ରାଜଧାନୀରେ ଯୌତୁକ ହତ୍ୟା ! | News Room Odisha

ରାଜଧାନୀରେ ଯୌତୁକ ହତ୍ୟା !

ଭୁବନେଶ୍ୱର- ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ଭୁବନେଶ୍ୱରରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ପ୍ରଭାପତି ନାୟକ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ିର ଅଣ୍ଡରାଇ ଗାଁରେ ବୋଲି ଜଣାପଡ଼ିଛି ।

ଗତମାସ ୨୮ ତାରିଖରେ ଖଣ୍ଡଗିରିର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶଙ୍କୁ ବିବାହ କରିଥିଲେ ପ୍ରଭାପତି । ହେଲେ ଗତ ରବିବାର ଦିନ ସେ ଶ୍ୱଶୁର ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ବାପ ଘର ଲୋକେ ଖବର ପାଇଥିଲେ। ପ୍ରଭାପତିଙ୍କ ବାପ ଘର ଲୋକେ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ତାଙ୍କ ମୃତଦେହକୁ ଶ୍ୱଶୁର ଘର ଲୋକେ ଶ୍ମଶାନକୁ ନେଇଯାଇଥିବା ଅଭିଯୋଗ ହୋଇଛି । ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ପ୍ରଭାପତିଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ମା’ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପ୍ରଭାପତିଙ୍କୁ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରଭାପତିଙ୍କ ସ୍ୱାମୀ ପ୍ରକାଶ ଖୁଣ୍ଟିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।