ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଡବ୍ଲଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ | News Room Odisha

ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଡବ୍ଲଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ

ଭୁବନେଶ୍ବର – ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ଓ୍ବେ ର ସମୀକ୍ଷା କରିଛନ୍ତି । ଏହା ସହ ସେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଅର୍ଥନୈତିକ କରିଡର ସୃଷ୍ଟି ନେଇ ହେଉଥିବା କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି । ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ବିଜୁ ଏକ୍ସପ୍ରେସ ଓ୍ବେ ସଂପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।

ବରଗଡ ଜିଲ୍ଲାର ସୋହେଲା, ପଦମପୁର ଓ ପାଇକମାଲ ଦେଇ ନୂଆପଡାର ସିନାପାଲି ଓ କଳାହାଣ୍ଡିର ଗୋଳାମୁଣ୍ଡା ଦେଇ 4 ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣାଧୀନ ରହିଛି । ଏ ସମସ୍ତ ସ୍ଥାନ ଦେଇ ଅର୍ଥନୈତିକ କରିଡର ସୃଷ୍ଟି ହେବ । ଏଥିପାଇଁ 11ଟି ଶିଳ୍ପ ସଂସ୍ଥା ଉଦ୍ୟୋଗ ସ୍ଥାପନ ପାଇଁ ସହମତି ପ୍ରକାଶ କରିଛନ୍ତି । ଏଥିନେଇ ଟେଣ୍ଡର ପ୍ରକ୍ରିୟା ସରିଛି । ଏହି ଅର୍ଥନୈତିକ କରିଡର ପାଇଁ ବରଗଡ଼ରେ କେତେକ ସ୍ଥାନ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଜମି ଅଧିଗ୍ରହଣ ଶେଷ ହୋଇଛି । ବିଜୁ ଏକ୍ସପ୍ରେସ ୱେ ଏବଂ ରେଳପଥ ସଂଯୋଗ କରୁଥିବା ନୂଆପଡାର ଖରିଆର, କଳାହାଣ୍ଡିର ଜୁନାଗଡ, ବରଗଡର ପଦମପୁର ଭଳି ଛୋଟ ଛୋଟ ସହରରେ ଶିଳ୍ପୋଦ୍ୟୋଗ ସ୍ଥାପନକୁ ଗୁରୁତ୍ବ ଦିଆଯିବ । ଜିଲ୍ଲା ଇନଭେଷ୍ଟମେଣ୍ଟ ସଂସ୍ଥା(ଦିପା) ଏହାର କାର୍ଯ୍ୟ ଜାରି ରଖିଛି । ପରବର୍ତ୍ତୀ ସମୟରେ ‘ଦିପା’ ଏହାର କାର୍ଯ୍ୟ ପରିସର ଖୋର୍ଦ୍ଧା, କଟକ, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାକୁ ସଂପ୍ରସାରିତ କରିବ ।