ଓଡ଼ିଶାର ପ୍ରାଚୀ ତଟରେ ରହିଛି ପୁରାଣ ଯୁଗରୁ ଶ୍ରୀମଧୁକେଶ୍ୱର ମନ୍ଦିର  | News Room Odisha

ଓଡ଼ିଶାର ପ୍ରାଚୀ ତଟରେ ରହିଛି ପୁରାଣ ଯୁଗରୁ ଶ୍ରୀମଧୁକେଶ୍ୱର ମନ୍ଦିର 

କଟକ ଜିଲ୍ଲା ନିଆଳୀ ରାସ୍ତାରେ ଛଅ ସାତ କିଲୋମିଟର ପଥ ଅତିକ୍ରାନ୍ତ କଲାପରେ ଦୁଇଟି ବହୁ ପ୍ରାଚୀନ ମନ୍ଦିର ଦୃଷ୍ଟିଗୋଚର ହୁଏ l ତାହା ହେଉଛି ବୁଧକେଶ୍ୱର ଓ ମଧୁକେଶ୍ୱର ମନ୍ଦିର। ନାମରେ ଏହି ଦୁଇ ପ୍ରାଚୀନ ମନ୍ଦିର ମହାନଦୀର ଶାଖା ନଦୀ କୁଶଭଦ୍ରା ତଟରେ ଅବସ୍ଥିତ l ନଦୀର ଉଭୟ ପାର୍ଶ୍ୱରେ ଦୁଇଟିଯାକ ମନ୍ଦିର ସଗର୍ବେ ଦଣ୍ଡାୟମାନ ଏବଂ ଭାରତ ସରକାରଙ୍କ ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ l

ଏଠାକୁ ଗମନା ଗମନ ପାଇଁ ସଠିକ ଠିକଣା କହିବାକୁ ଗଲେ ଏହା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକ ର ଦେଉଳିଧରପୁର ପଞ୍ଚାୟତର ଭଅଁରା ନିଜଗଡ଼ ଗ୍ରାମ l

ଏହି ଦୁଇଟି ମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମାଣ କରାଯାଇଛି l ମଧୁକେଶ୍ୱର ମନ୍ଦିର ପ୍ରବେଶ ପଥରେ ଏକ ସୁନ୍ଦର ତୋରଣ ରହିଛି l ଦୁଇଟି ଯାକ ମନ୍ଦିରର ବିମାନ ରେଖ ଶୈଳୀ ରେ ନିର୍ମିତ ହୋଇଥିବାବେଳେ ଜଗମୋହନ ପୀଢ଼ ଶୈଳୀରେ ନିର୍ମିତ l ତୋରଣଟି କିନ୍ତୁ କେବଳ ମଧୁକେଶ୍ୱର ମନ୍ଦିର ରେ ରହିଛି l ବୁଧକେଶ୍ୱର ମନ୍ଦିରରେ ଏହିପରି ତୋରଣ ନାହିଁ କେବଳ ବିମାନ ଓ ଜଗମୋହନ ରହିଛି l
ମଧୁକେଶ୍ୱର ମନ୍ଦିର ଭିତର ପାର୍ଶ୍ୱରେ ଏକ ଶିଳାଲେଖ ରହିଛି ଯେଉଁଥିରେ ଗଜପତି ଶାସକଙ୍କ ଦ୍ୱାରା ମନ୍ଦିର ନିର୍ମାଣ ହେବାର କଥା ଲେଖା ହୋଇଛି ମାତ୍ର ମନ୍ଦିର ଦ୍ଵୟର ପ୍ରାଚୀନତା ଓ ଗଠନ ଶୈଳୀରୁ ଏହା ଆହୁରି ପ୍ରାଚୀନ ଏବଂ ସୋମବଂଶୀ ଶାସକଙ୍କ ଦ୍ୱାରା ନିର୍ମାଣ କରାଯାଇ ଥିବା ଅନୁମେୟ l ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତିକୁ ଛାଡ଼ିଦେଲେ ମନ୍ଦିର ଦ୍ୱୟରେ ବିଶେଷ କାରୁକାର୍ଯ୍ୟ ଦେଖିବାକୁ ମିଳେ ନାହିଁ l

ମଧୁକେଶ୍ୱର ମନ୍ଦିରଟି ଯେହେତୁ କୁଶଭଦ୍ରା ନଦୀ କୂଳକୁ ଲାଗିକରି ରହିଛି ଏଣୁ ବର୍ଷା ଦିନେ ମନ୍ଦିର ପରିସରଟି ଜଳାର୍ଣ୍ଣବ ରହିଥାଏ। ଏହି ଅଞ୍ଚଳର ଆଉ ଏକ ପରିଚୟ ହେଲା ଏହି ଗ୍ରାମଟି ଭାରତର ପୂର୍ବତନ ବାଚସ୍ପତି ସ୍ବର୍ଗୀୟ ରବି ରାୟଙ୍କ ଜନ୍ମସ୍ଥାନ l ଏହା ବ୍ୟତୀତ ବୁଧକେଶ୍ୱର ମହାଦେବଙ୍କୁ ମଧୁକେଶ୍ୱର ମହାଦେବଙ୍କ ଜ୍ୟେଷ୍ଠ ଭ୍ରାତା ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି l

ଏହି ସ୍ଥାନକୁ ଭୁବନେଶ୍ୱର ରୁ ଆସିବାକୁ ହେଲେ ଉତ୍ତରା ଛକରୁ ବାଲିପାଟଣା, ବନମାଳୀପୁର ବଜାର ଦେଇ ଦେଉଳିଧରପୁର ଗ୍ରାମକୁ ଯାଇହେବ ଏବଂ କଟକ ପଟରୁ ଯିବାକୁ ହେଲେ ନିଆଳି ବଜାର ପୂର୍ବରୁ ନିଆଳି ମହାବିଦ୍ୟାଳୟ ପାର୍ଶ୍ୱରେ ଗୋଟେ ରାସ୍ତା ଗୋପ କେନାଲ କରେ କରେ ଦେଉଳଧରିପୁର ଗାଁକୁ ପଡ଼ିଛି l ସେଠାରେ ପହଞ୍ଚି ଏହି ଦୁଇ ମନ୍ଦିରକୁ ଦେଖିହେବ l

ଆମ ସଂସ୍କୃତି ପରମ୍ପରା ଓ କୀର୍ତ୍ତି ରାଜିକୁ ବଞ୍ଚାଇ ରଖିଥିବା ଏହି ପ୍ରାଚୀନ୍ନ ସ୍ମୃତି ନିଶ୍ଚିତ ଆମ ପରପୀଢ଼ି ପାଇଁ ପ୍ରେରଣା ଦାୟୀ ହୋଇ ରହିବ। ଧର୍ମୀୟ ସଂସ୍କୃତି ରେ ପୁରାଣ ର ସ୍ଥାନ ବହୁ ଉଚ୍ଚ ରେ। ଏହିସବୁ କୀର୍ତ୍ତିରାଜି ସେଇ ପୁରାଣ ସହିତ ଜଡିତ। ତେଣୁ ପ୍ରାଚୀନ୍ନ ଏହି କୀର୍ତ୍ତି ରାଜି ସୁରକ୍ଷିତ ରହିବା ଦରକାର।ଏବଂ ଏହିସବୁ ପୌରାଣିକ ପୀଠ କୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ।