ଅଗମ୍ୟ ଭାବ ଜାଣେ ଯଶୋବନ୍ତ, ପଞ୍ଚସଖା ଯୁଗର ଅନନ୍ୟ ସନ୍ଥ ମହାପୁରୁଷ ଯଶୋବନ୍ତଙ୍କ ଜୟନ୍ତୀ ଅବସରରେ | News Room Odisha

ଅଗମ୍ୟ ଭାବ ଜାଣେ ଯଶୋବନ୍ତ, ପଞ୍ଚସଖା ଯୁଗର ଅନନ୍ୟ ସନ୍ଥ ମହାପୁରୁଷ ଯଶୋବନ୍ତଙ୍କ ଜୟନ୍ତୀ ଅବସରରେ

ଅଚ୍ୟୁତାନନ୍ଦଙ୍କ ‘ଉଦୟ କାହାଣୀ’ ଅନୁସାରେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ । ବଳରାମ ଦାସ ଏହି ଉଭୟଙ୍କଠୁଁ ଚାରିବର୍ଷ ବଡ଼ । ଏଣୁ ‘ଉଦୟ କାହାଣୀ’ ଅନୁସାରେ ଯଶୋବନ୍ତ ଖ୍ରୀଷ୍ଟାବ୍ଦ ୧୪୮୭ରେ ଜନ୍ମଗ୍ରହଣ କରିଥିଲେ ବୋଲି ଧରାଯାଏ ।

କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିକଟସ୍ଥ ଅଢ଼ଙ୍ଗଗଡ଼ ଅନ୍ତର୍ଗତ ନନ୍ଦୀଗ୍ରାମରେ ଯଶୋବନ୍ତ ଜନ୍ମଲାଭ କରିଥିଲେ।ତାଙ୍କ ପିତାଙ୍କନାମ ଜଗୁ ମଲ୍ଲିକ ଓ ମାତାଙ୍କନାମ ରେଖାଦେବୀ। ଯଶୋବନ୍ତ ଦାସ ନିଜପରିବାର ବିଷୟରେ କୌଣସି ସନ୍ତୋଷ ଜନକ ପରିଚୟ ନିଜ ଗ୍ରନ୍ଥମାନଙ୍କରେ ଦେଇ ନାହାନ୍ତି। ଅବତାର ମାଳିକାରେ ଉଲ୍ଲେଖ ଅଛି ଚନ୍ଦ୍ରବଂଶରେ ଜାତ ଯଶୋବନ୍ତ । କ୍ଷତ୍ରିୟ କୁଳ ସେ କଲେ ପବିତ୍ର ।ସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେତେକଙ୍କ ମତ ରହିଛି । ଅନ୍ୟମତେ ସେ କୃଷକ ପରିବାରରେ ଜନ୍ମଲାଭ କରିଥିଲେ ।

