ଶୀତଳଷଷ୍ଠୀ ଯାତ୍ରା-ନଗର ପରିକ୍ରମା ଶୋଭାଯାତ୍ରାରେ ଦୁଲୁକୁଛି ସମ୍ବଲପୁର | News Room Odisha

ଶୀତଳଷଷ୍ଠୀ ଯାତ୍ରା-ନଗର ପରିକ୍ରମା ଶୋଭାଯାତ୍ରାରେ ଦୁଲୁକୁଛି ସମ୍ବଲପୁର

ସମ୍ବଲପୁର : ଦେବ ଦେବ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ରବିବାର ବ୍ରାହ୍ମ ମୁହୁର୍ତ୍ତରେ ଶେଷ ହୋଇଛି। ଆଉ ରାତିରୁ ଆରମ୍ଭ ହୋଇଛି ଯୁଗଳ ଦର୍ଶନ ଶୋଭାଯାତ୍ରା। ସମ୍ବଲପୁର ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ଏହି ନଗର ପରିକ୍ରମା ଶୋଭାଯାତ୍ରାରେ ସମଗ୍ର ଦେଶର ଏକ ବିରାଟ ସାଂସ୍କୃତିକ ମହାମିଳନ ଦେଖିବାକୁ ମିଳିଛି। ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତର କଳାକାରଙ୍କ ପ୍ରଦର୍ଶନରେ ସମ୍ବଲପୁର ଦୁଲୁକି ଉଠିଛି। ଆଜି ରାତିରୁ ବାହାରିଥିବା ଏହି ଶୋଭାଯାତ୍ରା ଆସନ୍ତାକାଲି ସନ୍ଧ୍ୟାରେ ଉଦଯାପିତ ହେବ।

ସମ୍ବଲପୁର ଶୀତଳଷଷ୍ଠୀର ମହାର୍ଘୟ ପରମ୍ପରା କୁହାଯାଉଥିବା ଦେବ ବିବାହର ନୀତି ରବିବାର ଭୋର୍ ରୁ ଶେଷ ହୋଇଛି। ଏହାପରେ ଦିନତମାମ ଦେବ ଦମ୍ପତ୍ତି ମାତା ପାର୍ବତୀଙ୍କ ପିତାଙ୍କ ଘରେ ବିତାଇଛନ୍ତି। ଆଉ ସନ୍ଧ୍ୟା ପରେ କନ୍ୟା ବିଦାୟ ଅନୁଷ୍ଠିତ ହୋଇଛି। ନବ ବିବାହିତ ଦେବ ଦମ୍ପତ୍ତି ମନ୍ଦିର ପ୍ରାଙ୍ଗଣକୁ ଫେରିଛନ୍ତି। ରାତିରେ ଆକର୍ଷଣୀୟ ପରଭା ସମ୍ମୁଖରେ ସୁନା ରୂପାର ଅଳଙ୍କାରରେ ବିମଣ୍ଡିତ ହୋଇ ସୁସଜ୍ଜିତ ରଥରେ ବିରାଜମାନ କରିଛନ୍ତି ଶିବ ପାର୍ବତୀ। ରାତିରେ ମହା ଆଳତୀ ଅନୁଷ୍ଠିତ ହେବା ପରେ ଆରମ୍ଭ ହୋଇଛି ନଗର ପରିକ୍ରମା ଶୋଭାଯାତ୍ରା। ଏଥିରେ ଦୁଲଦୁଲି, ଘଣ୍ଟ, ଶଙ୍ଖ, ସଂପ୍ରଦାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ପ୍ରାନ୍ତର ଲୋକନୃତ୍ୟ ଦଳ ସମେତ ପଞ୍ଜାବର ଭାଙ୍ଗଡା, ଆସାମର ବିହୁ ଏବଂ ପଶ୍ଟିମବଙ୍ଗର ଛଉ ଭଳି ପାରମ୍ପାରିକ ନୃତ୍ୟ ଦଳ ସାମିଲ ହୋଇଛନ୍ତି। ସେହିପରି ରାୟପୁର, ନାଗପୁର, ମୁମ୍ବାଇ, କୋଲକାତା ଭଳି ମହାନଗରୀର ବହୁ ଆଧୁନିକ ନୃତ୍ୟ ଦଳ ବି ଶୋଭାଯାତ୍ରାକୁ ମତୁଆଲା କରୁଛନ୍ତି। ଏହାଛଡା ବିଭିନ୍ନ ଧାର୍ମିକ ତଥା ସଚେତନଧର୍ମୀ ପ୍ରଜ୍ଞାପନ ମେଢ ଶୋଭାଯାତ୍ରାର ଆକର୍ଷଣ ସାଜିଛି। ନନ୍ଦପଡା, ଝାଡୁଆପଡା, ମୁଦିପଡା ସମେତ ବଡବଜାର ଏବଂ ଠାକୁରପଡାର ଶୋଭାଯାତ୍ରା ଦେଖିବାକୁ ସମ୍ବଲପୁରରେ ଲକ୍ଷାଧିକ ଲୋକଙ୍କ ଭିଡ ଲାଗିଛି। ଆସନ୍ତାକାଲି ସନ୍ଧ୍ୟାରେ ଏହି ଶୋଭାଯାତ୍ରା ଶେଷ ହେବା ପରେ ଦେବ ଦମ୍ପତ୍ତି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।