ଶୀତଳଷଷ୍ଠୀ-ବାରାତରେ ଦୁଲୁକୁଛି ସମ୍ବଲପୁର | News Room Odisha

ଶୀତଳଷଷ୍ଠୀ-ବାରାତରେ ଦୁଲୁକୁଛି ସମ୍ବଲପୁର

ସମ୍ବଲପୁର : ସାରା ସମ୍ବଲପୁର ଦୁଲୁକି ଉଠିଛି। ଦେବତା, ଗନ୍ଧର୍ବ ଓ କିନ୍ନରଙ୍କ ସମାଗମରେ ସମ୍ବଲପୁର ଦେବଭୂମିରେ ପରିଣତ ହୋଇଛି। ସେପଟେ ଆକର୍ଷଣୀୟ ଶୋଭାଯାତ୍ରାରେ ବରବେଶରେ ସଜ୍ଜିତ ହୋଇ ଦେବ ଦେବ ମହାଦେବ ବାହାରିଛନ୍ତି ମାତା ପାର୍ବତୀଙ୍କ ଘର ଅଭିମୁଖେ। ଆଉ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ଓ ସାଂସ୍କୃତିକ ଦଳଙ୍କ ଶୋଭାଯାତ୍ରାରେ ସମ୍ବଲପୁର ଉଠୁଛି ଆଉ ପଡୁଛି।

ଆଜି ଦିନ ବେଳା ଗତବର୍ଷର କନ୍ୟା ପିତାମାତାଙ୍କ ଗଣ୍ଠଳି ଫିଟା ପରେ ଏବର୍ଷର କନ୍ୟା ପିତାମାତା ମାତା ପାର୍ବତୀଙ୍କୁ ପାଛୋଟି ନେଇଥିଲେ ନିଜ ଘରକୁ। ଘରେ ବନ୍ଦାପଣା, ଗନ୍ଧଷଣ, ହଳଦୀ ଖେଳ ଆଦି ନୀତି ସଂପନ୍ନ ହେବା ପରେ ସନ୍ଧ୍ୟାରେ ମାତା ପାର୍ବତୀଙ୍କୁ ବଧୁ ବେଶରେ ସଜାଇଥିଲେ। ସେହିପରି ପ୍ରଭୁ ଶିବଙ୍କ ରୁଦ୍ରାଭିଷେକ ପରେ ତାଙ୍କୁ ସନ୍ଧ୍ୟାରେ ବରବେଶରେ ସଜ୍ଜିତ କରାଯାଇଥିଲା। ଆଉ ରାତିରେ ଆକର୍ଷଣୀୟ ପରଭାରେ ଦେବ ଦେବ ମହାଦେବ ବିରାଜମାନ କରି ବିରାଟ ଶୋଭାଯାତ୍ରାରେ କନ୍ୟା ଘର ଅଭିମୁଖେ ଯାତ୍ରା କରିଛନ୍ତି। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଅଂଶ ଦେବ ବିବାହର ନୀତି ଭୋର୍ ରେ ସଂପନ୍ନ ହେବ। ସହରର ନନ୍ଦପଡା, ଝାଡୁଆପଡା, ମୁଦିପଡା ସମେତ ବଡବଜାର, ଠାକୁରପଡା, ବୁଢାରଜା, ବାଲିବନ୍ଧା ଆଦି ସମସ୍ତ କମିଟି ପକ୍ଷରୁ ଭବ୍ୟ ବରଯାତ୍ରୀ ଶୋଭାଯାତ୍ରା ସହର ଦୁଲୁକାଇ ଦେଇଛି।