ଏସିଆ କପ୍‌ ହକି: ସୁପର-୪ ମ୍ୟାଚରେ ଜାପାନକୁ ୨-୧ରେ ହରାଇଲା ଭାରତ | News Room Odisha

ଏସିଆ କପ୍‌ ହକି: ସୁପର-୪ ମ୍ୟାଚରେ ଜାପାନକୁ ୨-୧ରେ ହରାଇଲା ଭାରତ

ଜାକର୍ତ୍ତା: ଏସିଆ କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଶନିବାର ସୁପର-୪ ପର୍ଯ୍ୟାୟର ନିଜ ପ୍ରଥମ ମ୍ୟାଚରେ ଭାରତ ୨-୧ରେ ଜାପାନକୁ ହରାଇଛି । ଡିଫେଣ୍ଡିଂ ଚାମ୍ପିୟନ ଭାରତ ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଜାପାନ ଟିମ ଠାରୁ ୫-୨ରେ ପରାସ୍ତ ହୋଇଥିଲା । ତେବେ ଶନିବାର ଜବରଦସ୍ତ ପ୍ରଦର୍ଶନ ସହ ଭାରତ ମଧୁର ପ୍ରତିଶୋଧ ନେଇଛି।

ଭାରତୀୟ ଟିମ ମ୍ୟାଚ୍‌ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲା । ପ୍ରଥମ କ୍ବାର୍ଟରରେ ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ମନଜିତ୍‌ ଏକ ଚମତ୍କାର ଫିଲ୍ଡ ଗୋଲ୍‌ କରିବା ପରେ ୧-୦ରେ ଆଗୁଆ ହୋଇଥିଲା ଭାରତ । ତେବେ ଦ୍ବିତୀୟ କ୍ବାର୍ଟରରେଏକ ପେନାଲିଟି କର୍ଣ୍ଣର ସୁଯୋଗର ଫାଇଦା ଉଠାଇ ୧୭ତମ ମିନିଟ୍‌ରେ ନିୱା ତାକୁମା ଗୋଲ୍‌ କରିବା ପରେ ଜାପାନ ସ୍କୋର ବରାବର କରିଥିଲା । ହେଲେ ପବନ ରାଜଭର ତୃତୀୟ କ୍ବାର୍ଟରରେ ୩୪ତମ ମିନିଟ୍‌ରେ ଅନ୍ୟଏକ ଫିଲ୍ଡ ଗୋଲ୍‌ ସହ ଭାରତକୁ ପୁନର୍ବାର ଆଗୁଆ କରାଇଥିଲେ । ପରେ ମେନ୍‌ ଇନ ବ୍ଲୁ ଚତୁର୍ଥ କ୍ବାର୍ଟର ଶେଷ ପର୍ଯ୍ୟନ୍ତ ଆଗୁଆ ରହିବା ସହ ୨-୧ରେ ବିଜୟୀ ହୋଇଥିଲା।