କାଲିଠାରୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର | News Room Odisha

କାଲିଠାରୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ପୁରୀ – ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ସମେତ ପଶ୍ଚିମ ଦ୍ଵାର ଦେଇ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଏହାସହ ଉତ୍ତର‌ ଓ ଦକ୍ଷିଣ ଦ୍ଵାର ଦେଇ ଭକ୍ତମାନେ ପ୍ରସ୍ଥାନ କରିବେ। ଆସନ୍ତା ମାସ ତିନି ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ ଜମିବ । ଏହାସହ ପ୍ରବଳ ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସେପଟେ କୋଭିଡ ସଂକ୍ରମଣ ଯୋଗୁଁ ଗତ ଦୁଇବର୍ଷ ଧରି ଭକ୍ତମାନେ ଚନ୍ଦନ ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିବାବେଳେ ଏଥର କିନ୍ତୁ ଭକ୍ତଙ୍କ ଗହଣରେ ଚାପ ଖେଳିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଏଥିପାଇଁ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ । ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହାକୁ ହ୍ରାସ କରିବା ଏବଂ ରଥ ନିର୍ମାଣ କାର୍ଯ୍ୟ, ଚନ୍ଦନଯାତ୍ରା ପାଇଁ ବଡ଼ଦାଣ୍ଡରେ ଠାକୁରଙ୍କ ବିମାନ ସୁରୁଖୁରୁରେ ଯିବା ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରପଟେ ଆସନ୍ତା ରଥଯାତ୍ରା ପର୍ଯ୍ୟନ୍ତ ଭକ୍ତ ମାନେ ପ୍ରବେଶ ପାଇଁ ବ୍ୟବସ୍ଥା ହୋଇଛି । ପଶ୍ଚିମ ଦ୍ଵାରରେ ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ଏବଂ ସେଡ ନିର୍ମାଣ ସହ ଜୋତା ଷ୍ଟାଣ୍ଡ, ପାନୀୟ ଜଳ ଭଳି ସମସ୍ତ ବ୍ୟବସ୍ଥା କରାଯାଇଛି ।