ଥାଇଲାଣ୍ଡରେ ଦୌଡ଼ିବେ ଗଞ୍ଜାମର ୨ ଖେଳାଳି, ସହଯୋଗ କଲା ପ୍ରଶାସନ ଓ ରୋଟାରୀ କ୍ଲବ୍ | News Room Odisha

ଥାଇଲାଣ୍ଡରେ ଦୌଡ଼ିବେ ଗଞ୍ଜାମର ୨ ଖେଳାଳି, ସହଯୋଗ କଲା ପ୍ରଶାସନ ଓ ରୋଟାରୀ କ୍ଲବ୍

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ଅନେକ କିଛି ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ଖେଳକୁଦର ବିକାଶ ପାଇଁ ଅନ୍ତର୍ଜାତୀୟମାନର ଭିତ୍ତିଭୂମିରୁ ଆରମ୍ଭ କରି ଖେଳାଳିଙ୍କୁ ଆର୍ଥିକ ପ୍ରୋତ୍ସାହନ, ନିଯୁକ୍ତି ଦେଇ ଆସିଛନ୍ତି। ଏଭଳି କ୍ଷେତ୍ରରେ ଯେତେବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜାଣିବାକୁ ପାଇଲା ଯେ ଦୁଇ ଜଣ ଯୁବ ଆଥଲେଟ୍ ବିଦେଶରେ ଖେଳିବା ସୁଯୋଗ ପାଇଛନ୍ତି, ହେଲେ ଅର୍ଥାଭାବ ବାଧକ ସାଜୁଛି, ସେତେବେଳେ ତୁରନ୍ତ ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ସେମାନଙ୍କ ସହାୟତା ପାଇଁ ଆଗେଇ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଯୁବ ନୀତି ଓ କ୍ରୀଡ଼ା ନୀତିକୁ ଆଧାର କରି ଆର୍ଥିକ ଦୁର୍ବଳ ପରିବାରର ଦୁଇ ଉଦୀୟମାନ କ୍ରୀଡ଼ାବିତ୍ ଯେପରି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇପାରିବେ ସେଥିପାଇଁ ସେମାନଙ୍କ ପ୍ରତି ସହଯୋଗର ହାତ ବଢ଼ାଇଛି ପ୍ରଶାସନ। ଏଥିସହ ରୋଟାରୀ କ୍ଲବ୍ କର୍ମକର୍ତ୍ତାମାନେ ମଧ୍ୟ ଦୁହିଁଙ୍କ ସହାୟତା କରିଛନ୍ତି। ଫଳତଃ ଥାଇଲାଣ୍ଡରେ ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଓପନ୍ ଇଣ୍ଟରନ୍ୟାସନାଲ ସ୍ପୋର୍ଟସ୍ ଚାମ୍ପିଅନସିପ୍‌ରେ ଅଂଶଗ୍ରହଣ ନେଇ ବ୍ରହ୍ମପୁର ଗୋସାଇଁନୂଆଗାଁର ଡି.ସନ୍ଦୀପ ପାତ୍ର ଓ କୁକୁଡ଼ାଖଣ୍ଡି ବ୍ଲକ୍ ମଦନମୋହନପୁର ଗ୍ରାମର ପଞ୍ଚାନନ ସେଠୀଙ୍କ ସ୍ବପ୍ନ ଏବେ ପୂରା ହେବାକୁ ଯାଉଛି।

ବ୍ରହ୍ମପୁର ସିଟି କଲେଜରେ ଯୁକ୍ତ ତିନି ଅଧ୍ୟୟନ ସାରିଛନ୍ତି ଦୁହେଁ। ସନ୍ଦୀପଙ୍କ ପିତା କ୍ଷୀର ବିକିଲେ ପରିବାର ପାଇଁ ଦୈନଦିନ ଖାଦ୍ୟର ଯୋଗାଡ଼ ହୁଏ। ପରିବାର କହିଲେ ପରିବାରରେ ବାପା, ମା’ ଓ ସାନ ଭାଇ। ସେହିପରି ପଞ୍ଚାନନଙ୍କ ବାପା ଲଣ୍ଡ୍ରି ବା ପୋଷାକ ଇସ୍ତ୍ରୀ କରି ପରିବାରର ଗୁଜରାଣ ମେଣ୍ଟାନ୍ତି। ବାପା, ମା’ ଓ ଦୁଇ ସାନ ଭଉଣୀଙ୍କୁ ନେଇ ତାଙ୍କ ପରିବାର। ହେଲେ ଦୁହିଁଙ୍କ ମଧ୍ୟରେ ଭରି ରହିଛି ଖେଳକୁଦର ବିଶେଷ ପ୍ରତିଭା। ବିଭିନ୍ନ କଷ୍ଟ, ବାଧକ ସତ୍ତ୍ୱେ କଠୋର ପରିଶ୍ରମ କରି ଦୁହେଁ ଖେଳକୁଦର ଅଭ୍ୟାସ କରି ଆସିଛନ୍ତି। ଅନେକ ସଫଳତା ମଧ୍ୟ ହାସଲ କରିଛନ୍ତି। ହେଲେ ଯେତେବେଳେ ସୁଦୂର ଥାଇଲାଣ୍ଡ୍ ଯାଇ ଜାତୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ସେମାନଙ୍କ ନିକଟରେ ଉପନୀତ ହେଲା ଗରିବ ପରିବାରର ଦୁଇ ଯୁବକଙ୍କ ସ୍ବପ୍ନ କିଭଳି ପୂରା ହେବ ତାହା ପ୍ରଶ୍ନବାଚୀ ଠିଆହେଲା। ଯେଉଁଠି ଦୈନିକ ପରିଶ୍ରମ କଲେ ପେଟ ପାଇଁ ଦାନା ଯୋଗାଡ଼ ହୁଏ ସେଠି ବହୁ ଅର୍ଥ ବ୍ୟୟରେ ବିଦେଶ ଯାତ୍ରା କିଭଳି ସମ୍ଭବପର ହୋଇପାରିବ ତାହା ପ୍ରଶ୍ନବାଚୀ ଥିଲା।