ଯଶୋବନ୍ତଙ୍କ ପିତା ମାତା ବହୁତ ଧର୍ମ ପରାୟଣ ଥିଲେ । ଯଶୋବନ୍ତଙ୍କ ଉପରେ ସେମାନଙ୍କ ଗଭୀର ପ୍ରଭାବ ପଡ଼ିଥିଲା । ଏଣୁ ସେ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ । ସୁଦର୍ଶନ ଦାସଙ୍କ ଲିଖିତ ‘ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା’ ନାମକ ଗ୍ରନ୍ଥରେ ଯଶୋବନ୍ତଙ୍କ ବାଲ୍ୟ ଜୀବନର ବର୍ଣ୍ଣନା ରହିଛି । ସୁଦର୍ଶନ ଦାସ ଯଶୋବନ୍ତଙ୍କ ନିଜ ଶିଷ୍ୟ ଥିଲେ । ଏହି ଗ୍ରନ୍ଥରେ ଯଶୋବନ୍ତଙ୍କ ବିଷୟରେ ବହୁ ବିସ୍ମୟକାରୀ କିମ୍ବଦନ୍ତୀ ରହିଛି ।ଯଶୋବନ୍ତ ଙ୍କ ପିତା ଜଣେ ଦରିଦ୍ର ବ୍ୟକ୍ତିଥିଲେ । ଦାରିଦ୍ର୍ୟ ଯୋଗୁଁ ସେ ବାଧ୍ୟ ହୋଇ ଥରେ ଧାନ ଚୋରି କରିଥିଲେ । ଚୋରି କଲାବେଳେ ଅଢ଼ଙ୍ଗଗଡ଼ର ସାମନ୍ତରାଜା ରଘୁରାମ ଚ଼ମ୍ପପତିରାୟ ତାଙ୍କୁ ଦେଖି ଦେଇଥିଲେ । ରଘୁରାମ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଜଗନ୍ନାଥଙ୍କୁ ଆକୁଳ ହୋଇ ବିନତି କଲେ । ଜଗନ୍ନାଥ ତାଙ୍କ ଡାକ ଶୁଣି ଯଶୋବନ୍ତଙ୍କ ଶରୀରରେ ପ୍ରକାଶିତ ହେଲେ । ଏହି ଦୃଶ୍ୟକୁ ରଘୁରାମ ହିଁ ଦେଖିପାରି ଥିଲେ । ଏହା ଦେଖିଲାପରେ ରଘୁରାମ ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଯଶୋବନ୍ତଙ୍କ ଶିଷ୍ୟ ହୋଇଗଲେ ।ଏହି କିମ୍ବଦନ୍ତୀ ଭଳି ଅନ୍ୟଏକ କଥାମଧ୍ୟ। ଶୁଣାଯାଏ ।

ତାହା ହେଉଛି ବାରବର୍ଷ ବୟସରୁ ଯଶୋବନ୍ତ ସଂସାର ପ୍ରତି ଉଦାସୀନ ଥିଲେ । ଏହାପରେ ସେ ବହୁତବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ ‘ଦାସ’ ଉପାଧି ଗ୍ରହଣ କରିଥିଲେ ।

ଚୈତନ୍ୟ ମହାପ୍ରଭୁଙ୍କ ସହ ଭେଟ:- ଯଶୋବନ୍ତ ଚୈତନ୍ୟ ମହାପ୍ରଭୁଙ୍କ ସଂକୀର୍ତ୍ତନ ମଣ୍ଡଳୀଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟାବ୍ଦ ୧୫୦୯ରେ ପୁରୀ ଆସିଥିଲେ।ଓଡ଼ିଶାରେ ଚୈତନ୍ୟ ମହାପ୍ରଭୁଙ୍କ ଅବସ୍ଥାନ ସମୟରେ ଯଶୋବନ୍ତ ତାଙ୍କ ସଂସ୍ପର୍ଶରେ ଆସିଥିଲେ। ପୁରୀରେ ସେ ଦୀକ୍ଷାନେଇ ନିଜଗ୍ରାମ ଅଢ଼ଙ୍ଗକୁ ଫେରି ଆସିଥିଲେ ।

ସେତେବେଳେ ଅଢ଼ଙ୍ଗଗଡ଼ର ସାମନ୍ତ ରାଜା ଥିଲେ ରଘୁରାମ ଚମ୍ପପତି ରାୟ । ରଘୁରାମଙ୍କ ଭଗିନୀ ଅଞ୍ଜନା ଦେବୀଙ୍କ ସହ ଯଶୋବନ୍ତଙ୍କ ବିବାହ ହୋଇଥିଲା । କେତେକଙ୍କ ମତରେ ସଂସାର ପ୍ରତି ଯଶୋବନ୍ତଙ୍କ ବୀତସ୍ପୃହତା ଦେଖି ତାଙ୍କ ବାପା ମା ତାଙ୍କୁ ବିବାହିତ କରିଥିଲେ ।ରଘୁରାମ ଯଶୋବନ୍ତ ଙ୍କ ପାଇଁ ଗୋଟିଏ ସୁନ୍ଦରମଠ ନିର୍ମାଣ କରି ମଠର ପରିଚାଳନା ନିମନ୍ତେ ବହୁସମ୍ପତ୍ତି ଖଞ୍ଜିଥିଲେ । ଏ ମଠ ବର୍ତ୍ତମାନ ସୁଦ୍ଧା ଯଶୋବନ୍ତ ଦାସଙ୍କ ଉତ୍ତରାଧି -କାରୀ ମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଛି ।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଶୋବନ୍ତ ଦାସଙ୍କର ୭୫୦ ଶିଷ୍ୟ ଥିଲେ ବୋଲି ଶୁଣାଯାଏ ।ଯଶୋବନ୍ତ ଜଣେ ସିଦ୍ଧ ବୈଷ୍ଣବ ଥିଲେ । ଏଣୁ ଯଶୋବନ୍ତଙ୍କ ଜୀବନ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଶୁଣାଯାଏ ।

