ଦେବ ଦମ୍ପତ୍ତିଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ସହ ସମ୍ବଲପୁର ଶୀତଳଷଷ୍ଠୀ ଉଦଯାପିତ | News Room Odisha

ଦେବ ଦମ୍ପତ୍ତିଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ସହ ସମ୍ବଲପୁର ଶୀତଳଷଷ୍ଠୀ ଉଦଯାପିତ

ସମ୍ବଲପୁର : ଦୀର୍ଘ 24 ଘଣ୍ଟା ଧରି ଅଗଣିତ ଭକ୍ତଙ୍କୁ ଯୁଗଳ ଦର୍ଶନ ଦେବା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ନବ ବିବାହିତ ଦେବ ଦମ୍ପତ୍ତି। ଦୁଇଦିନ ଧରି ନଗର ପରିକ୍ରମାରେ ଦୁଲୁକି ଉଠିଥିଲା ସମ୍ବଲପୁର ସହର। ଆଉ ଶିବ ପାର୍ବତୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ପରେ ଶେଷ ହୋଇଛି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଦେଶର ବିଭିନ୍ନ ପ୍ରାନ୍ତର ହଜାର ହଜାର କଳାକାରଙ୍କ ସମାଗମରେ ସମ୍ବଲପୁର ଉଠୁଥିଲା ଆଉ ପଡୁଥିଲା।

ଗତକାଲି ବ୍ରାହ୍ମ ମୁହୁର୍ତ୍ତରେ ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଥିଲା। ଆଉ ଗତକାଲି ରାତିରୁ ଆରମ୍ଭ ହୋଇଥିଲା ଯୁଗଳ ଦର୍ଶନ ଶୋଭାଯାତ୍ରା। ଦୀର୍ଘ 2 ବର୍ଷ ପରେ ଅନୁଷ୍ଠିତ ଏହି ଶୋଭାଯାତ୍ରା ଦେଖିବାକୁ ସାରା ସମ୍ବଲପୁର ଲୋକାରଣ୍ୟ ହୋଇଯାଇଥିଲା। ଏଥିରେ ସାମିଲ ହୋଇଥିଲେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତର ଲୋକନୃତ୍ୟ ଏବଂ ଆଧୁନିକ ନୃତ୍ୟ ଦଳ। ପ୍ରାୟ 20 ହଜାର କଳାକାରଙ୍କ ପ୍ରଦର୍ଶନରେ ସମ୍ବଲପୁର ଦୁଲୁକି ଉଠିଥିଲା। ତେବେ, 4 ବର୍ଷ ପୂର୍ବରୁ ଝାଡୁଆପଡାର ଲୋକନାଥ ବାବା ବିରାଟ ରୂପାର ପରଭାରେ ବିରାଜମାନ କରୁଥିବା ବେଳେ ଏବର୍ଷ ନନ୍ଦପଡାର ବଂ ବରାଡ ବାଲୁଙ୍କେଶ୍ବର ବାବା ବି ବିରାଟ ଆକର୍ଷଣୀୟ ରୂପା ପରଭା ବା ମେଢରେ ବିରାଜମାନ କରିଥିଲେ।

ଏହି ଶୋଭାଯାତ୍ରାରେ ପଞ୍ଜାବ, ହରିଆଣା, ଛତିଶଗଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଆଦି ବିଭିନ୍ନ ରାଜ୍ୟ ସମେତ ଓଡିଶାର ଅଧିକାଂଶ ଜିଲ୍ଲାର ଲୋକନୃତ୍ୟ ଦଳ ସାମିଲ ହୋଇଥିଲେ। ତେବେ, ଗତକାଲି ରାତିରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ଆଜି ଦିନ ବେଳା ମାତ୍ର 4 ଘଣ୍ଟାର ବିରତି ପରେ ପୁଣି ଆରମ୍ଭ ହୋଇଥିଲା। ଆଉ ଆଜିର 42 ଡିଗ୍ରି ତାପମାତ୍ରା ଭିତରେ ବି ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ଶୋଭାଯାତ୍ରା ଗୁଡିକ ମନ୍ଦିର ସମ୍ମୁଖକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଷଷ୍ଠୀ ଯାତ୍ରା ଉଦଯାପିତ ହୋଇଛି। ଆଉ ସମସ୍ତ କଳାକାର ନିଜ ନିଜ ଅଞ୍ଚଳକୁ ବାହୁଡି ଯାଇଛନ୍ତି। ମୋଟାମୋଟି ଭାବେ ଷଷ୍ଠୀ ଯାତ୍ରା ଏଥର ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଛି। ଏଥିପାଇଁ 35 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।