ଦୁଇ ଯୁବ, ଉଦୀୟମାନ କ୍ରୀଡ଼ାବିତ୍‌ଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ଖବର କୌଣସିମତେ ଜାଣିବାକୁ ପାଇଥିଲେ ବ୍ରହ୍ମପୁରର ଡେପୁଟୀ ମେୟର୍ ଇ.ବିବେକ ରେଡ୍ଡୀ। ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍‌ଙ୍କୁ ଏ ନେଇ ଅବଗତ କରାଇଥିଲେ ସେ। ବ୍ରହ୍ମପୁର ଉପଜିଲ୍ଲାପାଳ ଉଭୟଙ୍କୁ ରେଡକ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ତାଙ୍କରି ଆହ୍ବାନକ୍ରମେ ସହରର ବହୁ ବ୍ୟକ୍ତିବିଶେଷ ମଧ୍ୟ ଖେଳାଳି ଦ୍ଵୟଙ୍କୁ ଆର୍ଥିକ ସହାୟତା ପାଇଁ ଆଗେଇ ଆସିଛନ୍ତି। ରୋଟାରୀ କ୍ଲବ୍ ତରଫରୁ ମଧ୍ୟ ବେଶ୍ ମାତ୍ରାରେ ଆର୍ଥିକ ସହାୟତା ସହ ଖେଳାଳିଙ୍କ ସକାଶେ ବ୍ଲେଜର୍, ସୁଟ୍ ଓ କିଟ୍ ଯୋଗାଡ଼ କରି ପ୍ରଦାନ କରାଯାଇଥିଲା। ସହରର କିଛି ବୁଦ୍ଧିଜୀବି ଓ କ୍ରୀଡ଼ାପ୍ରେମୀ ମଧ୍ୟ ବ୍ୟକ୍ତିଗତ ଭାବେ ଏବଂ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରି ଦୁହିଁଙ୍କ ଥାଇଲାଣ୍ଡ ଗସ୍ତ ମାର୍ଗ ସୁଗମ କରିଥିଲେ। କ୍ରୀଡ଼ାବିତଙ୍କ ସହାୟତା ପାଇଁ ସମାଜର ବିଭିନ୍ନ ବର୍ଗ ସ୍ବେଚ୍ଛାକୃତ ଭାବେ ଆଗେଇ ଆସି ପ୍ରଶାସନ ସହ ହାତ ମିଳାଇଥିଲ।

ବ୍ରହ୍ମପୁର ଫିଜିକାଲ ଏକାଡେମୀର କୋଚ୍ ହାବିଲଦାର ସୀମାଞ୍ଚଳ ବାରିକଙ୍କ ଠାରୁ ତାଲିମ ଗ୍ରହଣ କରୁଛନ୍ତି ଡି.ସନ୍ଦୀପ ଓ ପଞ୍ଚାନନ। ଚଳିତବର୍ଷ ଜାନୁଆରୀ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଗୋଆର ମଡଗାଁଓ ଠାରେ ରୁରାଲ୍ ଗେମ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଜାତୀୟ ୟୁଥ୍ ଅଲିମ୍ପିକ୍‌। ସେଥିରେ ପଞ୍ଚାନନ ୪୦୦ ମିଟର ଓ ୮୦୦ ମିଟର ଦୌଡ଼ରେ ଶୀର୍ଷ ସ୍ଥାନ ପାଇଥିଲେ। ସନ୍ଦୀପ ୧୦୦ ଓ ୨୦୦ ମିଟର ରନିଂରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଦୁହେଁ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ଏଥିସହ ଥାଇଲାଣ୍ଡ ଓପନ୍ ଇଣ୍ଟରନ୍ୟାସନାଲ ପାଇଁ ଚୟନ ହୋଇଥିଲେ ସନ୍ଦୀପ, ପଞ୍ଚାନନ। ପ୍ରଶାସନ ଠାରୁ ସହାୟତା ପାଇବା ପରେ ଦୁହେଁ କୋଲକତା ଯାତ୍ରାରମ୍ଭ କରିଛନ୍ତି। ଆଜି ସକାଳେ ସେମାନେ ଯାତ୍ରାରମ୍ଭ କରିବା ଅବସରରେ ଡେପୁଟୀ ମେୟର, ସହକାରୀ ଜିଲ୍ଲାପାଳ, ରୋଟାରୀ କ୍ଲବ୍ କର୍ମକର୍ତ୍ତାମାନେ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। କୋଲକାତାରୁ ୨୫ ତାରିଖ ରାତିରେ ଥାଇଲାଣ୍ଡ ଯାତ୍ରା କରିବେ। ସେମାନଙ୍କ ଗତ ୭ ବର୍ଷର କଠୋର ପରିଶ୍ରମ ଏବେ ହୁଏତ ପଦକ ରୂପରେ ପୁଣି ଆମ ଦେଶ, ଆମ ରାଜ୍ୟକୁ ଫେରି ଆସିପାରେ। ତେବେ ଏଥିପାଇଁ ସହଯୋଗର ହାତ ବଢ଼ାଇ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ଏବଂ ରୋଟାରୀ କ୍ଲବ୍ ସାଧାରଣରେ ଉଚ୍ଚପ୍ରଶଂସିତ ହୋଇପାରିଛି।