ଓପିଟିସିଏଲ ଡିଜିଏମ ଲାଞ୍ଚ ମାମଲାରେ ରାୟ : ଦୋଷୀ ସାବ୍ୟସ୍ତ ଡିଜିଏମଙ୍କୁ ୫ ବର୍ଷ ଜେଲ | News Room Odisha

ଓପିଟିସିଏଲ ଡିଜିଏମ ଲାଞ୍ଚ ମାମଲାରେ ରାୟ : ଦୋଷୀ ସାବ୍ୟସ୍ତ ଡିଜିଏମଙ୍କୁ ୫ ବର୍ଷ ଜେଲ

ବାରିପଦା- ଗାଡି ଭଡ଼ା ପାସ୍ କରାଇବାକୁ ଓପିଟିସିଏଲ ଡିଜିଏମ ଲାଞ୍ଚ ନେବା ମାମଲାର ରାୟ ଆଜି ପ୍ରକାଶ ପାଇଛି। ବାରିପଦାର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ଡକ୍ଟର ପ୍ରସନ୍ନ କୁମାର ପଣ୍ଡା, ଦୋଷୀ ସାବ୍ୟସ୍ତ ଓପିଟିସିଏଲ ଡିଜିଏମ୍ ଯଶୋବନ୍ତ ନାରାୟଣ ଚୌଧୁରୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦେବା ସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ଅଧିକ ଗୋଟିଏ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ବାରିପଦାରେ ଥିବା ଓପିଟିସିଏଲ କାର୍ଯ୍ୟାଳୟରେ କାର୍ତ୍ତିକେଶ୍ବର ଦତ୍ତଙ୍କ ଭଉଣୀର ଏକ ବୋଲେରୋ ଗାଡି ଭଡା ସୁତ୍ରରେ ଲାଗିଥିଲା। କାର୍ତ୍ତିକେଶ୍ବର ଗାଡି କଥା ବୁଝାବୁଝି କରୁଥିଲେ। ଗତ ୨୦୧୭ ମସିହା ଅଗଷ୍ଟ ଓ ସେପ୍ଟେମ୍ବର ଦୁଇ ମାସର ଗାଡି ଭଡ଼ା ୪୫ ହଜାର ଟଙ୍କା ପାସ କରିବାକୁ ସେ ତତ୍କାଳୀନ ତଥା ବର୍ତ୍ତମାନ ଭୁବନେଶ୍ବରରେ କାର୍ଯ୍ୟରତ ଡିଜିଏମ୍ ଯଶୋବନ୍ତ ନାରାୟଣ ଚୌଧୁରୀଙ୍କୁ ବହୁବାର କହିଥିଲେ। ତେବେ ଏଥିପାଇଁ ଚୌଧୁରୀ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ୩ ହଜାର ଟଙ୍କା ଦେବାକୁ କାର୍ତ୍ତିକେଶ୍ବର ରାଜି ହେବା ସହ ଘଟଣା ସମ୍ପର୍କରେ ଭିଜିଲାନସ୍ ଏସପିଙ୍କୁ ଜଣାଇଥିଲେ।