ମୁଖ୍ୟମନ୍ତ୍ରୀ ସାଜିଲେ ତ୍ରାଣକର୍ତ୍ତା, ତ୍ବରିତ ପଦକ୍ଷେପ ବଳରେ ଉଦ୍ଧାର ହେଲେ ୧୧ ମତ୍ସ୍ୟଜୀବୀ | News Room Odisha

ମୁଖ୍ୟମନ୍ତ୍ରୀ ସାଜିଲେ ତ୍ରାଣକର୍ତ୍ତା, ତ୍ବରିତ ପଦକ୍ଷେପ ବଳରେ ଉଦ୍ଧାର ହେଲେ ୧୧ ମତ୍ସ୍ୟଜୀବୀ

ବ୍ରହ୍ମପୁର: ଏଣେ ଅଶାନ୍ତ ବଙ୍ଗୋପସାଗର ମଧ୍ୟରେ ଫସି ରହିଥିଲେ ୧୧ ଜଣ ମତ୍ସ୍ୟଜୀବୀ। ସେମାନଙ୍କ ଅଚଳ ମୋଟରଚାଳିତ ଡଙ୍ଗାକୁ ସମୁଦ୍ରର ଉଚ୍ଚ ଲହଡ଼ି ଓଲଟାଇ ଦେବାକୁ ସତେ ଯେମିତି ବ୍ୟଗ୍ର ଥିଲା। ପ୍ରତି କ୍ଷଣ ଜୀବନ ଓ ମୃତ୍ୟୁର ସଂଘର୍ଷ କରୁଥିଲେ ମତ୍ସ୍ୟଜୀବୀ। ତେଣେ ନିଜ ଲୋକଙ୍କ ଜୀବନ ନେଇ ଚିନ୍ତା ଓ ଆଶଙ୍କାଗ୍ରସ୍ତ ହୋଇ ସମୟ ବିତାଉଥିଲେ ମତ୍ସ୍ୟଜୀବୀଙ୍କ ପରିବାରବର୍ଗ। ଆଉ ଏହି ଖବର ଯେତେବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା, କୌଣସି ବିଳମ୍ବ ନକରି ହସ୍ତକ୍ଷେପ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେକୌଣସି ମତେ ସମୁଦ୍ରରେ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେତେବେଳେ ଜଣାପଡ଼ିଲା ଯେ- ଅଶାନ୍ତ ସମୁଦ୍ର ଜଳ ଭିତରକୁ କୌଣସି ଡଙ୍ଗା କିମ୍ବା ଉଦ୍ଧାରକାରୀ ଜାହାଜ ଯିବା ସମ୍ଭବ ନୁହେଁ ଓ ଫସି ରହିଥିବା ଡଙ୍ଗାରୁ କାହାକୁ ଉଦ୍ଧାର କରିବା ପାଇଁ ସ୍ଥିତି ଅନୁକୂଳ ନୁହେଁ ତୁରନ୍ତ ମୁଖ୍ୟମନ୍ତ୍ରୀ କୋଷ୍ଟଗାର୍ଡ ସହାୟତାରେ ସେମାନଙ୍କୁ ଏୟାରଲିଫ୍ଟ କରି ସେମାନଙ୍କ ଜୀବନ ରକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇବାର ମାତ୍ର କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ- ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅଫିସ୍- କୋଷ୍ଟଗାର୍ଡ- ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସ ତଥା ଉତ୍ତମ ସମନ୍ଵୟ ବଳରେ ପ୍ରାୟ ଏକ ଘଣ୍ଟାର ଅପରେସନ୍ ମଧ୍ୟରେ ସମସ୍ତ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଗର୍ଭରୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିଆଯାଇଥିଲା। ସତେଯେମିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ରାଣକର୍ତ୍ତା ସାଜି ଜୀବନ ଓ ମରଣର ସଂଘର୍ଷ ଲଢୁଥିବା ମତ୍ସ୍ୟଜୀବୀଙ୍କ ସହାୟତା ପାଇଁ ଆଗେଇ ଆସିଥିଲେ ଓ କୋଷ୍ଟଗାର୍ଡ ହେଲିକେପ୍ଟର ପ୍ରକୃତିର ପ୍ରତିକୂଳତା ସତ୍ତ୍ୱେ ସେମାନଙ୍କୁ ମୃତ୍ୟୁମୁଖରୁ ସୁରକ୍ଷିତ ଭାବେ ବଞ୍ଚାଇ ଆଣିଥିଲା।

