ପବିତ୍ର ମୋହିନୀ ଏକାଦଶୀ ( ବଡ଼ ଏକାଦଶୀ ), ଏହିବ୍ରତ କରି ଭଗବାନ ଶ୍ରୀରାମଚନ୍ଦ୍ର ସମସ୍ତ ଦୁଃଖରୁ ନିସ୍ତାର ପାଇଥିଲେ | News Room Odisha

ପବିତ୍ର ମୋହିନୀ ଏକାଦଶୀ ( ବଡ଼ ଏକାଦଶୀ ), ଏହିବ୍ରତ କରି ଭଗବାନ ଶ୍ରୀରାମଚନ୍ଦ୍ର ସମସ୍ତ ଦୁଃଖରୁ ନିସ୍ତାର ପାଇଥିଲେ

ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀକୁ ମୋହିନୀ ଏକାଦଶୀ ଭାବେ ପାଳନ କରାଯାଏ।ପ୍ରଭୁଶ୍ରୀରାମ ଗୁରୁଦେବ ବଶିଷ୍ଠଙ୍କୁ ପଚାରିଲେ -ଗୁରୁଦେବ, ଏମିତି ଏକ ବ୍ରତ କୁହନ୍ତୁ ଯେଉଁଠିରେ ସମସ୍ତ ପାପ ଏବଂ ଦୁଃଖ ଦୂର ହୋଇପାରିବ।ସୀତାଙ୍କ ବିୟୋଗ ରେ ମୁଁ ବହୁତଦୁଃଖ ଭୋଗ କରୁଛି ।ଏହା ଶୁଣି ଗୁରୁବଶିଷ୍ଠ କହିଲେ ଆପଣ ଉଚିତ୍‌ ପ୍ରଶ୍ନଟିଏ ପଚାରିଛ । ଆପଣଙ୍କ ନାମ ସ୍ମରଣ କରି ମନୁଷ୍ୟ ପବିତ୍ର ଏବଂ ଶୁଦ୍ଧ ହୋଇଯାଇଥାଏ।ଏହା ଲୋକ ହିତ ପାଇଁ ସବୁଠୁଭଲ । ମୋହିନୀ ଏକାଦଶୀ ବ୍ରତ କରିବାଦ୍ୱାରା ମନୁଷ୍ୟର ସମସ୍ତ ପାପ ତଥା ଦୁଃଖ ଦୂର ହୋଇଥାଏ ।ତେବେ ଶୁଣ ଏହାର ମାହାତ୍ମ୍ୟ

