ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଇନ୍‌ର ପରିସର ମଧ୍ୟରେ ହେଉଛି : ପିନାକୀ | News Room Odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଇନ୍‌ର ପରିସର ମଧ୍ୟରେ ହେଉଛି : ପିନାକୀ

* ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ହାଇକୋର୍ଟ କହିଲା ପରେ କେଉଁ ଆଧାରରେ କାମ ବନ୍ଦ କଥା କହୁଛନ୍ତି ବିରୋଧୀ ?

* ଶୌଚାଳୟ , ଡ୍ରେନ୍ କିମ୍ବା ବୈଦ୍ୟୁତିକ ନିର୍ମାଣ ଆମ୍‌ସାର ଆଇନ୍ ଭିତରେ ଆସୁନାହିଁ

* ଏନ୍ଏମ୍ଏର ଏନ୍‌ଓସି ଅନୁଯାୟୀ ସମସ୍ତ କାର୍ଯ୍ୟ ହେଉଛି

* ବିରୋଧ କରିବା ପୂର୍ବରୁ ପ୍ରଥମେ ଆଇନ୍‌ର ଜ୍ଞାନ ହାସଲ କରନ୍ତୁ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ମାନ୍ୟବର ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି । ବରଂ ଏଏସ୍‌ଆଇ ସହିତ ସମନ୍ଵୟ ରଖି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ମାନ୍ୟବର ହାଇକୋର୍ଟ ଏହା ସ୍ପଷ୍ଟ କଲା ପରେ ବିରୋଧୀମାନେ କେଉଁ ଆଧାରରେ ଏବଂ କେଉଁ କ୍ଷମତା ବଳରେ କାମ ବନ୍ଦ ରଖିବା ଉଚିତ୍ ବୋଲି କହୁଛନ୍ତି ? ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଏଏସ୍‌ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଆଜି ପ୍ରକଳ୍ପ ବିରୋଧୀଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।

ଗଣମାଧ୍ୟମରେ ମତ ରଖି ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟ ସରକାର ଯାହା କାମ କରୁଛନ୍ତି ଆଇନର ପରିସରରେ ରହି କରୁଛନ୍ତି । ଶୌଚାଳୟ , ଡ୍ରେନ୍ ଏବଂ ବୈଦ୍ୟୁତିକ ନିର୍ମାଣ ଆମସାର ଆଇନ୍‌ ପରିସରରେ ଆସୁନାହିଁ , ତେଣୁ ଏହିସବୁ କାମ କରାଯାଇପାରିବ ବୋଲି ନିଜେ ଏଏସ୍‌ଆଇ ତାଙ୍କ ସତ୍ୟପାଠରେ କହିଛନ୍ତି । ଏହାଛଡ଼ା ଏନ୍‌ଏମ୍ଏ ବା ଜାତୀୟ ସ୍ମାରକୀ ପ୍ରାଧୀକରଣ ଆମକୁ ଏଥିପାଇଁ ୪ ସେପ୍ଟେମ୍ବର ୨୦୨୧ରେ ଏନଓସି ଦେଇଛନ୍ତି ବୋଲି ଆଡ଼ଭୋକେଟ ଜେନେରାଲ ହାଇକୋର୍ଟରେ କହିଛନ୍ତି ।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ଏଏସ୍‌ଆଇ ନିଜର ସତ୍ୟପାଠରେ ଉଲ୍ଲେଖ କରିଥିବା କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭିନ୍ନ ମତ ରହିଛି ବୋଲି ଆଡ଼ଭୋକେଟ ଜେନେରାଲ ମାନ୍ୟବର ହାଇକୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇଛନ୍ତି । ସେଥିପାଇଁ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଜବାବୀ ସତ୍ୟପାଠ ଦାଖଲ କରିବାକୁ ସମୟ ଦେଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା , ଆବେଦନକାରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଦିଆଯାଉ ବୋଲି ବାରମ୍ବାର ନିବେଦନ କରିଥିଲେ । ମାତ୍ର ହାଇକୋର୍ଟ ଏହା ଉପରେ ରହିତାଦେଶ ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି । ବରଂ ରାଜ୍ୟ ସରକାର ଓ ଏଏସ୍‌ଆଇ ପରସ୍ପର ଭିତରେ ସମନ୍ବୟ ରଖି କାମ ଜାରି ରଖିବାକୁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୁରୀର ଲୋକ ଏହି ପରିକ୍ରମା ପ୍ରକଳ୍ପ କାମ ହେଉ ବୋଲି ଚାହୁଁଛନ୍ତି ବୋଲି ଦର୍ଶାଇ ଶ୍ରୀ ମିଶ୍ର କହିଛନ୍ତି ଯେ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ଶୌଚାଳୟ ଓ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସ୍ପର୍ଶକାତର ସମସ୍ୟାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଉପଲବ୍ଧି କଲା ପରେ ଲୋକଙ୍କ ସୁବିଧା ଲାଗି ଏନ୍‌ଏମ୍ଏର ଏନ୍‌ଓସି ନେଇ ଶୌଚାଳୟ ଆଦି ନିର୍ମାଣ କରୁଛନ୍ତି । ଅନ୍ୟପକ୍ଷରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଯୁଗ୍ମ ଅନୁଧ୍ୟାନ ପରେ ଏନେଇ ଏଏସ୍‌ଆଇ ସତ୍ୟପାଠରେ ଯେଉଁସବୁ ବିଷୟ ଉଲ୍ଲେଖ କରିଛି , ହାଇକୋର୍ଟ ଏହାକୁ ଅସ୍ପଷ୍ଟ ବୋଲି ଦର୍ଶାଇଛନ୍ତି ଏବଂ ଏହି ନିର୍ମାଣ କାର୍ଯ୍ୟ ମନ୍ଦିର ଉପରେ କ୍ଷତି ପହଞ୍ଚାଇବ କି ନାହିଁ ତାହା ଉପରେ ଅଧିକ ଅନୁଧ୍ୟାନ କରି ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟ ଦେବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବୀ ସତ୍ୟପାଠ ଦାଖଲ ପାଇଁ ସମୟ ଦେବା ସହ କାମ ଜାରି ରଖିବାକୁ କହିଛନ୍ତି । ହାଇକୋର୍ଟ ସ୍ପଷ୍ଟ ଭାବେ ଏଭଳି ନିର୍ଦ୍ଦେଶ ଦେବା ପରେ ପ୍ରକଳ୍ପ କାମ ବନ୍ଦ କରିବାକୁ କାହାର ସତସାହାସ ହେଉଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଗଣମାଧ୍ୟମରେ ଏନେଇ ମତ ରଖିବା ପରେ ଶ୍ରୀ ମିଶ୍ର ତାଙ୍କ ନାମ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି ଏବଂ ଯେଉଁମାନେ ପାର୍ଲାମେଣ୍ଟ ଯିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଆଇନ୍‌ର ଜ୍ଞାନ ହାସଲ କରନ୍ତୁ ବୋଲି କହିଛନ୍ତି ।