ପ୍ରାଚୀନଦୀ କୂଳରେ ବିରାଜମାନ କରିଛନ୍ତି ସ୍ୱୟଂଭୁ ଭୋଗଦବିନାୟକ  | News Room Odisha

ପ୍ରାଚୀନଦୀ କୂଳରେ ବିରାଜମାନ କରିଛନ୍ତି ସ୍ୱୟଂଭୁ ଭୋଗଦବିନାୟକ 

ପ୍ରାଚୀ ଅବବାହିକାରେ କେତେ ଯେ ଦେବଦେବୀ ପୀଠ ରହିଛି ତାର କଳନା ନାହିଁ। ପୁଣ୍ୟତୋୟା ପ୍ରାଚୀ ଯେ ଖାଲି ଗିରିସୂତା ପରାଶକ୍ତି ବା ମହାଦେବ ଅଥବା ମାଧବ ଉପାସନାର କେନ୍ଦ୍ର ଥିଲା ତାହାନୁହେଁ । ଅପିତୁ ଗାଣପତ୍ଯ ଉପାସନାର ମଧ୍ଯ ମହାନ କେନ୍ଦ୍ର ଥିଲା। ଏଥିମଧ୍ୟରୁ ଅନ୍ଯତମ ହେଲା ଭୋଗବିନାୟକ ପୀଠ ଯାହା ପୁରୀ ଜିଲ୍ଲା କାକଟପୁର ତହସିଲ ଅନ୍ତର୍ଗତ ନଇଗୁଆଁ ରେ ଅବସ୍ଥିତ ।

କିମ୍ବଦନ୍ତୀ ଅନୁସାରେ ଭଗବାନ ଭୋଗଦ ବିନାୟକ ଏଠାକାର ଜଙ୍ଗଲରେ ଆବିର୍ଭାବ ହୋଇ ୠଷି ବିଶ୍ଵାମିତ୍ରଙ୍କୁ ଦର୍ଶନ ଦେଇଥିଲେ । ଏବେବି ଅନତିଦୂରରେ ବିଶ୍ଵାମିତ୍ର ଆଶ୍ରମ ଅବସ୍ଥିତ । ପରେ କାଳକ୍ରମେ ପ୍ରଭୁ କାଠୁରିଆ ମାନଙ୍କ ଦ୍ବାରା ପୂଜାପାଉଥିଲେ।

ପରେ ଗଙ୍ଗବଂଶୀ ରାଜା କାମାର୍ଣ୍ଣବ ଦେବ ଏଠାରେ ଦେଉଳ ତୋଳାଇଥିଲେ ଓ ବିନାୟକ ପୁର ଶାସନ ବସାଇଥିଲେ। ଏହିପରି ଭାବରେ ଏଠାରେ ପ୍ରଭୁ ପୂଜା ପାଉଥିଲେ। ବ୍ରିଟିଶ ଶାସନ କାଳରେ ମୂଳ ଭୋଗଦ ବିନାୟକ ଚୋରି ହୋଇ ଯିବାରୁ ଅଧୁନା ତାଙ୍କର ସିଂହାସନ ରେ ହାତୀ ପ୍ରତିମାରେ ଗଣପତିଙ୍କର ପୂଜା କରାଯାଉଛି।

ଗୀତାପ୍ରେସ ଗୋରଖପୁର ପ୍ରକାଶିତ “ଶ୍ରୀ ଗଣେଶ ଅଙ୍କ ” ରେ ଉତ୍କଳର ଗଣପତି ମନ୍ଦିର ବିଷୟ ମଧ୍ୟରେ ଏହି ଭୋଗଦବିନାୟକ ପୀଠ ନଇଗୁଆଁ ବିଷୟରେ ଅଧିକ ସୂଚନା ପାଇବାକୁ ମିଳେ।

ବିନାୟକପୁର ଶାସନ ଗ୍ରାମର ସବୁ ପୂଜା ପର୍ବ ପର୍ବାଣୀ ରେ ପ୍ରଭୁ ବିନାୟକ ଙ୍କୁ ସର୍ବପ୍ରଥମେ ପୂଜା କରାଯାଇଥାଏ। ଭାଦ୍ରମାସ ଶୁକ୍ଳ ଚତୁର୍ଥୀ ସିଦ୍ଧିବିନାୟକ ବ୍ରତ ଓ ମାଘ ଶୁକ୍ଳ ଚତୁର୍ଥୀ ବରଦ ବିନାୟକ ବ୍ରତ ଦୁଇଟି ଏଠାକାର ମୁଖ୍ଯ ପର୍ବ। ମାଘଶୁକ୍ଳ ଚତୁର୍ଥୀ ରେ ଏଠାରେ ଯଜ୍ଞ ଅନୁଷ୍ଠିତ ହୁଏ।

ଏହି ବିନାୟକ ଅତ୍ୟନ୍ତ ପ୍ରତ୍ୟକ୍ଷ ହୋଇଥିବାରୁ ଭକ୍ତଙ୍କ ସମସ୍ତ ମନବାଞ୍ଛା ଅଚିରେ ପୂର୍ଣ୍ଣ ହୋଇଥାଏ। ତେଣୁ ବର୍ଷ ତମାମ ପ୍ରଭୁଙ୍କ ପାଖରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୁଏ। ଓଡ଼ିଶାର ଏପରି ଏକ ଦିବ୍ୟ ମନ୍ଦିର ଲୋକ ଲୋଚନ ର ଆଢୁଆଳରେ ରହିଯାଉଥିବାର ସ୍ଥାନୀୟ ଜନ ସାଧାରଣ ସହିତ ପର୍ଯ୍ୟଟନ ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ନିହାତି ଆବଶ୍ୟକ।