ଏକଦା ସରସ୍ୱତୀ ନଦୀ ତଟରେ ଭଦ୍ରାବତୀ ନାମକ ନଗରୀରେ ଧୁତିନାମ ନାମକ ଚନ୍ଦ୍ରବଂଶୀ ରାଜା ଶାସନ କରୁଥିଲେ । ଧନସମ୍ପଦରେ ପୂର୍ଣ୍ଣ ଏବଂ ପୁଣ୍ୟବାନ ଧନପାଳ ନାମକ ବୈଶ୍ୟ ଅତ୍ୟନ୍ତ ଧର୍ମାଳୁ ଏବଂ ବିଷ୍ଣୁଭକ୍ତ ଥିଲେ। ସେ ନଗରରେ ଅନେକ ଭୋଜନାଳୟ,କୂପ,ସରୋବର,ଧର୍ମଶାଳା ଆଦି ନିର୍ମାଣ କରିଥିଲେ । ରାସ୍ତାରେ ଆମ୍ବ, ଜାମୁ, ନିମ ଆଦି ଅନେକ ବୃକ୍ଷରୋପଣ କରିଥିଲେ । ତାଙ୍କର ୫ଟିପୁତ୍ର ଯଥା- ସୁମନ, ସୁଦ୍‌ବୁଦ୍ଧି, ମେଧାବୀ, ସୁକୃତ ଏବଂ ଧୃଷ୍ଟବୃଦ୍ଧି ଥିଲେ । ଏହି ପାଞ୍ଚ ପୁତ୍ର ମଧ୍ୟରୁ ଧୃଷ୍ଟବୃଦ୍ଧି ମହାପାପୀ ଥିଲା।ସେ କାହାରିକୁ ତଥା ନିଜ ପିତୃପୁରୁଷଙ୍କୁ ମଧ୍ୟ ମାନୁ ନଥିଲା । ବେଶ୍ୟା, ଦୁରାଚାରୀ ମନୁଷ୍ୟଙ୍କ ସଂସ୍ପର୍ଶରେ ରହି ସେ ପଶାପାଲି ଖେଳିବା, ଅନ୍ୟ ନାରୀଙ୍କ ସହ ବିଳାସ କରିବା ତଥା ମଦ୍ୟମାଂସ ସେବନ କରୁଥିଲା । ତା’ର ଏହି କୁକର୍ମ ପାଇଁ ପିତାଙ୍କ ଧନକୁ ନଷ୍ଟ କରିବାକୁ ଲାଗିଲା । ଏହା ଦେଖି ପିତା ଶଙ୍କିତ ହୋଇ ତାଙ୍କୁ ଘରୁ ବିତାଡିତ କରିଦେଲେ । ଘରୁ ବାହାରିବା ପରେ ଧୃଷ୍ଟବୃଦ୍ଧି ନିଜର ଗହଣା ଓ ବସ୍ତ୍ର ବିକ୍ରି କରି ଚଳିବାକୁ ଲାଗିଲା । ଯେବେ ତା’ର ସମସ୍ତ ଧନ ସରିଗଲା, ଦୁରାଚାରୀ ସାଥୀମାନେ ତାକୁ ଏକୁଟିଆ କରି ଛାଡ଼ି ପଳାଇଲେ।ଧୃଷ୍ଟବୃଦ୍ଧି ଭୋକଶୋଷରେ ଦିନ କାଟିବା ସହ ଦୁଃଖରେ ଜୀବନ କାଟିବାକୁ ଲାଗିଲା ।ଶେଷରେ ସେ ଚୋରି କରିବାକୁଲାଗିଲା । ଚୋରି କରୁଥିବାବେଳେ ସେ ଧରାପଡ଼ିଲା କିନ୍ତୁ ବୈଶ୍ୟଙ୍କ ପୁତ୍ର ବୋଲି ତାକୁ ଲୋକମାନେ ଛାଡ଼ିଦେଲେ। କିନ୍ତୁ ସେ ତା’ର ଚୋରି କାମ ଛାଡ଼ି ନଥିଲା । ଯାହାଫଳରେ ସେ ଧରାପଡ଼ି କାରାଗାର ରେ ରହିବ ପାଇଁ ରାଜା ଆଦେଶ ଦେଲେ । ସେ କାରାଗାରରେ ରହି ଜୀବନଯାପନ କରିବାକୁ ଲାଗିଲା । ରାଜା ତାଙ୍କୁ ଶେଷରେ ନଗର ତ୍ୟାଗ କରିବାକୁ ପାଇଁ ନିର୍ଦ୍ଦେଶ ଦେଲେ । ସେ ନଗରୀରୁ ପଳାୟନ କରି ବନରେ ରହିବାକୁ ଲାଗିଲା। ବନ ରେ ସେ ପଶୁପକ୍ଷୀଙ୍କୁ ମାରି ଖାଇବାକୁ ଲାଗିଲା । ଥରେ ସେ ଭୋକରେ ବ୍ୟଥିତ ହୋଇ ଖାଇବା ପାଇଁ ଘୂରିବୁଲିଲା । ଘୂରିଥିବା ବେଳେ କୌଣ୍ଡିନ୍ୟ ଋଷିଙ୍କ ଆଶ୍ରମରେ ପହଞ୍ଚିଲା । ସେହିଦିନ ବୈଶାଖ ମାସଥିଲା । ଋଷି କୌଣ୍ଡିନ୍ୟ ନଦୀରୁ ସ୍ନାନ କରି ଫେରୁଥିବା ବେଳେ ତାଙ୍କ ଓଦା ବସ୍ତ୍ରରୁ କିଛି ବୁନ୍ଦା ପାଣି ଧୃଷ୍ଟବୃଦ୍ଧି ଉପରେ ପଡ଼ିଯିବା ଫଳରେ ତା’ମନରେ ସଦ୍‌ବୁଦ୍ଧି ପ୍ରାପ୍ତ ହେଲା । ସେ କୌଣ୍ଡିନ୍ୟ ମୁନିଙ୍କୁ ପ୍ରଣାମ କରି କହିଲା ହେ ମୁନି ! ମୁଁ ମୋ ଜୀବନରେ ଅନେକ ପାପ କରିଛି । ଏହି ପାପରୁ ମୁକ୍ତି ହେବା ପାଇଁ ଉପାୟ କୁହନ୍ତୁ । ଏହା ଶୁଣି ମୁନିକହିଲେ ବୈଶାଖ ଶୁକ୍ଳ ମୋହିନୀ ଏକାଦଶୀ ବ୍ରତ କର, ତୁମର ସମସ୍ତ ପାପ ନଷ୍ଟ ହୋଇଯିବ ।

ମୁନିଙ୍କବଚନରେ ସେ ବ୍ରତକଲା । ବ୍ରତ କରିବା ଦ୍ୱାରା ତା’ର ସମସ୍ତ ପାପ ଦୂରହେଲା ଓ ଶେଷରେ ସେ ଗରୁଡ଼ ଉପରେ ବସି ବିଷ୍ଣୁଲୋକକୁ ଗମନ କଲା । ଏହି ବ୍ରତଦ୍ୱାରା ମୋହ ଆଦି ସମସ୍ତ ପାପ ନଷ୍ଟ ହୋଇଯାଇଥାଏ । ଏହାର ମହାତ୍ମ୍ୟକୁ ପଠନ କରିବା ତଥା ଶ୍ରବଣ କରିବାଦ୍ୱାରା ଗୋଟିଏ ହଜାର ଗୋଦାନର ଫଳ ପ୍ରାପ୍ତ ହୋଇଥାଏ ।