ଶ୍ରୀରାମାନୁଜାଚାର୍ଯ୍ୟ ଙ୍କ ଆବିର୍ଭାବ ବୈଶାଖ ଶୁକ୍ଳ ଷଷ୍ଠୀ ତିଥିରେ ଏ ଧରା ପୃଷ୍ଠରେ ହୋଇଥିଲା। ଐତିହାସିକ ଦୃଷ୍ଟିରୁ ରାମାନୁଜଙ୍କ ଜୀବନୀ ସମ୍ପୁର୍ଣ୍ଣ ଜ୍ଞାତ ନୁହେଁ । ଶ୍ରୀ ବୈଷ୍ଣବ ସମ୍ପ୍ରଦାୟ ଅନୁଗାମୀ ମାନେ ତାଙ୍କ ଜୀବନ ଉପରେ ଅନେକ ଭକ୍ତି ମୂଳକ ବାକ୍ଷ୍ୟାନ ଲେଖିଛନ୍ତି ଏବଂ ଏହାକୁ ସତ ଭାବରେ ଗ୍ରହଣ କରାଯାଏ । ସେହି କିମ୍ବଦନ୍ତୀ ଅନୁସାରେ ରାମାନୁଜ ଆଧୁନିକ ଚେନ୍ନାଇ ନିକଟସ୍ଥ ଏକ ଗ୍ରାମରେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜୀବନ କାଳକୁ ଖ୍ରୀ.ଅ. ୧୦୧୭ରୁ ୧୧୩୭ ବୋଲି ଗ୍ରହଣ କରାଯାଏ । ଏହି ମତାନୁସାରେ ତାଙ୍କ ଜୀବନ କାଳ ୧୨୦ ବର୍ଷ ଥିଲା । ଆଧୁନିକ ମତବାଦ ତାଙ୍କ ଜୀବନ କାଳ ଖ୍ରୀ.ଅ.୧୦୭୭ରୁ ଖ୍ରୀ.ଅ.୧୧୫୭ ମଧ୍ୟରେ ଗ୍ରହଣ କରେ ।
ତାଙ୍କ ବିବାହ ପରେ ସେ କାଞ୍ଚିପୁରମ୍ ଯାଇ ଯାଦବ ପ୍ରକାଶ ନାମକ ଏକ ଅଦ୍ୱୈତ ବେଦାନ୍ତୀଙ୍କ ନିକଟରେ ଅଧ୍ୟୟନ କରିଥିଲେ । ଅନେକ ବିଷୟରେ ଦୁହିଙ୍କ ମଧ୍ୟରେ ମତଭେଦ ହେଉଥିଲା । ପରେ ରାମାନୁଜ ତାଙ୍କୁ ତ୍ୟାଗ କରି ନିଜେ ଅଧ୍ୟୟନ କରିଥିଲେ ।ରାମାନୁଜ ଶ୍ରୀ ବୈଷ୍ଣବ ପରମ୍ପରାରେ ଦିକ୍ଷୀତ ହୋଇଥିଲେ ଓ ଗୃହ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିଥିଲେ । ରାମାନୁଜ ଶ୍ରୀରଙ୍ଗମର ବରଦରାଜ ବିଷ୍ଣୁ ମନ୍ଦିରରେ ପୂଜକ କାର୍ଯ୍ୟ କଲେ ଓ ବେଦାନ୍ତ ଉପରେ ଶିକ୍ଷା ପ୍ରଦାନ କଲେ । ସେ ନିର୍ଗୁଣ ବ୍ରହ୍ମଙ୍କ ଉପାସନା ପରିବର୍ତ୍ତେ ସଗୁଣ ବ୍ରହ୍ମଙ୍କ (ନାରାୟଣ) ଉପାସନା ମୋକ୍ଷର ମାର୍ଗ ବୋଲି ଶିକ୍ଷା ଦେଇଥିଲେ । ସେ ଶ୍ରୀରଙ୍ଗମ ମନ୍ଦିରର ବିଭିନ୍ନ ସଂସ୍କାର କରାଇଥିଲେ ଓ ଭାରତ ସାରା ବୁଲି ତାଙ୍କ ମତବାଦର ପ୍ରଚାର କରିଥିଲେ ।
ରାମାନୁଜଙ୍କ ଗୁରୁ ଯାଦବ ପ୍ରକାଶ ଅଦ୍ୱୈତ ବେଦାନ୍ତ ପରମ୍ପରାର ପଣ୍ଡିତ ଥିଲେ । ଶ୍ରୀବୈଷ୍ଣବ ପରମ୍ପରା ମତାନୁସାରେ ରାମାନୁଜ ନିଜ ଗୁରୁଙ୍କ ସହ ଏକମତ ନହୋଇ ନାଥମୁନୀ ଓଯମୁନାଚାର୍ଯ୍ୟ ଙ୍କ ଭଲି ଅଲ୍ୱାର ସନ୍ଥମାନଙ୍କୁ ଅନୁସରଣ କରିଥିଲେ ।
