ଆମ ସଂସ୍କୃତିରେ ଶିବ ଓ ଶକ୍ତି ଙ୍କ ମିଳନକୁ ମହା ଜାଗତିକ ଓ ଦିବ୍ୟ ମିଳନ ବୋଲି କୁହାଯାଇଥାଏ। ସୃଷ୍ଟି ତଥା ସଂହାରର କାରଣ ରୂପରେ ଶିବଂକୁ ଭାରତୀୟ ମାନେ ଆରାଧନା କରନ୍ତି। ତେବେ ଶକ୍ତିଙ୍କ ବିନା ସହଯୋଗରେ ସୃଷ୍ଟି ପ୍ରକ୍ରିୟା ସମ୍ଭବ ହୁଏ ନାହିଁ।
ଶକ୍ତି ଶିବଙ୍କ ପିଣ୍ଡରେ ମିଳିତ ନ ହେବା ପର୍ଯନ୍ତ ସର୍ଜନା ସଫଳ ହୁଏନାହିଁ। ତେଣୁ ଆବାହମାନ କାଳରୁ ଶକ୍ତି ଓ ଶିବଙ୍କ ପରିଣୟକୁ ଉତ୍ସବ ରୂପେ ଆମେ ପାଳନ କରିଥାଉ।
ଉତ୍କଳୀୟ ପରମ୍ପରାରେ ଶିବ ପାର୍ବତୀଂକ ବିବାହ କୁ ଶୀତଳ ଷଷ୍ଠୀ ଭାବରେ ପାଳନ ପାଳନ କରାଯାଇଥାଏ। ବିଶେଷ କରି ସମ୍ବଲପୁର ସହର ଓ ପଶ୍ଚିମ ଓଡିଶାର ବିଭିନ୍ନ ଶୈବପୀଠ ମାନଙ୍କ ରେ ଶୀତଳଷଷ୍ଠୀ ପର୍ବ ମହା ସମାରୋହରେ ପାଳିତ ହୋଇଥାଏ। ଏହି ଉତ୍ସବକୁ ନେଇ କେତୋଟି ପ୍ରମୁଖ ବିନ୍ଦୁ ଉପରେ ଆସନ୍ତୁ ଆଲୋକପାତ କରିବା।
୧. ଜ୍ୱେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶିବ ପାର୍ବତୀଂକ ବିବାହ ସମାପିତ ହୋଇଥିବାର ପୌରାଣିକ ମାନ୍ୟତା ରହିଥିବାରୁ ସେହିଦିନ ଏହି ଦିବ୍ୟ ଦମ୍ପତ୍ତିଂକ ବିବାହ ଉତ୍ସବ ଆୟୋଜନ କରାଯାଇଥାଏ। ଶିବ ଓ ଶକ୍ତି ପୂଜାସହିତ ଭାରତ ର ବୈଦିକ,ଦ୍ରାବିଡ ଓ ଶବର ପରମ୍ପରାରସମନ୍ବୟ ଘଟିଥିବାରୁ ଶୀତଳଷଷ୍ଠୀ ଯାତ୍ରାରେ ବହୁ ସଂସ୍କୃତିର ମିଳନ ଦୃଶ୍ୟମାନ ହୁଏ।
୨. ତାରକାସୁରକୁ ବଧ କରିବାକୁ ଶିବ ବିବାହ କରିବା ନିତାନ୍ତ ଆବଶ୍ୟକ ବୋଲି ଦେବତାମାନେ ଜାଣି ଥିଲେ। କିନ୍ତୁ ସେତେବେଳେ ଶିବ ନିଜ ପ୍ରଥମ ପତ୍ନୀ ଦକ୍ଷକନ୍ୟା ସତୀଙ୍କ ବିୟୋଗରେ ଗଭୀର ତପସ୍ୟାରେ ନିମଗ୍ନ ଥିଲେ।