ଗୋପାଳପୁର: କେକ୍ କାଟିଲେ। ଝୋଟି ବି ଆଙ୍କିଲେ। ଚାରା ରୋପଣ କଲେ। ନିଜେ ଖୁସି ମନାଇବା ସହ ଆନନ୍ଦ ମନରେ ସେମାନଙ୍କ ପାଇଁ ଯାବତୀୟ ସୁବିଧା ସୁଯୋଗ ବ୍ୟବସ୍ଥା କରି ଦେଇଥିବା ସେହି ସମ୍ମାନସ୍ପଦ ମଣିଷଟିକୁ ତାଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭକାମନା ଜଣାଇଥିଲେ… ହେପି ବାର୍ଥ ଡେ’ ଟୁ ପାଣ୍ଡିଆନ୍ ସାର୍, ହେପି ବାର୍ଥ ଡେ’।
ଗୋପାଳପୁରସ୍ଥିତ ଶ୍ରଦ୍ଧା ସଞ୍ଜୀବନୀ ଆଶ୍ରମରେ ରବିବାର ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଚଆଇଭି- ଏଡସ ସଂକ୍ରମିତ ପିତାମାତାଙ୍କ ମୃତ୍ୟୁ ପରେ ଅନାଥ ହୋଇ ଯାଇଥିବା କୁନି କୁନି ଛୁଆମାନଙ୍କୁ ଏଠି ଆଶ୍ରୟ ଦେଇଛି ପ୍ରଶାସନ। କିଛି ଛୁଆ ତ ଏଚଆଇଭି- ଏଡସ ଆକ୍ରାନ୍ତ ମାଆଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ। ସମାଜ ଏମାନଙ୍କୁ ଦୂରେଇ ଯାଇଥିଲା। ହେଲେ ପ୍ରଶାସନ ସେମାନଙ୍କ ଭବିଷ୍ୟତ ଗଢ଼ିବା ସାଙ୍ଗକୁ ଆତ୍ମୀୟପୂର୍ଣ୍ଣ ପରିବେଶରେ ରହଣୀ, ଉନ୍ନତ ଖାଦ୍ୟପେୟ ଯୋଗାଇ ଦେବା ସହ ଉତ୍ତମ ଶିକ୍ଷା ପ୍ରଦାନ କରି ଏଇ ଛୋଟ ଛୋଟ ପିଲାମାନଙ୍କୁ ଭବିଷ୍ୟତରେ ଆତ୍ମନିର୍ଭରଶୀଳ କରିବାକୁ ସମସ୍ତ ପ୍ରୟାସ ଜାରି ରଖିଛି। ଅନେକ ତ ଏଥିରେ ଆଖିଦୃଶିଆ ସଫଳତା ମଧ୍ୟ ପାଇଲେଣି। ନିଜ ଗୋଡ଼ରେ ଠିଆ ହୋଇ ସମାଜରେ ସ୍ବାଭିମାନର ସହ ବଞ୍ଚିବାରେ ଲାଗିଛନ୍ତି। ଦୁରାରୋଗ୍ୟ ବ୍ୟାଧିର କଳଙ୍କର ଛାପ ସେମାନେ ନଷ୍ଟ କରିବାରେ ସଫଳ ବି ହୋଇଛନ୍ତି। ନିକଟରେ ଆଶ୍ରମର ଦୁଇ ଯୁବକ ଯୁବତୀ ଉଚିତ ବୟସରେ ପରସ୍ପରକୁ ଜୀବନସାଥୀ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସମାଜର ଅନ୍ୟ ସାଧାରଣ ପିଲାଙ୍କ ପରି ଆଶ୍ରମର ଅନ୍ତେବାସୀମାନେ ସ୍ବାଭାବିକ ଜୀବନ ଜୀଇଁବାରେ ଲାଗିଛନ୍ତି।
ତେବେ ଏହି ବୈପ୍ଲବିକ ପରିବର୍ତ୍ତନର ସୂତ୍ରଧାର ଥିଲେ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଭି.କେ. ପାଣ୍ଡିଆନ୍। ୨୦୦୭ ମସିହା ଡିସେମ୍ବର ମାସରେ ଏଥିପାଇଁ ମୂଳଦୂଆ ସ୍ଥାପନ କରିଥିଲେ ସେ। ଏଭଳି ଏଚଆଇଭି ସଂକ୍ରମିତ ତଥା ଏଡସ ଆକ୍ରାନ୍ତ ପିତାମାତାଙ୍କ ସନ୍ତାନ ସନ୍ତତି ଯେଉଁ ମାନଙ୍କୁ ସମାଜ ଅବହେଳିତ କରି ଦେଇଥିଲା ସେମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଆହ୍ୱାନକୁ ନଜରରେ ରଖି ସେ ସ୍ଥାପନ କରିଥିଲେ ଶ୍ରଦ୍ଧା ସଞ୍ଜୀବନୀ। ବାସ୍ତବରେ ଦୂରଦୃଷ୍ଟି ସମ୍ପନ୍ନ ଓ ସମ୍ବେଦନଶୀଳ ପ୍ରଶାସକ ଭାବେ ସେ ଆରମ୍ଭ କରିଥିବା ଏହି ପ୍ରୟାସ ଏବେ ସୁଫଳ ଆଣି ଦେଇଛି। ଏବେ ବି ଆଶ୍ରମ ଅନ୍ତେବାସୀଙ୍କ ସହ ଯୋଗାଯୋଗରେ ଅଛନ୍ତି ସେ।
ତାଙ୍କର ସେହି ଆତ୍ମୀୟ ପଣକୁ ତାଙ୍କ ଜନ୍ମଦିନରେ ମନେ ପକାଇଥିଲେ ୫୦ରୁ ଊର୍ଦ୍ଧ୍ବ ଆଶ୍ରମ ଅନ୍ତେବାସୀ। ପ୍ରତିଷ୍ଠାତାଙ୍କ ଜନ୍ମ ଦିନରେ କେକ୍ କାଟି, ଝୋଟି ଆଙ୍କି ଓ ଗଛ ଲଗାଇ ତାହା ଜରିଆରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଦୀର୍ଘାୟୁ କାମନା କରିଛନ୍ତି। ପ୍ରତିଷ୍ଠାତା ସଦସ୍ୟ ଲୋକନାଥ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅନ୍ତେବାସୀଙ୍କ ସହ କର୍ମକର୍ତ୍ତାମାନେ ଖୁସିର ଅବସରରେ ନିଜକୁ ମଧ୍ୟ ସାମିଲ କରିଥିଲେ। ଆଶ୍ରମ ପରିସରରେ ହେପି ବାର୍ଥ ଡେ’ ଶବ୍ଦ ସହ ଆନନ୍ଦର ମାହୋଲ ଖେଳିଯାଇଥିଲା। ବାସ୍ତବରେ ଦିନଟି ସେମାନଙ୍କ ପାଇଁ ବି ନିଆରା ଥିଲା।