ପର୍ଯ୍ୟଟନ ମାନଚିତ୍ରରେ ବ୍ରହ୍ମପୁରକୁ ସ୍ୱତନ୍ତ୍ର ସ୍ଥାନ ଦେବ ରକ୍ ଗାର୍ଡେନ୍ | News Room Odisha

ପର୍ଯ୍ୟଟନ ମାନଚିତ୍ରରେ ବ୍ରହ୍ମପୁରକୁ ସ୍ୱତନ୍ତ୍ର ସ୍ଥାନ ଦେବ ରକ୍ ଗାର୍ଡେନ୍

ବ୍ରହ୍ମପୁର: ଦେଶର ଦ୍ଵିତୀୟ ତଥା ରାଜ୍ୟର ପ୍ରଥମ ରକ୍ ଗାର୍ଡେନ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ। ଆଉ ଏହି ପ୍ରସ୍ତର ଉଦ୍ୟାନ ଗଞ୍ଜାମ ଜିଲ୍ଲା ତଥା ରେଶମ ସହରକୁ ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ଜିଲ୍ଲା ତଥା ରାଜ୍ୟ ଏପରିକି ଦେଶର ପର୍ଯ୍ୟଟନ ମାନଚିତ୍ରରେ ରେଶମ ସହରକୁ ଏକ ସ୍ଵତନ୍ତ୍ର ସ୍ଥାନ ଦେବ ଏହି ରକ୍ ଗାର୍ଡେନ୍। ଏଠିକାର ପ୍ରସ୍ତର ନିର୍ମିତ କଳାକୃତି ସାଙ୍ଗକୁ ଅନେକ ଅଜୁବା ଦେଶବିଦେଶରୁ ଦେଖଣାହାରୀଙ୍କୁ ମଧ୍ୟ ଟାଣି ଆଣିବ। ଫଳରେ ଜିଲ୍ଲା ତଥା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ସାଙ୍ଗକୁ ଆର୍ଥିକ ସ୍ଥିତି ସମୃଦ୍ଧ ହେବା ନିଶ୍ଚିତ।

ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରି ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀଙ୍କ ସମେତ ସ୍ଥାନୀୟ ଅଞ୍ଚଳ, ଜିଲ୍ଲା ଓ ମୋଟାମୋଟି ଭାବେ ରାଜ୍ୟର ଆର୍ଥିକ ବିକାଶର ଦୂରଦୃଷ୍ଟି ସମ୍ପନ୍ନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟୟକଙ୍କ ଯୋଜନାର ଏକ ନଜିର ହେଉଛି ରକ୍ ଗାର୍ଡେନ୍। ୨୦୧୬ରେ ମୁଖ୍ୟମନ୍ତ୍ରୀ ନିଜେ ଏହାର ଶିଳାନ୍ୟାସ କରିଥିଲେ। ପ୍ରାଥମିକ ଭାବେ ୮.୧୩ କୋଟି ବଜେଟ୍‌ ଥିବା ବେଳେ ବର୍ତ୍ତମାନ ବ୍ୟୟ ଅଟକଳ ୧୨ କୋଟିକୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର୍ ଡ. ସିଦ୍ଧେଶ୍ଵର ବଳିରାମ ବୋନ୍ଦାର। କାରଣ ଏଥିରେ ପରବର୍ତ୍ତୀ ସମୟରେ ବିଭିନ୍ନ ନୂଆ ଓ ନିଆରା ବ୍ୟବସ୍ଥା, ସୁବିଧା ସୁଯୋଗ ଯୋଡ଼ି ହୋଇଛି। କହିବା ବାହୁଲ୍ୟ ଚଣ୍ଡୀଗଡର ପ୍ରସ୍ତର ଉଦ୍ୟାନ କେବଳ ପଥର କଳାକୃତିରେ ଭରପୁର ରହିଥିବା ବେଳେ ରେଶମ ସହରର ରକ୍ ଗାର୍ଡେନ୍ ପ୍ରସ୍ତର କାରୁକାର୍ଯ୍ୟ ସହ ଅନ୍ୟାନ୍ୟ କଳାକୃତିରେ ସମୃଦ୍ଧ ରହିବ।