ବିଶିଷ୍ଟାଦ୍ୱୈତବାଦ ବେଦାନ୍ତ ପରମ୍ପରାର ରାମାନୁଜ ସର୍ବପ୍ରଧାନ ବାଖ୍ୟାକାର ଭାବେ ପ୍ରସିଦ୍ଧ । ସେ ବ୍ରହ୍ମସୂତ୍ର ଓ ଭଗବତ-ଗୀତାର ବାଖ୍ୟା ଏହି ମତାନୁସାରେ କରିଥିଲେ । ତାଙ୍କଦ୍ୱାରା ପ୍ରଣୀତ ବିଶିଷ୍ଟାଦ୍ୱୈତବାଦ, ମାଧବାଚାର୍ଯ୍ୟଙ୍କ ଦ୍ୱୈତବାଦ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତ ବେଦାନ୍ତ ସହ ଅନ୍ୟତମ ପ୍ରଭାବଶାଳୀ ଭାରତୀୟ ଦାର୍ଶନିକ ଚିନ୍ତାଧାରା ଅଟେ । ସେ ଜ୍ଞାନ ଓ ମୋକ୍ଷ ପାଇଁ ଭକ୍ତିର ଆବଶ୍ୟକତା ପ୍ରତିପାଦନ କରିଥିଲେ । ତାଙ୍କ ମତାନୁସାରେ ଜୀବାତ୍ମା ଓ ବ୍ରହ୍ମ ମଧ୍ୟରେ ବିଭେଦ ରହିଛି ଏବଂ ଜୀବାତ୍ମା ଓ ଜଗତ ବ୍ରହ୍ମଙ୍କ ଉପରେ ନିର୍ଭରଶୀଳ । ମାତ୍ର ଜୀବାତ୍ମା ଏକ ଅଟେ ଓ ଏହା ମୋକ୍ଷଦ୍ୱାରା ପରମାତ୍ମାଙ୍କ ସହ ଏକ ହେବାକୁ ଯୋଗ୍ୟ ।
ପୁରୀକୁ ଯାତ୍ରା: ରାମାନୁଜ ପୁରୀକୁ ଆସିବା ସମୟରେ ଚୋଡଗଙ୍ଗ ଦେବ ଉତ୍କଳର ରାଜା ଥିଲେ । ପ୍ରପନ୍ନାମୃତ ନାମକ ଏକ ଗ୍ରନ୍ଥ ଅନୁସାରେ ସେ ଶୈବ ଚୋଡଗଙ୍ଗ ଦେବଙ୍କୁ ପ୍ରଭାବିତ କରି ବୈଷ୍ଣବ କରାଇଥିଲେ । ସେ ପୁରୀରେ ଦୁଇଟି ମଠ ସ୍ଥାପନ କରିଥିଲେ ଯାହା ମଧ୍ୟରୁ ଏମାର ମଠ ଅନ୍ୟତମ । ବ୍ରହ୍ମଗିରିର ଅଲାରନାଥ ମନ୍ଦିର ମଧ୍ୟ ଅଲ୍ୱାର ସମ୍ପ୍ରଦାୟ ରାମାନୁଜଙ୍କଦ୍ୱାରା ପ୍ରଭାବିତ ହୋଇଥିବାର ଗ୍ରହଣ କରାଯାଏ ।
ରାମାନୁଜ ବେଦାନ୍ତ ଦର୍ଶନ ଉପରେ ଅନେକ ଗ୍ରନ୍ଥ ରଚନା କରିଥିଲେ । ସେସବୁ ମଧ୍ୟରୁ ପ୍ରଧାନ ରଚନା ବ୍ରହ୍ମସୂତ୍ର ଉପରେ ରଚିତ “ଶ୍ରୀ ଭାଷ୍ୟ”, “ଭଗବତ ଗୀତା ଭାଷ୍ୟ” ଓ “ବେଦାର୍ଥସଂଗ୍ରହ” । ତାଙ୍କର ଅନ୍ୟ କେତେକ ରଚନା ମଧ୍ୟ ରହିଛି ।
ରାମାନୁଜଙ୍କ ଦର୍ଶନ ବିଶିଷ୍ଟାଦ୍ୱୈତବାଦ ନାମରେ ପ୍ରସିଦ୍ଧ । ଏହା ବେଦାନ୍ତ ଦର୍ଶନର ଏକ ମତବାଦ । ଏହି ମତବାଦ ଅନୁସାରେ ବ୍ରହ୍ମ, ଜଗତ ଓ ଜୀବାତ୍ମା ସବୁ ସତ୍ୟ ଓ ଏକ ଅଟନ୍ତି । ଜଗତ ଓ ଜୀବାତ୍ମା ବ୍ରହ୍ମ ଉପରେ ନିର୍ଭରଶୀଳ । ଏହି ମତବାଦ ଭକ୍ତିକୁ ପ୍ରାଧାନ୍ୟ ଦେଇଥାଏ ଏବଂ ଭକ୍ତିଦ୍ୱାରା ମୋକ୍ଷ ସମ୍ଭବ ବୋଲି ଗ୍ରହଣ କରିଥାଏ । ଏହି ମତରେ ଭଗବାନ ବିଷ୍ଣୁ ସର୍ବୋଚ୍ଚ ତତ୍ତ୍ୱ ବ୍ରହ୍ମ ଅଟନ୍ତି । ଅଦ୍ୱୈତ ମତ ପରି ଏହା ଜଗତକୁ ମାୟା ଭାବରେ ଗ୍ରହଣ କରେ ନାହିଁ । ବରଂ ଜଗତକୁ ବ୍ରହ୍ମଙ୍କର ମହିମା ଭାବେ ଗ୍ରହଣ କରେ ।