ଆଜି ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରାର ଅନ୍ତିମ ପର୍ବ ଭଉଁରୀ  | News Room Odisha

ଆଜି ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରାର ଅନ୍ତିମ ପର୍ବ ଭଉଁରୀ 

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ଦିନ ବ୍ୟାପି ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିବସରେ ଭଉଁରୀଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜି ପରମ୍ପରା ଅନୁଯାୟୀ ମଦନମୋହନ, ବଳରାମ, କୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଏବଂ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବେ। ଭଉଁରୀ ଦିନ ଦିନଚାପ ପରେ ଶ୍ରୀଜୀଉ ମାନେ ଶେଷଥର ପାଇଁ ଚନ୍ଦନ କୁଣ୍ଡରେ ଜଳକ୍ରୀଡ଼ା କରିବେ। ଏହାପରେ ଶ୍ରୀମଦନମୋହନ ଗଜ

ଉଦ୍ଧରଣ ବେଶରେ ସଜ୍ଜିତ ହେବାପରେ ଅନ୍ୟ ଦେବ ବିଗ୍ରହବୃନ୍ଦ ପୁଷ୍ପରାଜିରେ ସୁଶୋଭିତ ହେବେ। ଏହାପରେ ପୂଜାପଣ୍ଡା ସାମନ୍ତ ପଂଚଉପଚାର ରେ ଶ୍ରୀମନ୍ଦିର ଦ୍ୱାରା ପ୍ରସ୍ତୁତ ଛେନା ମାଣ୍ଡୁଅ ଭୋଗ କରାଯିବ। ଏହାପରେ ନାଟମଣ୍ଡପରେ ବିଡ଼ିଆ ଲାଗିପରେ ଶ୍ରୀଜୀଉ ମାନେ ରାତି ଚାପକୁ ବିଜେ କରିବେ। ରାତ୍ରିଚାପରେନନ୍ଦା ଓ ଭଦ୍ରା ଚାପ ଦ୍ୱୟ ପ୍ରତି କୂଳରେ ୭ଥର କରି ଚାରି କୂଳରେ ୨୧ ଘେରା ବୁଲିବେ। ଏହା ସହିତ ନରେନ୍ଦ୍ର ପୋଖରୀର ଦୀପଦାଣ୍ଡି ଚାରିପଟେ ମଧ୍ୟ ୨୧ ଘେରା ବୁଲିବେ। ଏହି ସମୟରେ ପୁରୀର କିଛି ମଠାଧିଶ ଚାମର ସେବା ପ୍ରଦାନ ସହିତ ପୁଷ୍ପବୃଷ୍ଟି କରାଯିବ। ବିଡିଆସେବକ ପ୍ରଭୁଙ୍କୁ ଚାପ ଉପରେ ବିଡିଆ ଲାଗି କରାଇବେ।ଠାକୁରମାନେ ନରେନ୍ଦ୍ର ପୋଖରୀରେ ୨୧ଘେରା ଚାପ ଖେଳିବା ପରେ ପୁନର୍ବାର ବାର୍ଣ୍ଣାଢ୍ୟ ଶୋଭା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରିବେ।

ପରମ୍ପରା ଅନୁଯାୟୀ ଭଉଁରୀଦିନ ସକାଳଧୂପ ହେବାପରେ ପୂଜାପଣ୍ଡାମାନେ ଶ୍ରୀଜୀଉମାନଙ୍କ ଆଜ୍ଞାମାଳଧରି ରଥଖଳାକୁ ବିଜେ କରିବେ । ସେଠାରେ ଶ୍ରୀଅଙ୍ଗଲାଗି ଏହି ଆଜ୍ଞାମାଳଗୁଡ଼ିକୁ ମହାରଣା ସେବକମାନେ ପାଇବାପରେ ନିର୍ମାଣାଧିନ ତିନିରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରାଯିବ ।

ଭଉଁରୀଯାତ୍ରା ପରଦିନ ଶ୍ରୀଜୀଉମାନଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହୋଇଥାଏ ।ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଚାପଡଙ୍ଗାକୁ ବିଜେକରି ହଳଦୀପାଣୀ ପିଚକାରୀ ଖେଳିବେ । ଏହିଦିନ ଉତ୍କଳ ରେ ସର୍ବତ୍ର ଭଉଁରୀଯାତ୍ରା ଅନୁଷ୍ଠିତ ହେବ।