ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆଜିଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ଗତ ଅକ୍ଷୟ ତୃତୀୟା ଠାରୁ କୃଷ୍ଣପକ୍ଷ ସପ୍ତମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଥିଲା ବାହାର ଚନ୍ଦନ। ଏହି ୨୧ଦିନ ବ୍ୟାପି ଉତ୍ସବରେ ଚଳନ୍ତି ବିଗ୍ରହ ନରେନ୍ଦ୍ର ପୁଷ୍କରିଣୀ ରେ ଚାପ ଖେଳିବା ସହ ଚନ୍ଦନ କୁଣ୍ଡରେ ଜଳକ୍ରୀଡ଼ା କରିଥିଲେ।ଭଉଁରୀ ପରେ ହଳଦୀ ପାଣି ଖେଳିବା ସହିତ ଶେଷ ହୋଇଛି ବାହାର ଚନ୍ଦନ ଯାତ୍ରା।
ପରବର୍ତ୍ତୀ ୨୧ ଦିନ ବ୍ୟାପି ଭିତର ଚନ୍ଦନ ଯାତ୍ରା ପାଳନ କରାଯିବ।ଏହି ଅବସରରେ ବାହାରଚନ୍ଦନ ଯାତ୍ରା ଭଳି ଆଲଟଲାଗି ଓ ଚନ୍ଦନଲାଗି ନୀତି ସମ୍ପନ୍ନ ହେବ। ଏଥି ମଧ୍ୟରୁ ଜ୍ଯେଷ୍ଠକୃଷ୍ଣ ଏକାଦଶୀ , ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ,
ଓ ରୁକ୍ମିଣୀହରଣ ଏକାଦଶୀରେ,ଶ୍ରୀମଦନ- ମୋହନ, ଶ୍ରୀଦେବୀ ଓ ଭୂଦେବୀ ରୋହିଣୀକୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ବିଜେକରିସେଠାରେ ସୁବାସିତ ଚନ୍ଦନ ଜଳକୁଣ୍ଡରେ ବିହାର କରିବେ।
ଶ୍ରୀମନ୍ଦିର ମୁକ୍ତିମଣ୍ଡପ ନିକଟରେ ୮ଫୁଟ ପ୍ରସ୍ଥ ଓ ୧୨ଫୁଟ ଦୈର୍ଘ୍ୟ ବିଶିଷ୍ଟ ‘ଚନ୍ଦନ ଘର’ ଅଛି । ସେଠାରେ ପ୍ରତ୍ୟେକ ଦିନ ଶ୍ରୀଜୀଉମାନଙ୍କ ଲାଗି ଚନ୍ଦନ ଘୋରାଯାଇଥାଏ । ଚନ୍ଦନ ଘୋରିବା ପାଇଁ ଚନ୍ଦନ ଘରେ ଥିବା ତିନୋଟି ଶିଳକୁ ଘୋଟୁଆରୀ ସେବକମାନେ ବ୍ୟବହାର କରିଥାନ୍ତି । ସମୁଦାୟ ସାତଜଣ ଘୋଟୁଆରୀ ଚନ୍ଦନ ଘୋରିଥାନ୍ତି। ସାଧାରଣ ଦିନମାନଙ୍କରେ ଘୋଟୁଆରୀ ସେବକ ମାନେ ପ୍ରାୟ ୪୪୨ଗ୍ରାମ ଓଜନର ଚନ୍ଦନକାଠ ଘୋରିଥାନ୍ତି। ତେବେ ଚନ୍ଦନ ଯାତ୍ରା ବେଳେ ପ୍ରାୟ ୧କିଲୋ ଓଜନର ଚନ୍ଦନ କାଠ ଘୋରିଥାନ୍ତି।
ସନ୍ଧ୍ୟାଧୂପର ଅନ୍ନଭୋଗ ଅର୍ପଣ ପରେ ଠାକୁର ମାନଙ୍କ ବେଶ ଓହ୍ଲାଇ ଦିଆଯାଇ ତିନିଠାକୁରଙ୍କ ବାହୁ ଓ ସନ୍ନିକଟ ଅଙ୍ଗଦେଶରେ ଚନ୍ଦନ ପ୍ରଲେପ କରାଯାଏ । ଜଗତର ତ୍ରିତାପ (ଆଧିଦୈବିକ, ଆଧିଭୌତିକ ଓ ଆଧ୍ୟାତ୍ମିକ) ହରଣ ନିମନ୍ତେ ଠାକୁରଙ୍କୁ ଚନ୍ଦନ ଲେପନ କରାଯାଇଥାଏ ସିଂହାରୀ ସେବକମାନେ ଠାକୁରଙ୍କ ଏହି ସେବା କରିଥାନ୍ତି
ପୌରାଣିକ ମତାନୁସାରେ ସତ୍ୟ ଯୁଗରେ ନୃସିଂହ ଦେବ ଏହି ଯାତ୍ରାର ଆୟୋଜନ କରିଥିଲେ । ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ପରେ ବିରାଟ ରାଜାଙ୍କ ନିକଟରେ ନିଜର ପ୍ରକୃତ ପରିଚୟ ପ୍ରଦାନ କରିଥିଲେ । ବିରାଟ ରାଜା ଶ୍ରୀକୃଷ୍ଣ ଓ ବଳରାମ ଙ୍କୁ ରାମକୃଷ୍ଣ ରୂପରେ ପଞ୍ଚୁପାଣ୍ଡବଙ୍କ ସହିତ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଇଚ୍ଛାପୂରଣ ପାଇଁ ସମ୍ମତ ହୋଇଥିଲେ । ଏହା ପରେ ଏକ ବିରାଟ ଜଳାଶୟ ସୃଷ୍ଟି କରାଯାଇ ଜଳ କେଳି ମଣ୍ଡପ ନିର୍ମାଣ କରାଯାଇଥିଲା । ଉପଲବ୍ୟ ଓ ବିଭାସ୍ତୁ ନଗରୀରେ ଏହିଉତ୍ସବ ସମ୍ପନ୍ନ ହୋଇଥିଲା । ସମ୍ଭବତଃ ଏହି କାରଣରୁ ମଦନମୋହନ, ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଜଳକ୍ରୀଡା ପାଇଁ ସରୋବରକୁ ଯାତ୍ରା କରିଥାନ୍ତି ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଏହି ଭିତର ଚନ୍ଦନ ଜ୍ୟେଷ୍ଠ ଶୁକ୍ଳ ରୁକ୍ମିଣୀ ହରଣ ଏକାଦଶୀ ଦିନ ସମାପ୍ତ ହେବ।