ଶୀଘ୍ର ଜନସାଧାରଣଙ୍କ ମନୋରଞ୍ଜନ, ଆମୋଦପ୍ରମୋଦ ଉଦ୍ଦେଶ୍ୟରେ ଉଦ୍‌ଘାଟିତ ହେବାକୁ ଥିବା ଏହି ପାର୍କରେ ପର୍ଯ୍ୟଟକ ତଥା ଆଗନ୍ତୁକ ଦେଖିବାକୁ ପାଇବେ ଦର୍ପଣ ସମୂହର ଯାଦୁ। ଏହି ପାର୍କ ପରିସରରେ ପ୍ରାୟ ୫ ଏକର ଜାଗାରେ ନିର୍ମିତ ହୋଇଛି ମୀରର ମେଜ୍ ବା ମ୍ୟାଜିକ୍ ମୀରର୍ ଚ୍ୟାମ୍ବର୍। ନିଆରା ଆଇସ୍‌ ଏଜ୍ (ହିମ କାଳଖଣ୍ଡ) ଥିମ୍‌କୁ ଆଧାର କରି ନିର୍ମିତ ଏହି ଚ୍ୟାମ୍ବର୍ ଦର୍ଶକଙ୍କୁ ଆମୋଦିତ ତଥା ରୋମାଞ୍ଚିତ କରିବ। ଏହି ଦର୍ପଣର ଭୁଲଭୁଲେୟାକୁ ଏଭଳି ପ୍ରସ୍ତୁତ କରାଯାଉଛି ଦେଖଣାହାରୀ ନିଜକୁ ଦର୍ପଣରେ ବରଫାବୃତ୍ତ ପରିବେଶରେ ଆବିଷ୍କାର କରିବେ। ତୁଷାର ଭାଲୁ, ବରଫ ଘର ବା ଇଗଲୁ, ଚାରିଆଡ଼େ ବରଫାବୃତ ପରିବେଶକୁ ଦେଖିବା ଭଳି ଅନୁଭବ କରିବେ ଦର୍ଶକ। ଏଥିସହ ବିଭିନ୍ନ ବୟସ ବର୍ଗର ପର୍ଯ୍ୟଟକଙ୍କ ଋଚି ପୂରଣ କରିପାରିବା ଭଳି ଥ୍ରୀ-ଡି ଥିଏଟର୍‌, ଓପନ୍ ଥିଏଟର୍, ୱାଚ୍ ଟାଓ୍ବାର୍, ଏଲ୍‌ଇଡି ଗାର୍ଡେନ୍, ସ୍ୱତନ୍ତ୍ର୍ୟତା ଭରା ଫାଉଣ୍ଟେନ୍, ଫୁଡ୍ କୋର୍ଟ ଆଦିର ମଧ୍ୟ ମଜା ଉଠାଇ ପାରିବେ ଦେଖଣାହାରୀ। ଗୋଟିଏ ପଟେ ପ୍ରକୃତିର ସମ୍ଭାର, ଆରପଟେ କୃତ୍ରିମତାର ଆକର୍ଷଣ, ଉଭୟ ପର୍ଯ୍ୟଟକଙ୍କୁ ବିମୋହିତ କରିବା ନିଶ୍ଚିତ।