ପୁଣି ଥରେ ଶିବଙ୍କୁ ଆସକ୍ତ କରିବାକୁ ମହାଶକ୍ତିଙ୍କୁ ହିମାଲୟ ଙ୍କ କନ୍ୟା ରୂପେ ଜନ୍ମଗ୍ରହଣ କରିବାକୁ ଦେବତା ମାନେ ସତୀଙ୍କୁ ପ୍ରାର୍ଥନା କଲେ। ସତୀ ମଧ୍ୟ ଶିବଙ୍କୁ ବର ରୂପେ ବରଣ କରିବାପାଇଁ କଠୋର ତପସ୍ୟା ଆରମ୍ଭ କଲେ। ପରିଶେଷରେ ପାର୍ବତୀ ଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟହୋଇ ପାର୍ବତୀଂକୁ ବିବାହ କରିଥିଲେ।
୩. ଶିବ ବିବାହ କୁ ନେଇ ବହୁ ଚମକପ୍ରଦ ଓ ଚର୍ଚିତ କାହାଣୀ ଶିବପୁରାଣ ସମେତ ଅନ୍ୟାନ୍ୟ ପୁରାଣ ରେ ରହିଛି। ବିବାହ ପୂର୍ବରୁ ପାର୍ବତୀଂକ ନିଷ୍ଠା ପରୀକ୍ଷା କରିବାକୁ ଯାଇ ଶିବ ଅତ୍ୟନ୍ତ ବିକୃତରୂପ ଗ୍ରହଣକରି ବର ବେଶରେ ଆସିଥିଲେ। ତାଙ୍କର ବିକୃତ ଓ ବିଭତ୍ସ ବେଶ ବର୍ଣ୍ଣନା “କଳସା ଚୌତିଶା “ ରେ ଦେଖିବାକୁ ମିଳେ ।
୪. ବରଯାତ୍ରୀ ଭାବରେ ଶିବଗଣ ଅତ୍ୟନ୍ତ ଉଦ୍ଦଣ୍ଡ ଓ ଅଦ୍ଭୁତ ଭାବରେ ହିମାଲୟରେ ପ୍ରବେଶ କରିଥିଲେ। ଭୁତ, ପିଶାଚ, ଡାକିନୀ, ବେତାଳ, ନନ୍ଦୀ, ଭୃଂଗୀ, ଯକ୍ଷ ଓ କିନ୍ନର ମାନେ ବରଯାତ୍ରୀ ଭାବେ ଯାଇଥିବାରୁ ତାହା ଏକ ବିଚିତ୍ର ଶୋଭାଯାତ୍ରା ରେ ପରିଣତ ହୋଇଥିଲା। ସେହି ସ୍ମୃତିରେ ଆଜି ମଧ୍ୟ ଶିବ ବର ଯାତ୍ରା ରେ ଅଦ୍ଭୁତ ଚରିତ୍ର ଓ ବେଶ ଭୂଷା ର ଚରିତ୍ର ମାନଂକୁ ଦେଖିବାକୁ ମିଳେ ।
୫. ସମ୍ବଲପୁର୍ ଶୀତଳ ଷଷ୍ଠୀ ଯାତ୍ରାରେ ଲୋକ ପରମ୍ପରା ଓ ଶାସ୍ତ୍ରିୟ ପରମ୍ପରାର ସୁନ୍ଦର ମିଶ୍ରଣ ଘଟିଥାଏ। ବିବାହ ଉତ୍ସବରେ ଲୌକିକ ପରମ୍ପରା ର ପ୍ରଭାବ ଏତେ ବେଶୀଯେ ଶିବ ଓ ପାର୍ବତୀ ସାଧାରଣ ବର କନ୍ୟା ପାଲଟିଯାନ୍ତି।
