲେ । ମାନସିକ ଅଶାନ୍ତି ଯୋଗୁଁ ସେ ରାଜେନ୍ଦ୍ରଙ୍କ ପରିବାରକୁ ଚିନ୍ତାମଣିଶ୍ବର ଘରକୁ ତିନିଦିନ ତଳେ ଆଣିଥିଲେ । ଗତକାଲି ରାତି ୯ଟାରେ ତାଙ୍କୁ ଖାଇବା ପାଇଁ ଫୋନ କରିଥିଲେ ସୁଦ୍ଧା ଫୋନ ଉଠାଇ ନଥିଲେ ପରିବାରଲୋକେ । ଫୋନ ନ ଉଠାଇବାରୁ ମାଲିକ ଆସି ଝୁଲନ୍ତା ଅବସ୍ଥାରେ ଦୁଇ ଦମ୍ପତିଙ୍କ ମୃତଦେହ ସ୍କାଏଲାଇଟରେ ଦେଖିବାକୁ ପାଇଥିଲେ । ପୋଲିସକୁ ଖବର ଦେବା ପରେ କବାଟ ଭାଙ୍ଗି ମା ଓ ବାପାଙ୍କ ସହ ଶିଶୁ କନ୍ୟା ମୃତଦେହ ଜବତ କରାଯାଇଥିଲା ।

ସୂଚନା ଅନୁସାରେ ତୁଷାରଙ୍କ ଘରେ ବିବାଦ ଲାଗି ରହିଥିଲା । ତୁଷାରଙ୍କ ବାପା ୨ଟି ବିବାହ କରିଥିବା ବେଳେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏହାପରେ ତାଙ୍କ ସାବତ ମା’ଙ୍କ ପୁଅ ନାମରେ ବାପା ସବୁ ସମ୍ପତ୍ତି କରି ଦେଇଥିବା ତୁଷାର ଜାଣିବାକୁ ପାଇଥିଲେ । ଏହାକୁ ନେଇ ସର୍ବଦା ଚିନ୍ତାରେ ରହୁଥିଲେ ତୁଷାର । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମହାରାଷ୍ଟ୍ର ରେ ରହୁଥିବା ପରିବାର ଲୋକଙ୍କ ସହ ଯୋଗାଯୋଗ କରିଛି ।