ନୂଆମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୬-ଟି ମନ୍ତ୍ର | News Room Odisha

ନୂଆମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୬-ଟି ମନ୍ତ୍ର

ଭୁବନେଶ୍ବର- ପ୍ରାଶାସନିକ ସ୍ୱଚ୍ଛତା ପାଇଁ ରାଜ୍ୟ ସରକାରଙ୍କ ‘୫-ଟି’ (ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପେରିନ୍ସି, ଟ୍ରାନ୍ସଫରମେସନ ଓ ଟାଇମ୍‌ ଲିମିଟ୍‌) ରେ ଯୋଡ଼ି ହୋଇଛି ଆଉ ଏକ ‘ଟି’ । ମୁଖ୍ୟମନ୍ତ୍ରୀ ନବୀନ ‘୫-ଟି’ ସ୍ଥାନରେ ‘୬-ଟି’କୁ ଗୁରୁତ୍ୱ ଦେଇଛନ୍ତି। ଅତିରିକ୍ତ ‘ଟି’ ହେଲା ଟୁର୍‌ ଅଥବା ଗସ୍ତ। ‘ମୋ ସରକାର’ କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ (ଟୁର) କରି ଲୋକଙ୍କ ସମସ୍ୟା ବୁଝିବା ଓ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟରେ ସ୍ଵଛତା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ନବୀନ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି। ଲୋକସେବା ଭବନରେ ନୂଆ ମନ୍ତ୍ରୀମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରୁ ଶପଥ ଗ୍ରହଣ କରିଥିଲେ। ସନ୍ଧ୍ୟା ୫ଟାରେ ନୂଆ ମନ୍ତ୍ରୀମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କୁ ୬ଟି ମନ୍ତ୍ର ଦେଥିଲେ। ମୁଖ୍ୟମନ୍ତ୍ରୀ ନବୀନ ନିଜର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀମାନଙ୍କୁ କହିଥିଲେ ଯେ, ସେମାନେ ଅଧିକ ଟୁର୍ କରି ବିଭିନ୍ନ ଅଞ୍ଚଳ ଲୋକଙ୍କ ସମସ୍ୟା ସମାଧାନ କରନ୍ତୁ। ଏଥି ସହିତ ନିଜ କାମରେ ସ୍ୱଚ୍ଛତା ରଖିବା ପାଇଁ ମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।