୬. ୪୦୦ ବର୍ଷ ତଳେ ଚୌହାଣ ରାଜା ଅଜିତ ସିଂ ଏହିପରମ୍ପରା ଆରମ୍ଭ କରିଥିଲେ ବୋଲି କୁହାଯାଏ।ଶିବ ଓ ଶକ୍ତି ପରମ୍ପରା ସହ ଆଦିବାସୀ ପରମ୍ପରାକୁ ସମନ୍ବିତ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରାରେ ସବୁ ବର୍ଗ ଓ ଗୋଷ୍ଠୀ ର ପ୍ରତିନିଧିତ୍ଵ ରହିଛି। ଜାତି, ଧର୍ମ ଓ ଲିଂଗଗତ ବୈଷମ୍ୟ ଏହି ଯାତ୍ରା ରେ ବିଲକୁଲ୍ ଦେଖିବାକୁ ମିଳେ ନାହିଁ।
୭. ଶୀତଳ ଷଷ୍ଠୀ ଯାତ୍ରାରେ ତୃତୀୟ ଲିଂଗ ବା କିନ୍ନର ମାନେ ଶହଶହ ସଂଖ୍ୟାରେ ଯୋଗଦାନ କରିଥାନ୍ତି। ପଶ୍ଚିମ ଓଡିଶାରେ ଏହି କିନ୍ନର ମାନଂକୁ ରଂଗ ବୋଲି କୁହା ଯାଇଥାଏ। ବର ଯାତ୍ରା ଓ ବିବାହ ପରବର୍ତ୍ତୀ ଶୋଭାଯାତ୍ରାରେ କିନ୍ନରମାନେ ଅଂଶ ଗ୍ରହଣ କରିଥାନ୍ତି।
୮. ଶୀତଳ ଷଷ୍ଠୀ ଯାତ୍ରାରେ ସାଧାରଣ ବିବାହ ଉତ୍ସବ ପରି ଥାଳଉଠା, ଦେବ ନିମନ୍ତ୍ରଣ, ଗୁଆ ଗୁଣ୍ଡା , ପତରପେଣ୍ଡି, ମଂଗନ, ଗଣଶନ, ବରଯାତ୍ରା, ହାତ ଗନ୍ଥୀ, କନ୍ୟା ଦାନ ଓ ବିଦାୟୀ ପରି ଲୌକିକ ଆଚାର ଦେଖିବାକୁ ମିଳେ। ସମ୍ବଲପୁର୍ ର ନନ୍ଦପଡା ଓ ଝାଡୁଆ ପଡା ସମେତ ଓଡିଶାର ପୁର ପଲ୍ଲୀ ରେ ଏହି ଯାତ୍ରା ଅନୁଷ୍ଠିତ ହୁଏ। ଲିଂଗରାଜ ମନ୍ଦିର ଓ ପୁରୀ ଶ୍ରୀମନ୍ଦିର ରେ ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରା ଆୟୋଜିତ ହୋଇଥାଏ।
୯. ଶୀତଳ ଷଷ୍ଠୀ ଯାତ୍ରାର ଶୋଭାଯାତ୍ରା ତଥା ସୁଦୃଶ୍ୟ ପରଭା ଦେଖିବାକୁ ଲୋକଭିଡ ଜମିଥାଏ। ଲୋକ ନୃତ୍ୟ, ଲୋକ କଳା ଓ ବ୍ୟାବସାୟିକ କଳା ର ଅପୂର୍ବ ସମନ୍ବୟ ଫଳରେ ଏହି ଶୋଭା ଯାତ୍ରା ଅନୁପମ ଦିଶେ।
୧୦. ସମ୍ପ୍ରତି ନୁଆ ଓ ପୁରୁଣା ପରମ୍ପରା ର ସଂଗମ ଭାବରେ ଶୀତଳ ଷଷ୍ଠୀ ଯାତ୍ରାକୁ ଏକ ସାଂସ୍କୃତିକ ମହା ସଂଗମ ବୋଲି କୁହାଯାଇଥାଏ।
(ସଂଗୃହିତ )