ଆଜି ପବିତ୍ର ସୀତା ନବମୀ, ଭାରତରେ ସର୍ବତ୍ର ପାଳନ କରାଯାଉଛି ଦେବୀ ଜାନକୀଙ୍କ ଆବିର୍ଭାବ ତିଥି | News Room Odisha

ଆଜି ପବିତ୍ର ସୀତା ନବମୀ, ଭାରତରେ ସର୍ବତ୍ର ପାଳନ କରାଯାଉଛି ଦେବୀ ଜାନକୀଙ୍କ ଆବିର୍ଭାବ ତିଥି

ବୈଶାଖ ମାସ ଶୁକ୍ଳପକ୍ଷ ନବମୀକୁ ସୀତା ନବମୀ ଭାବେ ପାଳନ କରାଯାଏ । ଏହିଦିନରେ ସୀତା ଆବିର୍ଭାବ ହୋଇଥିଲେ ବୋଲି ଜନମାନସରେ ବିଶ୍ୱାସ ରହିଛି । ସୀତା ନବମୀକୁ ଜାନକୀ ନବମୀ ମଧ୍ୟ କହାଯାଏ । ଆଜି ଦିନରେ ମିଥିଳା ର ନରପତି ରାଜା ଜନକ ସ୍ବୟଂସିଦ୍ଧା ଦେବୀ ସୀତା ଙ୍କୁ ପ୍ରାପ୍ତ କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀରାମଙ୍କ ବାମାଙ୍ଗି ଭାବରେ ରାମାୟଣ ରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ଭକ୍ତ ସମାଜରେ ଆସ୍ଥା ଓ ବିଶ୍ୱାସର ପ୍ରତିକ ଭାବରେ ସମସ୍ତ ଙ୍କ ହୃଦୟରେ ନିବାସ କରିଥିଲେ।

ପୌରାଣିକ କଥାନୁସାରେ ମାରୱାଡ଼କ୍ଷେତ୍ରରେ ବେଦବାଦୀ ଶ୍ରେଷ୍ଠ ଧର୍ମାବତାର ବ୍ରାହ୍ମଣ ଦେବଦତ୍ତ ନିବାସ କରୁଥିଲେ । ତାଙ୍କର ଶୋଭନା ନାମକ ସୁନ୍ଦରୀ ତଥା ନିଜର ରୂପସୌନ୍ଦର୍ଯ୍ୟରେ ଗର୍ବକରୁଥିବା ପତ୍ନୀ ଥିଲେ । ଜୀବିକା ପାଇଁ ଦେବଦତ୍ତ ଗ୍ରାମ ଗ୍ରାମ ବୁଲି ଭିକ୍ଷା ମାଗୁଥିଲେ । କିନ୍ତୁ ବ୍ରାହ୍ମଣୀ ଶୋଭନା କୁସଂଗତରେ ପଡ଼ି ବ୍ୟଭିଚାର ପ୍ରବୃତ୍ତି ହୋଇଗଲେ । ତା’ର କୁକର୍ମ ପ୍ରତ୍ୟେକ ଗ୍ରାମରେ ଚର୍ଚ୍ଚା ହେବାକୁ ଲାଗିଲା । ଯାହାଫଳରେ ଦୁର୍ଷ୍କମରେ ରତ ହୋଇ ଗ୍ରାମକୁ ଧ୍ୱଂସ କରିଦେବା ସହ ବ୍ରାହ୍ମଣୀ ଶୋଭନା ନିଜେ ସ୍ୱୟଂ ପୋଡ଼ିହୋଇ ମରିଗଲା । ପରବର୍ତ୍ତୀ ଜନ୍ମରେ ଚାଣ୍ଡାଳ ଘରେ ଜନ୍ମ ଗ୍ରହଣ କଲା । ବିବାହ କରିବାର କିଛିଦିନ ପରେ ସେ ଚାଣ୍ଡାଳୁଣୀ ହେଲା । ସମୟ ଚକ୍ରରେ ସେ ତା’ର କର୍ମ ପାଇଁ ଅନ୍ଧୁଣୀ, ଭିକାରୁଣୀ ସାଜି ଜୀବନ କାଟିଲା ।

ଦୈବାତ ସେ ବୈଶାଖ ମାସ, ଶୁକ୍ଳପକ୍ଷ ନବମୀ (ସୀତା ନବମୀ) ତିଥିରେ କୌଶଳପୁରୀରେ ପହଞ୍ଚିଲା । ବ୍ରାହ୍ମଣୀ ଜଣକ ନେହୁରା ହୋଇ କହିଲା-ହେ ସଜ୍ଜନ ମୋ ଉପରେ କୃପା କର କିଛି ଭୋଜନ ଦିଅ, ନଚେତ୍‌ ମୁଁ ଭୋକରେ ମରିଯିବି । ଏପରି କହି ସେ ଶ୍ରୀଜନକ ଭବନ ସମ୍ମୁଖରେ ତିଆରି ହୋଇଥିବା ଏକ ହଜାର ପୁଷ୍ପମଣ୍ଡିତ ଖମ୍ବକୁ ଅତିକ୍ରମ କରି ସେଥିରେ ପ୍ରବେଶ କଲା । ସେ ସେଠାରେ ଭିକ୍ଷା ଆକାରରେ କହିଲା ଭାଇମାନେ ମୋତେ କିଛି ସାହାଯ୍ୟ କର, କିଛି ଖାଇବାକୁ ଦିଅ । ହଠାତ୍‌ ଜଣେ ଭକ୍ତ କହିଲା ହେ ଦେବୀ ! ଆଜି ସୀତା ନବମୀ, ଭୋଜନରେ ଅନ୍ନ ଦେଉଥିବା ବ୍ୟକ୍ତିଙ୍କୁ ପାପ ଲାଗିଥାଏ । ଏଥିପାଇଁ ଆଜି ଅନ୍ନ ମିଳିବନି । କାଲି ଠିକ୍‌ ସକାଳେ ଆସ, ଠାକୁରଙ୍କ ପ୍ରସାଦ ମିଳିବ । କିନ୍ତୁ ସେ କିଛି ନ ମାନି କହିଲା ମୋତେ ବହୁତ ଜୋର୍‌ରେ ଭୋକ ଲାଗୁଛି କିଛି ଦିଅ । ଭକ୍ତ ଜଣକ ଉକ୍ତ ଦେବୀଙ୍କୁ ତୁଳସୀ ଏବଂ ଜଳ ଦେଲେ । ସେହି ପାପିନୀ ତୁଳସୀ ଓ ଜଳ ପାଇ ମୃତ୍ୟୁ ବରଣ କଲା । ଅଜାଣତରେ ଉକ୍ତ ଦେବୀଙ୍କର ସୀତା ନବମୀ ବ୍ରତ ସଂପୂର୍ଣ୍ଣ ହୋଇଗଲା ଓ ପରମ କୃପାଳିନୀ ତାଙ୍କର ସମସ୍ତ ପାପକୁ ମୁକ୍ତ କରିଦେଲେ ବୋଲି ସ୍ଥାନୀୟ ଲୋକ କୁହାକୁହି ହେଲେ । ଏହି ବ୍ରତ ପ୍ରଭାବରେ ପାପିନୀ ନିର୍ମଳ ହୋଇ ସ୍ୱର୍ଗ ଗଲା । ତତ୍‌ପଶ୍ଚାତ୍‌ ସେ କାମରୂପ ଦେଶର ମହାରାଜ ଜୟସିଂହଙ୍କ ମହାରାଣୀ କାମଚଳା ନାମରେ ବିଖ୍ୟାତ ହେଲେ ।