ଧାନ କୁଇଣ୍ଟାଲ ୧୦୦ ଟଙ୍କା ବଢାଇବା ଓଡ଼ିଶାର ଚାଷୀଙ୍କ ପ୍ରତି ଉପହାସ : ବିଜେଡି | News Room Odisha

ଧାନ କୁଇଣ୍ଟାଲ ୧୦୦ ଟଙ୍କା ବଢାଇବା ଓଡ଼ିଶାର ଚାଷୀଙ୍କ ପ୍ରତି ଉପହାସ : ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାର ଗତକାଲି ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ( ଏମଏସପି ) ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଫଳରେ ୨୦୨୧ – ୨୨ ରୁ କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କା ଥିବା ସାଧାରଣ ଧାନର ଦର ୨୦୨୨ – ୨୩ ବର୍ଷ ପାଇଁ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ହୋଇଛି । ଧାନର ଏଭଳି ନଗଣ୍ୟ ଦରବୃଦ୍ଧି ଓଡିଶା ଚାଷୀକୂଳ ପ୍ରତି ଉପହାସ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଡକ୍ଟର ସସ୍ମିତ ପାତ୍ର ।

ଧାନର ମୂଲବୃଦ୍ଧି ଉପରେ ଡକ୍ଟର ପାତ୍ର କହିଛନ୍ତି ଯେ ସ୍ଵାମୀନଥନ୍ କମିଶନ ଧାନର ଏମ୍ଏସ୍‌ପିକୁ ଉତ୍ପାଦନ ମୂଲ୍ୟର ସି୨ ହାରରେ ୧.୫ ଗୁଣ ବୃଦ୍ଧି କରିବାକୁ ଯେଉଁ ସୁପାରିଶ କରିଥିଲେ ତାହା କେନ୍ଦ୍ର କରିନାହିଁ । ୨୫ ମାର୍ଚ୍ଚ , ୨୦୧୭ ରେ , ଓଡ଼ିଶା ବିଧାନସଭା ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରି ସାଧାରଣ ଧାନର ଏମଏସପି କୁଇଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି । ବିଜେପି , କଂଗ୍ରେସ ଏବଂ ବିଜେଡିର ସମସ୍ତ ବିଧାୟକ ଏହାକୁ ସର୍ବସମ୍ମତି କ୍ରମେ ସମର୍ଥନ କରିଛନ୍ତି । କିନ୍ତୁ ଏହି ସଂକଳ୍ପ ପାରିତ ହେବାର ପାଞ୍ଚ ବର୍ଷ ପରେ ମଧ୍ୟ ବିଜେଡି ସାଂସଦଙ୍କ ସଂସଦ ତଥା ଓଡ଼ିଶା ବିଧାନସଭାରେ ରଖାଯାଇଥିବା ଅନେକ ଦାବି ପରେ ମଧ୍ୟ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରି ନାହିଁ ।

ଧାନର ଏମଏସ୍‌ପି କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପ୍ରସଙ୍ଗ ବ୍ୟତିତ କେନ୍ଦ୍ର ମଧ୍ୟ ଓଡିଶାରୁ ଅତିରିକ୍ତ ଉଷୁନା ଚାଉଳ ଉଠାଇବା ବନ୍ଦ କରିବାକୁ ନିଷ୍ପତି ନେଇଛି । ଓଡିଶାରେ ଉତ୍ପାଦିତ ଅଧିକାଂଶ ଚାଉଳ ହେଉଛି ଉଷୁନା ଚାଉଳ ଏବଂ ଦେଶର ପିଡିଏସ୍ ଚାଉଳରେ ଅବଦାନ ପାଇଁ ଏହା ଏକ ଅଗ୍ରଣୀ ରାଜ୍ୟ ଅଟେ । ବଳକା ଉଷୁନା ଚାଉଳ ଉଠାଇବା ବନ୍ଦ କରିବା ପାଇଁ କେନ୍ଦ୍ରର ନିଷ୍ପଭି ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ଏବଂ ପଶ୍ଚିମ ଓଡିଶାରେ ମଧ୍ୟ ଏହା ଅଧିକ ପ୍ରଭାବ ପକାଇବ । ୨୦୨୧ – ୨୨ ଖରିଫ ମାର୍କେଟିଂ ସିଳିନ ( କେଏମଏସ୍ ) ରେ ୫୨ ଲକ୍ଷ ଟନ୍ ଚାଉଳ ସଂଗ୍ରହ ମଧ୍ୟରୁ , ସାଧାରଣ ବଣ୍ଟନ ବ୍ୟବସ୍ଥା ( ପିଡିଏସ୍ ) ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ଅଧୀନରେ ରାଜ୍ୟର ବ୍ୟବହାର ପ୍ରାୟ ୩୯ ଲକ୍ଷ ଟନ୍ ହେବ । ରାଜ୍ୟରେ ୧୩ ଲକ୍ଷ ଟନ ଚାଉଳ ବଳକା ହେବାର ସମ୍ଭାବନା ଅଛି ଯାହାକୁ ତୁରନ୍ତ ଉଠାଇବା ଉଚିତ୍ । କିନ୍ତୁ କେନ୍ଦ୍ର ଏହି ପ୍ରସଙ୍ଗରେ ନିରବ ରହିଛି ।