ଜନଶ୍ରୁତିରୁ ଶୁଣାଯାଏ ଯେ ଥରେ ଯଶୋବନ୍ତ କେତେକ ଶିଷ୍ୟଙ୍କ ସହିତ ପୁରୀ ଅଭିମୁଖରେ ଯାତ୍ରା କରୁଥିଲେ । ପଥ ମଧ୍ୟରେ ଏକ ବ୍ରହ୍ମରାକ୍ଷସ ସହ ସେମାନଙ୍କ ଭେଟ ହେଲା । ବ୍ରହ୍ମରାକ୍ଷସ ତାହାର ପୈଶାଚିକୀ ଲୀଳା ସାଧନା କରିବାକୁ ଗଲାବେଳେ ଯଶୋବନ୍ତ ନିଜ ଯୋଗ ପ୍ରଭାବରେ ଆଶାବାଡ଼ିରେ ତାହାକୁ ପଥ ଦେଖାଇ ଆଗେ ଆଗେ ଚାଲିବାକୁ ଉପଦେଶ ଦେଲେ । ଏହା ପରେ ରାକ୍ଷସ ଆଉ କୌଣସି ଅତ୍ୟାଚାରର ପ୍ରଚେଷ୍ଟା ନ କରି ଶାନ୍ତ ଶିଷ୍ଟ ଭାବରେ ଚାଲିଲା । ବ୍ରହ୍ମରାକ୍ଷସ ଆସୁଥିବାର ଜାଣି ଜନସାଧାରଣ ଘର ଛାଡ଼ି ଚାରିଆଡ଼େ ଧାଇଁବାକୁ ଲାଗିଲେ । ଅଳ୍ପକାଳ ମଧ୍ୟରେ ଏ ଖବର ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବଙ୍କ ପାଖକୁ ପହଞ୍ଚିଲା । ରାଜା ଯଶୋବନ୍ତଙ୍କ ଦେଖି ବିସ୍ମିତ ହେଲେ ଓ ତାଙ୍କ ଅଭ୍ୟର୍ଥନା ଲାଗି ଅଠରନଳା ପାଖରେ ଆସିକି ନିଜେ ଘଟଣାଟିକୁ ଦେଖିଲେ । ଅଭର୍ଥନା ଶେଷରେ ଯଶୋବନ୍ତଙ୍କ ଅନୁରୋଧ କ୍ରମେ ରାଜା ରାକ୍ଷସଟିକୁ ଜଗନ୍ନାଥଙ୍କ ଗୁଣ୍ଡିଚା ବାଡ଼ିର ରକ୍ଷଣାବେକ୍ଷଣ ଭାର ପ୍ରଦାନ କଲେ । ସେହିଦିନଠାରୁ ସେ ରାକ୍ଷସଟି ସେଠାରେ ବାବନାଭୂତ ନାମ ଧାରଣ କରି ପୂଜା ପାଇ ଆସୁଅଛି ।

