ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ: ସହରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗିତାରେ କ୍ଷୀପ୍ର ଓ ବ୍ୟାପକ ରୂପାନ୍ତରଣ  | News Room Odisha

ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ: ସହରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗିତାରେ କ୍ଷୀପ୍ର ଓ ବ୍ୟାପକ ରୂପାନ୍ତରଣ 

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଜି. ମାଥିଭାତନନ୍ ବିଭାଗର Transformational Initiative ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ ।

ଏହିସବୁ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଉପଲବ୍‌ଧ ସାଧାରଣ ବୈଷୟିକ ଜ୍ଞାନର ପ୍ରୟୋଗ କରାଯାଇଥିବା ବେଳେ, ଗୋଷ୍ଠୀ ସହଭାଗୀତା ଜରିଆରେ କାର୍ଯ୍ୟକାରୀ କରାଯାଇଛି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଗରିବ ଲୋକଙ୍କ ସହଭାଗୀତା ଲୋକଙ୍କୁ ବିକାଶ ପ୍ରକ୍ରିୟା ସହିତ ଯୋଡିବା ସହିତ ସେମାନଙ୍କର ଜୀବନଜୀବିକାରେ ଉନ୍ନତି ଆଣିପାରିଛି ଏବଂ ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରେରଣା ଦେଇପାରିଛି । ଏ ରୂପାନ୍ତର ସମାଜର ତଳସ୍ତରରେ ବ୍ୟାପକ ପରିବର୍ତ୍ତନର ଅୟମାରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହିତ ସବୁ କାର୍ଯ୍ୟକ୍ରମରେ ସବୁ ବିଭାଗ ଏକ ଟିମ୍‌ ଭାବରେ କାମ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ ।

ଏହି ଉପସ୍ଥାପନା ଅନୁଯାୟୀ ରାଜ୍ୟର ୧୬ ପ୍ରତିଶତ ଜନସାଧାରଣ ସହରାଞ୍ଚଳରେ ବସବାସ କରନ୍ତି ଏବଂ ସେଥିମଧ୍ୟରୁ ୪୦ ପ୍ରତିଶତ ଅଞ୍ଚଳରେ ପିଇବା ପାଣିର ସୁବିଧା ନ ଥିଲା । ୪ ଲକ୍ଷ ଘରେ ଟଏଲେଟ୍‌ର ସୁବିଧା ମଧ୍ୟ ନଥିଲା।

କିନ୍ତୁ ଆମର ରୂପାନ୍ତର ଉପକ୍ରମ ଆରମ୍ଭ ହେବା ପରେ ଆଜି ରାଜ୍ୟର ୮୪ ପ୍ରତିଶତ ଘରେ ଶତପ୍ରତିଶତ ପାଇପ ପାଣିର ବ୍ୟବସ୍ଥା ହୋଇପାରିଛି । ପୂର୍ବରୁ ୩ ଲକ୍ଷ ଘରକୁ ପାଇପ ପାଣିର ସୁବିଧା ଥିବାବେଳେ, ବର୍ତ୍ତମାନ ୧୦ ଲକ୍ଷ ଘରକୁ ପାଇପ ପାଣିର ସୁବିଧା ଦିଆଯାଇପାରିଛି । ପୁରୀରେ Drink from Tap କାର୍ଯ୍ୟକ୍ରମ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ, ଏହା ବର୍ତ୍ତମାନ ରାଜ୍ୟର ୨୪ଟି ସହରରେ ଆରମ୍ଭ ହୋଇଛି। ଏଥିରେ ବସ୍ତି ଅଞ୍ଚଳକୁ ପ୍ରାଥମିକତା ଦିଆଯାଉଛି । ପାନୀୟ ଜଳ ଯୋଗାଣ ନୀତିରେ Tap waterକୁ ନାଗରିକମାନଙ୍କର ଏକ ଅଧିକାର ଭାବରେ ଗ୍ରହଣ କରାଯାଇଛି ।