ଉଦ୍ଧାର ମତ୍ସ୍ୟଜୀବୀଙ୍କ ଠାରୁ ଯାହା ଜଣାଯାଇଛି ଯେ- କିଛି ଦିନ ତଳେ ସେମାନେ ସମୁଦ୍ରପଥରେ ହିଁ ବିଶାଖାପାଟଣା ଯାଇଥିଲେ। ଉଦ୍ଦେଶ୍ୟ ଥିଲା ସେଠାରୁ ଉନ୍ନତମାନର ଜାଲ ଓ ଡଙ୍ଗା କିଣି ଆଣିବେ। ସେମାନେ ସେଠାରୁ ଫେରିବା ବେଳେ ସୋମବାର ସକାଳେ ଗଞ୍ଜାମ ଜିଲ୍ଲାର ପାତିସୁନାପୁର ବେଳାଭୂମିରୁ କିଛି ଦୂର ସମୁଦ୍ର ମଧ୍ୟରେ ସେମାନଙ୍କ ଡଙ୍ଗାର ମୋଟର ଅଚଳ ହୋଇଗଲା। ଏଣେ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବା ବେଳେ ଡଙ୍ଗା ଆଉ କୂଳ ଆଡ଼କୁ ଆସିପାରି ନଥିଲା। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ ଥିବାରୁ ମାଛଧରା ପାଇଁ ଆଉ କୌଣସି ଡଙ୍ଗା ମଧ୍ୟ ବଙ୍ଗୋପସାଗର ଭିତରକୁ ଯାଇ ନଥିଲା। ତେଣୁ ସେମାନେ କୂଳକୁ ଫେରିବା ପାଇଁ ଅନ୍ୟ କୌଣସି ଉପାୟ ପାଇପାରୁ ନଥିଲେ। ଏଣେ ଦିନ ଯେତିକି
ବଢୁଥିଲା ସମୁଦ୍ର ସେତିକି ଅଶାନ୍ତ ହୋଇ ଚାଲିଥିଲା। ଉଚ୍ଚ ଲହଡ଼ା ଡଙ୍ଗାରେ ପିଟି ହୋଇ ଚାଲୁଥିଲା। ଲାଗୁଥିଲା କେତେବେଳେ ବି ଡଙ୍ଗା ଓଲଟିଯିବ। ଏ ଖବର କୌଣସିମତେ ପରିବାର ଲୋକଙ୍କ ଠାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଓ ଏଥିସହ ଗୋପାଳପୁର ନିର୍ବାଚନମଣ୍ଡଳୀ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶଙ୍କ ନିକଟରେ ପହଞ୍ଚିଥିଲା। ସେ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ହସ୍ତକ୍ଷେପ ଲୋଡ଼ିଥିଲେ।

ନିଜ ରାଜ୍ୟର ମତ୍ସ୍ୟଜୀବୀ ଏଭଳି ବିପଦଜନକ ଅବସ୍ଥାରେ ଥିବା ଓ ସେମାନଙ୍କ ଉଦ୍ଧାର କାର୍ଯ୍ୟ ପ୍ରତିକୂଳ ପାଗ ହେତୁ ସହଜସାଧ୍ୟ ନଥିଲା ବୋଲି ଜାଣିବାକୁ ପାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତୁରନ୍ତ ସେ ରାଜ୍ୟରେ ଥିବା କୋଷ୍ଟଗାର୍ଡ ୟୁନିଟ୍ ସହାୟତାରେ ସେମାନଙ୍କ ହେଲିକେପ୍ଟର୍‌ ଜରିଆରେ ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶର ମାତ୍ର ୧୦ ମିନିଟ୍ ମଧ୍ୟରେ ଭୁବନେଶ୍ବରରୁ ହେଲିକେପ୍ଟର ଟେକ୍ ଅଫ୍ କରିଥିଲା। ୩୦ରୁ ୪୦ ମିନିଟ୍ ମଧ୍ୟରେ ପାତିସୁନାପୁର ଉପକୂଳରେ ପହଞ୍ଚିଥିଲା। ବାତ୍ୟା ପ୍ରଭାବରେ କଷ୍ଟକର ପରିସ୍ଥିତି ସତ୍ତ୍ବେ ହେଲିକେପ୍ଟର ୪୫ ମିନିଟ୍‌ରୁ ଏକ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ଜରିଆରେ ଓଡ଼ିଶାର ଏହି ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଭାବେ ସମୁଦ୍ରତଟରେ ଓହ୍ଲାଇଥିଲା।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ- ଉଦ୍ଧାର କାର୍ଯ୍ୟ କାଠିକର ଥିଲା। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ଜିଲ୍ଲା ପ୍ରଶାସନର ସଠିକ୍ ସମୟରେ ତ୍ବରିତ ପଦକ୍ଷେପ ହେତୁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବାରେ ସଫଳତା ମିଳିଛି। ତୃଣମୂଳସ୍ତରରୁ ଉଚ୍ଚସ୍ତର ପର୍ଯ୍ୟନ୍ତ ଯଦି ସାମୂହିକ ପ୍ରଚେଷ୍ଟା କରାଯାଏ ତେବେ ସଫଳତା ନିଶ୍ଚିତ ମିଳିବ ତାହା ଏହି ଘଟଣା ପ୍ରମାଣିତ କରିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ତଥା ଉଦ୍ଧାର ମତ୍ସ୍ୟଜୀବୀଙ୍କ ତରଫରୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ସାଧୁବାଦ ଜ୍ଞାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ତ୍ବରିତ ପଦକ୍ଷେପ ସାଙ୍ଗକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ବାରା ଏଭଳି ପ୍ରୟାସ ଗଞ୍ଜାମ ଜିଲ୍ଲା ପାଇଁ ଥିଲା ପ୍ରଥମ ଘଟଣା। ଏୟାରଲିଫ୍ଟ କରି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଉଦ୍ଧାର କରାଯିବା ଥିଲା ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ଅତି ବିରଳ ଘଟଣା ଯାହା ହୁଏତ ସେମାନଙ୍କ ଜୀବନରେ ଆଗରୁ କେବେବି ଘଟି ନଥିଲା। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପ ପାଇଁ ସମସ୍ତ ମତ୍ସ୍ୟଜୀବୀ ଏବଂ ତାଙ୍କ ପରିବାରବର୍ଗ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ସେମାନେ ଏବେ ନିଜ ପରିବାର ଲୋକଙ୍କୁ ନିଜ ପାଖରେ ପାଇ ଅତ୍ୟନ୍ତ ଖୁସି। ମୁଖ୍ୟମନ୍ତ୍ରୀଙ୍କ ଲାଗି ସେମାନଙ୍କ ଏହି ଖୁସି ବୋଲି କହିଛନ୍ତି ଅନେକ ମତ୍ସ୍ୟଜୀବୀ ଓ ସେମାନଙ୍କ ପରିବାର।