ଅନ୍ୟ ଏକ କିମ୍ବଦନ୍ତୀ ରହିଛି ଯେ ଯଶୋବନ୍ତ କେତେକ କାଳ ରଘୁରାମଙ୍କ ଅଧୀନରେ ଗ୍ରମ କଟୁଆଳ କାର୍ଯ୍ୟ ଗ୍ରହଣ କରିଥିଲେ । ସେହି ସମୟରେ ଥରେ ଦେଶରେ ଶସ୍ୟହାନି ଘଟି ଭୀଷଣ ଦୁର୍ଭିକ୍ଷ ହୋଇଥିଲା । ଏକଦା ତାଙ୍କର ସ୍ତ୍ରୀ ପାୟସାନ୍ନ ଭୋଜନ କରିବାକୁ ଇଚ୍ଛା କରିବାରୁ ଯଶୋବନ୍ତ ଗ୍ରାମବାସୀ ଜନୈକ କୃଷକର ଧାନ କିଆରୀରେ ପଶି ଧାନ ଚୋରି କଲେ । ପାଚିଲା ଧାନ ଛିଣ୍ଡାଇଲା ବେଳେ ସେ ଶୁଣିଲେ ଯେ ପ୍ରତ୍ୟେକ ଧାନଶିଁଷା ସତେ ଯେପରି ବିକଳରେ ‘ରାମ ରାମ’ ଡାକୁଅଛି । ସେହି ଶବ୍ଦରେ କୃଷକ ଜାଗ୍ରତ ହୋଇ ଯଶୋବନ୍ତଙ୍କୁ ଧରିଲା ଓ ରାଜକୀୟ ବିଚାରାଳୟକୁ ନେଲା । ସେଠାରେ ରାଜା ସମସ୍ତ ବୃତ୍ତାନ୍ତ ଶୁଣି ଯଶୋବନ୍ତଙ୍କୁ ଦୋଷୀ ବୋଲି ଗ୍ରହଣ କରି ଦୋଷ ଅନୁସାରେ ଦଣ୍ଡବିଧାନ କରିଥିଲେ ।
ସାଲବେଗଙ୍କ ସହ ଭେଟ:- ସୁଦର୍ଶନ ଦାସଙ୍କ ରଚିତ ଗ୍ରନ୍ଥ ‘ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା’ରେ ଲିଖିତ ଅଛି ଯେ ଥରେ ଯବନ କବି ସାଲବେଗ ବୈଷ୍ଣବ ଦୀକ୍ଷିତ ହୋଇସାରିବା ପରେ ଯଶୋବନ୍ତଙ୍କ ଶକ୍ତି ବିଷୟରେ ଶୁଣିଲେ ଓ ତାଙ୍କୁ ପରୀକ୍ଷା କରିବା ପାଇଁ ଚାହିଁଲେ । ତାଙ୍କ ପରୀକ୍ଷା ରେ ଯଶୋବନ୍ତ ଉତ୍ତୀର୍ଣ୍ଣ ହେବାରୁ ସେ ତାଙ୍କ ପାଦଧୂଳି ଗ୍ରହଣ କରିଥିଲେ ।

ଯଶୋବନ୍ତଙ୍କ ଦେହାବସାନ କେଉଁ ବର୍ଷରେ ହୋଇଥିଲା ଏହା ଜାଣିବାପାଇଁ କିଛି ଉପାଦାନ ମିଳୁନାହିଁ ।ସେ ମାଘମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତିରେ ରହିଛି । ତାଙ୍କ ତିରୋଧାନ ଦିବସରେ ଅଢ଼ଙ୍ଗରେ ଗୋଟିଏ ବଡ଼ ମେଳା ଅନୁଷ୍ଠିତ ହୁଏ ।

