ସମ୍ବଲପୁର ଶୀତଳଷଷ୍ଠୀ, ଦେବ ବିବାହ ପାଇଁ ନିର୍ବନ୍ଧ ନୀତି ସଂପନ୍ନ | News Room Odisha

ସମ୍ବଲପୁର ଶୀତଳଷଷ୍ଠୀ, ଦେବ ବିବାହ ପାଇଁ ନିର୍ବନ୍ଧ ନୀତି ସଂପନ୍ନ

ସମ୍ବଲପୁର : ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଜି ସମସ୍ତ କମିଟିର ପତରପେଣ୍ଡି ବା ନିର୍ବନ୍ଧ ନୀତି ସଂପନ୍ନ ହୋଇଛି। ଦେବ ଦେବ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ପାଇଁ ଉଭୟ ବର ଏବଂ କନ୍ୟାପକ୍ଷ ଚୂଡାନ୍ତ କରିଛନ୍ତି। ଦୁଇଦିନ ତଳୁ ନନ୍ଦପଡାର ବଂ ବରାଡ ବାଲୁଙ୍କେଶ୍ବର ବାବାଙ୍କ ପତରପେଣ୍ଡି ସଂପନ୍ନ ହୋଇଥିବା ବେଳେ ଆଜି ଅନ୍ୟ ସମସ୍ତ କମିଟିର ପତରପେଣ୍ଡି ଅନୁଷ୍ଠିତ ହୋଇଛି। ପତରପେଣ୍ଡି ଶୋଭାଯାତ୍ରାରେ ସହର ଦୁଲୁକି ଉଠିଛି।

ସମ୍ବଲପୁର ଶୀତଳଷଷ୍ଠୀ ପାଇଁ ସାରା ସହର ଦୁଲୁକି ଉଠୁଛି। ଆଜି ରାତିରେ ସହରର ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ବର ବାବାଙ୍କ ସମେତ ବାଲିବନ୍ଧାର ସୋମନାଥ ବାବା, ବଡବଜାରର ଶୀତଳେଶ୍ବର ବାବା, ଠାକୁରପଡାର ଗୁପ୍ତେଶ୍ବର ବାବା, ବୁଢାରଜାର ପାହେଡେଶ୍ବର ବାବା ଏବଂ ଦୁର୍ଗ।ପାଲିର ଗୁଡେଶ୍ବର ବାବା ଆଦି ସମସ୍ତ ମନ୍ଦିର କମିଟି ପକ୍ଷରୁ ପତରପେଣ୍ଡି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ବରପିତାମାନେ ନୂତନ ଥାଳିରେ ଶାଳପତ୍ର ବିଡା ସହିତ ଗୁଆ, ନଡିଆ, ବେଲପତ୍ର, ଫୁଲ ଆଦି ସାମଗ୍ରୀ ନେଇ କନ୍ୟାପିତା ମାତା ଘରେ ପହଞ୍ଚିଛନ୍ତି। ସେଠାରେ ମାତା ପାର୍ବତୀଙ୍କ ପାଇଁ ମହାଦେବଙ୍କ ବିବାହ ପ୍ରସ୍ତାବ ପଡିଛି। ଆଉ ବିବାହ ପାଇଁ ଉଭୟ ପକ୍ଷ ସମ୍ମତି ଦେବା ପରେ ଶାଳପତ୍ର ଓ ପୂଜା ସାମଗ୍ରୀ ଥିବା ଥାଳକୁ ବରପିତାମାନେ କନ୍ୟା ପିତାମାତାଙ୍କୁ ହସ୍ତାନ୍ତର କରିଛନ୍ତି।

ଏହି ଶୋଭାଯାତ୍ରାରେ ବରପିତାମାନେ ସପ୍ତଋଷୀଙ୍କ ସହ ସୁସଜ୍ଜିତ ରଥରେ ବିରାଜମାନ କରି ଘଣ୍ଟ ଘଣ୍ଟା, ଦୁଲଦୁଲି, ଧମାଲ ବାଦ୍ୟ ଆଦି ବିଭିନ୍ନ ସାଂସ୍କୃତିକ ଦଳ ସହ ବାହାରିଛନ୍ତି। ଆଉ ପତରପେଣ୍ଡି ସଂପନ୍ନ ହେବା ପରେ ପଡାରେ ବରପିତାମାନେ ପାଣ୍ଠି ସଂଗ୍ରହ ଅଭିଯାନରେ ବାହାରିଛନ୍ତି।