ବେଆଇନ ପଥର ଖନନ ସମୟରେ ଶ୍ରମିକ ମୃତ୍ୟୁ, ମୁଖ୍ୟ ଅଭିଯୁକ୍ତ ଗିରଫ | News Room Odisha

ବେଆଇନ ପଥର ଖନନ ସମୟରେ ଶ୍ରମିକ ମୃତ୍ୟୁ, ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗୀର: ଜିଲ୍ଲାରେ ବେଆଇନ ରତ୍ନ ପଥର ଖନନ ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜୁ ସାହୁ ଗିରଫ । ସୂଚନା ଅନୁଯାୟୀ, ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଗୁଲମୀ ଜଙ୍ଗଲରେ ବେଆଇନ ଭାବେ ରତ୍ନ ପଥର ଖନନ ଚାଲିଥିଲା । ଯାହାର ମାଷ୍ଟର ମାଇଣ୍ଡ ଥିଲା ରାଜୁ ସାହୁ । ସେ ଶ୍ରମିକ ମାନଙ୍କୁ ବେଆଇନ ଭାବରେ ନିୟୋଜିତ କରି ରତ୍ନ ପଥର ଖଣି ଖନନ କରି ଆସୁଥିଲା ।

ଏପ୍ରିଲ ୨୨ ତାରିଖରେ ମାଟି ତଳକୁ ୨୦୦ ଫୁଟ ଗାତ କରି ରତ୍ନ ପଥର ଖନନ ଚାଲିଥିବ ବେଳେ ଖଣି ଭିତରେ ମାଟି ଅତଡା ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିରେ ଗୁଲମି ଗ୍ରାମର ଦିନ ଜାନି ଓ ନୂଆପଡ଼ା ଗ୍ରାମର ଉଜ୍ବଳ ଭୋଇଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବେଆଇନ ରତ୍ନ ପଥର ଖନନ ଉପରେ ପ୍ରଶାସନ ଓ ପୋଲିସ୍ ପଦକ୍ଷେପ ନେବା ଆରମ୍ଭ କରିଥିଲା ।ଏହି ଘଟଣା ପରେ ରାଜୁ ସାହୁ ଫେରାର ହୋଇଯାଇଥିବାବେଳେ ଟିଟିଲାଗଡ ପୋଲିସ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଗ୍ରାମରୁ ଗିରଫ କରିଛି । ଆଜି ଅଭିଯୁକ୍ତ ରାଜୁ ସାହୁକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।