ଯଶୋବନ୍ତଙ୍କ ସାହିତ୍ୟିକ କୃତି:- ଯଶୋବନ୍ତଙ୍କ ରଚିତ ଭଜନଗୁଡ଼ିକ ବ୍ରହ୍ମଜ୍ଞାନମୂଳକ । ଏଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏଗୁଡ଼ିକ ଓଡ଼ିଶାରେ ଗ୍ରାମେଗ୍ରାମେ ପ୍ରସିଦ୍ଧ । ଓଡ଼ିଆ ସାହିତ୍ୟରେ ଗାଥା କବିତା ଗୋଟିଏ ପ୍ରକାର କବିତା ଯେଉଁଥିରେ କୌଣସି ପୌରାଣିକ ଗାଥାକୁ ଗୀତିକବିତା ମାଧ୍ୟମ ରେ କୁହାଯାଏ।ଯଶୋବନ୍ତ ଦାସଙ୍କ ‘ଗୋବିନ୍ଦଚନ୍ଦ୍ର’ ଏହି ଶ୍ରେଣୀର ପ୍ରଥମ ରଚନା ବୋଲି କେତେଜଣ ଙ୍କ ମତ ରହିଛି।ଏହା ବଙ୍ଗଦେଶର ରାଜା ଗୋବିନ୍ଦ ଚନ୍ଦ୍ରଙ୍କ ଉପରେ ଆଧାରିତ। ଗୋବିନ୍ଦଚନ୍ଦ୍ରଙ୍କ ମାତା ମୁକୁତା ଦେଈ ହାଡ଼ିପାଙ୍କୁ ନିଜ ପୁତ୍ରର ଗୁରୁ କରାଇ ତାଙ୍କୁ ବ୍ରହ୍ମଜ୍ଞାନ ପ୍ରାପ୍ତି କରିବାକୁ ଉପଦେଶ ଦିଅନ୍ତି ଯଦ୍ୱାରା ତାଙ୍କ ଅକାଳମୃତ୍ୟୁ ଟଳିଯାଏ।ଯଶୋବନ୍ତ ଙ୍କ ପରେ ଏହି ବିଷୟରେ ଦୁଇଜଣ ଅଷ୍ଟାଦଶ ଶତାବ୍ଦୀର କବି ମଧ୍ୟ ରଚନା କରିଛନ୍ତି ।ସାହିତ୍ୟିକ ଦୃଷ୍ଟିକୋଣରୁ ଖୁବ ମୂଲ୍ୟବାନ ।ଏହା ଅନୁସରଣ ରେ ଟୀକାଗୋବିନ୍ଦ ଚନ୍ଦ୍ର ରଚିତ ।

ଶିବସ୍ୱରୋଦୟ:-ଏହାଏକ ଶୈବତାନ୍ତ୍ରିକ ଗ୍ରନ୍ଥର “ସ୍ୱରୋଦୟଲେଶ”ର ଅନୁବାଦ ଅଟେ। ଶିବ- ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ।ମୂଳ ଗ୍ରନ୍ଥପରି ଏହା ମଧ୍ୟ ୨୧ ଅଧ୍ୟାୟ ବିଶିଷ୍ଟ।ସମଗ୍ର ଗ୍ରନ୍ଥର ପଦ ସଂଖ୍ୟା ୪୭୫ । ସ୍ୱରର-ପ୍ରଶଂସା,ନାଡୀଜ୍ଞାନ,ନାଡି ଚାଳନାର ଫଳା- ଫଳ,ପ୍ରାଣାଦି ବାୟୁରତତ୍ତ୍ୱ ନିରୂପଣ,ସ୍ତ୍ରୀବଶୀକରଣ ଆଦି ଯୋଗସାଧନ ପ୍ରଣାଳୀ,ସ୍ୱରଜ୍ଞାନ ଆଦି ରଚିତ ।

ପ୍ରେମଭକ୍ତି ବ୍ରହ୍ମଗୀତା:- ଏଥିରେ ଶ୍ରୀକୃଷ୍ଣ ରାଧା ଓ ଅର୍ଜ୍ଜୁନଙ୍କୁ ଯୋଗମାର୍ଗ ବିଷୟରେ କହନ୍ତି । ପ୍ରେମ ଓ ଭକ୍ତିର ଏକ ସମନ୍ୱୟ । ବିଷୟବସ୍ତୁ ଆରମ୍ଭରେ ସୃଷ୍ଟିକ୍ରିୟା ବିବରଣୀ ପ୍ରଦତ୍ତ । ରାଧାକୃଷ୍ନଙ୍କ ଜନ୍ମ, ଯୁଗଳରୂପ, ନିତ୍ୟରାସ, ଜୀବ-ପରମ ବିହାର, ଶରୀର ମଧ୍ୟସ୍ଥ ସପ୍ତାବରଣତତ୍ତ୍ୱ, ଶ୍ରୀକ୍ଷେତ୍ର ମହିମା ଆଦି ବର୍ଣ୍ଣନା କରଯାଉଛି। ପାଞ୍ଚଟି ଅଧ୍ୟାୟରେ ସମାପ୍ତ ଓ ନବାକ୍ଷରୀ ବା ଗୁଜ୍ଜରୀ ବୃତ୍ତରେ ରଚିତ ।