ବାରବାଟୀ ମ୍ୟାଚ ପାଇଁ ଆଜିଠୁ କାଉଣ୍ଟର ଟିକେଟ ବିକ୍ରି | News Room Odisha

ବାରବାଟୀ ମ୍ୟାଚ ପାଇଁ ଆଜିଠୁ କାଉଣ୍ଟର ଟିକେଟ ବିକ୍ରି

କଟକ- ବାରବାଟୀରେ ଭାରତ – ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଆଜି କାଉଣ୍ଟର ଟିକେଟ ବିକ୍ରି ଆରମ୍ଭ ହୋଇଛି । ସେଥିପାଇଁ ଗତକାଲି ରାତିରୁ ଲାଗିଛି ଲମ୍ବା ଲାଇନ୍। ଆଜି ଓ ଆସନ୍ତାକାଲି କାଉଣ୍ଟରରେ ଟିକେଟ ବିକ୍ରି ହେବ। ଏଥିପାଇଁ ମୋଟ ୯ଟି କାଉଣ୍ଟର କରାଯାଇଛି। ପୁରୁଷ ଦର୍ଶକଙ୍କ ଲାଗି ୭ଟି କାଉଣ୍ଟର କରାଯାଇଥିବା ବେଳେ ମହିଳାଙ୍କ ଲାଗି ୨ଟି ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି। ଜଣଙ୍କୁ କେବଳ ଦୁଇଟି ଟିକେଟ ବିକ୍ରି କରାଯାଇପାରିବ।

ପୂର୍ବରୁ ଅନ୍‌ଲାଇନରେ ୫ହଜାର ଟିକେଟ୍ ବିକ୍ରି ସରିଥିବା ବେଳେ ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ, ଆସୋସିଏସନ ପାଇଁ ୮ହଜାର ଟିକେଟ୍ ବିକ୍ରି ହୋଇଥିଲା। ଆଉ ମାତ୍ର ୧୨ ହଜାର ଟିକେଟ୍ କାଉଣ୍ଟରରେ ବିକ୍ରି କରାଯିବ। ଟିକେଟ୍ କିଣିଲା ବେଳେ ଦର୍ଶକ ଯେ କୌଣସି ପରିଚୟ ପତ୍ର ଦେଖାଇ କିଣିପାରିବେ। ଟିକେଟ୍ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।