ସେହିପରି ମଳମୁତ୍ର ଓ କଠିଜ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିପାରିଛି । ବର୍ତ୍ତମାନ ରାଜ୍ୟର ୧୦୦ଟି ସହରରେ ୧୦୩ଟି Seepage Treatment Plant ଦିନକୁ ୧୮୦୦ କିଲୋ ଲିଟର Faecal Sludge ବିଶୋଧନ କରାଯାଉଛି । ଏଥିରେ କମ୍ ଖର୍ଚ୍ଚରେ ସାଧାରଣ ଟେକ୍ନୋଲୋଜିର ପ୍ରୟୋଗରେ ଗୋଷ୍ଠୀ ସହଭାଗୀତାରେ ବ୍ୟାପକ ପରିବର୍ତ୍ତନ ଅଣାଯାଇ ପାରିଛି।

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ଜାଗା ଠାରୁ ଲୋକ ଅଧିକ ମୂଲ୍ୟବାନ । ପୂର୍ବରୁ ସହରାଞ୍ଚଳର ୧୭ ଲକ୍ଷ ବସ୍ତିବାସିନ୍ଦା ଅନେକ ଅବ୍ୟବସ୍ଥା ମଧ୍ୟରେ ରହୁଥିଲେ। ଜାଗା ମିଶନରେ ୪ ବର୍ଷ ମଧ୍ୟରେ ଏବେ ୧ ଲକ୍ଷ ୭୫ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଥିବା ବେଳେ, ୫୮୫ଟି ବସ୍ତିକୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ସେହିପରି ୧୫୪୦ ବସ୍ତିକୁ ଶତ ପ୍ରତିଶତ ପାନୀୟ ଜଳ ବ୍ୟବସ୍ଥା ଦିଆଯାଇଥିବାବେଳେ, ୧୦୭୫ଟି ବସ୍ତିକୁ ବିଜୁଳି ସୁବିଧା ଦିଆଯାଇଛି । ୫୮୯ଟି ବସ୍ତିରେ ଶତ ପ୍ରତିସତ ଟଏଲେଟ୍‌ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କର ଲୋକାଭିମୁଖୀ ଦୃଷ୍ଟିକୋଣରୁ ଏହି ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଏହା ବସ୍ତି ଲୋକଙ୍କର ସମ୍ମାନ ଓ ନାଗରିକ ଅଧିକାରର ସୁରକ୍ଷା କରିପାରିଛି।

ସେହିପରି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ‘ମୁକ୍ତା’ ଯୋଜନାରେ ରାଜ୍ୟ ବାହାରେ କାମ କରୁଥିବା ୫ ଲକ୍ଷ ଶ୍ରମିକଙ୍କୁ ଜୀବିକା ଯୋଗାଇ ଦିଆଯାଇଛି। ଏଥିରେ ଦୁଇ ହଜାର କୋଟି ଟଙ୍କା ବିନିଯୋଗରେ ୨୨,୫୦୦ଟି ପ୍ରକଳ୍ପ କରାଯାଇଛି । ୧୫ ହଜାର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାମ ତଦାରଖ କରିବାକୁ ଦାୟିତ୍ବ ଦିଆଯାଇଛି । ଗୋଷ୍ଠୀ ସହଭାଗୀତାର ଏହା ଏକ ଆଦର୍ଶ ଉଦାହରଣ।

ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ରଖି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଥିଲେ ଯେ ସହରାଞ୍ଚଳର ଏକ ନିର୍ଦ୍ଧିଷ୍ଟ ପ୍ରତିଶତ (critical mass) ଜନସାଧାରଣ ସହରର ମୌଳିକ ସୁବିଧା ପାଇପାରିଲେ ହିଁ ରୂପାନ୍ତରର ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରିବ । ସହରାଞ୍ଚଳର ବିକାଶ ବୈଜ୍ଞାନିକ ଆଧାରରେ ହେବା ସହିତ ଅନ୍ତର୍ଭୁକ୍ତୀକରଣ ଓ ସାମଗ୍ରୀକ ବିକାଶକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଓଡିଶାରେ ବଡ ବଡ କମ୍ପାନୀକୁ ସହରାଞ୍ଚଳ ବିକାଶରେ ନିୟୋଜିତ କରା ନ ଯାଇ ଗୋଷ୍ଠୀ ସହଭାଗୀତାରେ କରାଯାଇଛି । ଏହା ହିଁ ଓଡିଶାର ରୂପାନ୍ତରଣର ବୈଶିଷ୍ଟ୍ୟ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା , ସୁଦାମ ମାର୍ଣ୍ଡି, ଅଶୋକ ପଣ୍ଡା, ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ।