ରାଜ୍ୟରେ ଦୁଇଟି ସୋପାନରେ ରାଜ୍ୟ ସଭା ନିର୍ବାଚନ | News Room Odisha

ରାଜ୍ୟରେ ଦୁଇଟି ସୋପାନରେ ରାଜ୍ୟ ସଭା ନିର୍ବାଚନ

ଭୁବନେଶ୍ବର – ରାଜ୍ୟସଭା ନିର୍ବାଚନ ଓ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ ଦୁଇଟି ସୋପାନରେ ହେବ। ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌.ଭାସ୍କର ରାଓ ଏବଂ ଡକ୍ଟର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଛି। ଏହି ତିନି ଆସନରେ ନିର୍ବାଚନ ପାଇଁ ଆସନ୍ତା ୨୪ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମେ ୩୧ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ, ଜୁନ ପହିଲାରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୩ରେ ପ୍ରତ୍ୟାହାର ତାରିଖ ଧାର୍ଯ୍ୟ ହୋଇଛି। ଜୁନ ୧୦ରେ ଭୋଟ ଗ୍ରହଣ କରାଯିବ। ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ମତଦାନ କରାଯାଇ ଅପରାହ୍ଣ ୫ଟାରେ ଗଣତି ପରେ ଫଳ ଘୋଷଣା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି। ସେହିଭଳି ରାଜ୍ୟସଭା ସଦସ୍ୟ ସୁବାସ ସିଂହ କଟକ ମେୟର ହେବା ପରେ ତାଙ୍କ ଆସନରେ ଉପନିର୍ବାଚନ ଜୁନ ୧୩ରେ ହେବ । ଜୁନ ୨ ଯାଏଁ ନାମାଙ୍କନପତ୍ର ଦାଖଲ, ୩ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୬ରେ ପ୍ରତ୍ୟାହାର ପରେ ୧୩ରେ ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଭୋଟ ଗ୍ରହଣ ହେବ । ସେହିଦିନ ଅପରାହ୍ଣ ୫ଟାରେ ଗଣତି ପରେ ଫଳ ଘୋଷଣା କରାଯିବ ବୋଲି ଲୋହାନୀ କହିଛନ୍ତି।