ଥ୍ରୀ-ଡି ଥିଏଟର୍‌ରେ ବାସ୍ତବତା ସହ ଭର୍ଚୁଆଲର ଅନୁପମ ଅନୁଭୂତି ହାସଲ କରିପାରିବେ ଦର୍ଶକ। ଲୁମିନାର୍ ଜେଟ୍, ସ୍ପ୍ଲାସ୍ ପୁଲ୍ ଭଳି ଫାଉଣ୍ଟେନ୍ ଆପଣଙ୍କୁ ରୋମାଞ୍ଚିତ କରିବ। ଏପଟୁ ପାଣି ଫୁଆରା ସେପଟକୁ ଯିବ ଓ ସେପଟରୁ ଏପଟକୁ ଆସିବ। ମଝିରେ ଆପଣ ପାଥ୍-ୱେ ଦେଇ ଅତିକ୍ରମ କରିବେ। ଆପଣ ଚାଲି ଯାଉଥିବେ, ତଳୁ ପାଣି ଫୁଆରା ଉଠିବ, ଆପଣଙ୍କ ପାଦକୁ ଓଦା କରିବାର ରୋମାଞ୍ଚ ଅନୁଭୂତି ମିଳିବ। ଆହୁରି ମଧ୍ୟ ୪୦ ଫୁଟ ଚଉଡ଼ା, ପ୍ରାୟ ୧ ହଜାର ଫୁଟ ଗୋଲେଇ ସ୍ଥାନର କେନ୍ଦ୍ର ସ୍ଥଳରେ ପଥରରେ ନିର୍ମିତ ବିଭିନ୍ନ କାରୁକାର୍ଯ୍ୟ, ଐତିହ୍ୟସମ୍ପନ୍ନ ମୂର୍ତ୍ତି, ବୁଦ୍ଧ ମୂର୍ତ୍ତି, ସବୁଜ ଗାଲିଚା ଆଦି ଆପଣଙ୍କୁ ରକ୍ ଗାର୍ଡେନ୍‌ର ବାସ୍ତବ ଅନୁଭୂତି ଆଣିଦେବ। କାଫେ- ରେସ୍ତୋରାଁ, ପ୍ରସ୍ତର ନିର୍ମିତ ପାଭାଲିୟନ୍ ଆଦି ପ୍ରକୃତି ସହ ଆପଣଙ୍କୁ ନିକଟତର କରାଇବା ସାଙ୍ଗକୁ ଖାଦ୍ୟପେୟର ମଜା ଆଣିଦେବ। ଫ୍ରି ସାଇକେଲ୍ ରାଇଡ୍, ପିଲାଙ୍କ ପାଇଁ ଚେସ୍ ଓ ଲୁଡୋ ଭଳି ଖେଳିବା ସ୍ଥାନ ନିର୍ମାଣ ଯୋଜନା ମଧ୍ୟ ରହିଛି।

ନିକଟରେ ବିଡିଏ ଦ୍ଵାରା ନିର୍ମାଣ ଚାଲିଥିବା ଏହି ରକ୍ ଗାର୍ଡେନ୍ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ମେୟର୍ ସଂଘମିତ୍ରା ଦଳାଇ, ଡେପୁଟୀ ମେୟର୍ ଇ.ବିବେକ ରେଡ୍ଡୀ ଏବଂ ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିଶନର୍ ଡ. ସିଦ୍ଧେଶ୍ଵର ବଳିରାମ ବୋନ୍ଦାର। ଦେଢ଼ ମାସରୁ ଦୁଇ ମାସ ମଧ୍ୟରେ ଏହି ପ୍ରସ୍ତର ଉଦ୍ୟାନ ଜନସାଧାରଣଙ୍କୁ ଲୋକାର୍ପଣ ନିମନ୍ତେ ପ୍ରସ୍ତୁତ ହୋଇଯିବ ବୋଲି ପ୍ରକାଶ କରିଛନ୍ତି ବିଡିଏ ଉପାଧ୍ୟକ୍ଷ। ରାଜ୍ୟର ଏଭଳି ପ୍ରଥମ କିସମର ପ୍ରମୋଦ ଉଦ୍ୟାନ ରେଶମ ସହରକୁ ଅଧିକରୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ବ୍ରହ୍ମପୁରର ପର୍ଯ୍ୟଟନ କ୍ଷେତ୍ର ସହ ଆର୍ଥିକ ସ୍ଥିତି ମଜବୁତ ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି ବିଏମ୍‌ସି ଡେପୁଟୀ ମେୟର ଇ.ବିବେକ ରେଡ୍ଡୀ।