ଶ୍ରୀମନ୍ଦିରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା | News Room Odisha

ଶ୍ରୀମନ୍ଦିରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା

ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା’ ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ଶ୍ରୀମନ୍ଦିର ରେ ପାରମ୍ପରିକ ରୀତିରେ ପାଳନ କରାଯାଏ I

ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କ ସହିତ ବଡ଼ ଧୂମ୍ ଧାମରେ ମା’ ପାର୍ବତୀ ବୈଦିକ ରୀତିରେ ବିବାହ କରିଥାନ୍ତି । ରଙ୍ଗବେରଙ୍ଗ ଚିତ୍ରରେ ସୁଶୋଭିତ ବୃଷଭ ରଥରେ ଶିବ ଓ ମା’ ପାର୍ବତୀଙ୍କୁ ଉପବେଶନ କରାଯାଏ । ଶ୍ରୀକ୍ଷେତ୍ର ରେ ଥିବା ପ୍ରସିଦ୍ଧ ପଞ୍ଚ ମହାଦେବ ମନ୍ଦିରରେ ଏଥିପାଇଁ ସ୍ୱତନ୍ତ୍ର ଉତ୍ସବ ର ଆୟୋଜନ ହୋଇଥାଏ।

ଜମେଶ୍ୱର,ଲୋକନାଥ, ମାର୍କଣ୍ଡେଶ୍ଵର, କପାଳ ମୋଚନ ଓ ନୀଳକଣ୍ଠ ମହାଦେବ ନିଜ ନିଜ ମନ୍ଦିର ରେ ବିବାହ ଉତ୍ସବ ସାରି ମଧ୍ୟ ରାତ୍ରରେ ଶ୍ରୀମନ୍ଦିର କୁ ବିଜେଥାନ୍ତି।

ଶ୍ରୀ ଜୀଉଙ୍କ ସନ୍ଧ୍ୟାଧୂପ ବଢିବା ପରେ ବଡ଼ସିଂହାର ବେଶରେ ପ୍ରଭୁ ପଞ୍ଚ ମହାଦେବଙ୍କ ଆଗମନକୁ ଅପେକ୍ଷା କରିଥାନ୍ତି। ପଞ୍ଚ ମହାଦେବ ଶ୍ରୀମନ୍ଦିର ନାଟ ମଣ୍ଡପରେ ଏକତ୍ରିତ ହେବାପରେ ଶ୍ରୀଜୀଉ ଙ୍କ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ। ଏହାପରେ ଦେବ ଦମ୍ପତି ଲକ୍ଷ୍ମୀଙ୍କ ଜଗମୋହନରେ ବିଜେ କଲାପରେ ତାଙ୍କ ସହ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ଶ୍ରୀଦୋଳଗୋବିନ୍ଦ ସେମାନଙ୍କ ସହ ଜଗମୋହନ କୁ ବିଜେ ବିଜେଥାନ୍ତି।

ଏହାପରେ ହରିହର ଙ୍କ ପଞ୍ଚୁଗ୍ରାସୀ ଶୀତଳ ଭୋଗ ଲାଗି ହୋଇଥାଏ। ଦେବ ଦମ୍ପତି ଦିନସାରା ଲକ୍ଷ୍ମୀ ଙ୍କ ଜଗମୋହନ ରେ ଭକ୍ତଂକୁ ଦର୍ଶନ ଦେଇ ଥାଆନ୍ତି। ସନ୍ଧ୍ୟାରେ ପଞ୍ଚ ମହାଦେବ ସୁସଜ୍ଜିତ ବୃଷଭରେ ଶ୍ରୀନହର ଯାଇ ଭୋଗ ଖାଇଥାନ୍ତି। ଏହାପରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ପାରମ୍ପରିକ ପନ୍ତିଭୋଗ ପରେ ଦେବ ଦମ୍ପତି ଗୁଆଳି ବୁଲିବାକୁ ସହର ର ବିଭିନ୍ନ ପ୍ରାନ୍ତକୁ ଯାଇ ଥାନ୍ତି। ପରମ୍ପରା କ୍ରମେ ନଗର ଭ୍ରମଣ ପରେ ସମସ୍ତେ ସ୍ୱ ସ୍ଵ ମନ୍ଦିରକୁ ଯାଇ ପୁନର୍ବାର ଶ୍ରୀ ମନ୍ଦିର ସ୍ଥିତ ଦକ୍ଷିଣୀ ଘରକୁ ବାହୁଡା ବିଜେ କରିଥାନ୍ତି। ଏହିଦିନ ଶ୍ରୀମନ୍ଦିରରେ ଦ୍ବୀପହର ଧୂପପରେ ଶ୍ରୀଦେବୀ ଓ ମଦନ ମୋହନ ଜଳକ୍ରୀଡ଼ା ମଣ୍ଡପରେ ଜଳକ୍ରୀଡ଼ା ନୀତି ସମାପନ କରି ଥାନ୍ତି।