ଏଥିସହ ଖାଉଟି ବ୍ୟାପାର , ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ( ଡିଏଫପିଡି ) ଦ୍ଵାରା ଦିଆଯାଇଥିବା ଲକ୍ଷ୍ୟ ଅନୁଯାୟୀ ପାଞ୍ଚ ଲକ୍ଷ ଟନ୍ ଭିଟାମିନଯୁକ୍ତ ଉଷୁନା ଚାଉଳକୁ ଏଫସିଆରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି । ୨୦୨୧ – ୨୨ , କେଏମଏସ୍ ସମୟରେ ଅଧିକ ପରିମାଣର ଭିଟାମିନଯୁକ୍ତ ଉଷୁନା ଚାଉଳ ବିତରଣ କରିବା ସ୍ଥିତିରେ ରାଜ୍ୟ ଅଛି ଏବଂ ଡିଏଫପିଡି କୁ ଭିଟାମିନଯୁକ୍ତ ଚାଉଳର ଅତିରିକ୍ତ ଲକ୍ଷ୍ୟ ଦେବାକୁ ଅନୁରୋଧ କରାଯାଇଛି । କିନ୍ତୁ ଅଧିକ ପରିମାଣର ଲକ୍ଷ୍ୟ ପାଇଁ କେନ୍ଦ୍ର ପକ୍ଷରୁ ଏପର୍ଯ୍ୟନ୍ତ ରାଜ୍ୟକୁ ସୂଚିତ କରାଯାଇନାହିଁ ।

ଓଡିଶା ସରକାର ୧୦ , ୩୩୩ କୋଟି ଟଙ୍କା ଖାଦ୍ୟ ସବସିଡି ବିଲ୍ ପ୍ରଦାନ କରିବାକୁ ଦାବି କରିଥିଲେ । ରାଜ୍ୟରେ ଧାନ ସଂଗ୍ରହ କରୁଥିବା ସଂସ୍ଥାକୁ ଆର୍ଥିକ ଚାପରୁ ମୁକୁଳାଇବା ପାଇଁ କେନ୍ଦ୍ର ତୁରନ୍ତ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ଦାବି କରୁଥିବା ସତ୍ତ୍ଵେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ରାଜ୍ୟ ସରକାରଙ୍କ ପାଇଁ ଧାନ ଖରିଦ ସକାଶେ ନିଯୁକ୍ତ ସଂସ୍ଥା ଓଡିଶା ରାଜ୍ୟ ଯୋଗାଣ ନିଗମର ୨୦୨୨ ଏପ୍ରିଲ୍ ଶେଷ ସୁଦ୍ଧା ୭୯୩୧ , ୯୦ କୋଟି ଟଙ୍କାର ଅସ୍ଥାୟୀ ସବସିଡି ଏବଂ ୨୪୦୨.୧୯ କୋଟି ଟଙ୍କାର ଅଗ୍ରାମ ସବସିଡି ଏହିଭଳି ମୋଟ ୧୦ , ୩୩୪ କୋଟି ଟଙ୍କା ହୋଇଗଲାଣି । ଆହୁରି ମଧ୍ୟ ଅତିରିକ୍ତ ସୁଧ ପ୍ରଦାନରେ ବିଳମ୍ବ ଏବଂ ସବସିଡିର ସ୍ଵଳ୍ପ ମଞ୍ଜୁର ହେତୁ ମାର୍ଚ୍ଚ ୩୧ , ୨୦୨୨ ସୁଦ୍ଧା ପ୍ରାୟ ୫୪୫୪.୬୭ କୋଟି ଟଙ୍କାର ଅତିରିକ୍ତ ବୋଝ ହୋଇଛି ଯାହା ଭରଣା କରାଯାଇ ପାରୁନାହିଁ । କେନ୍ଦ୍ର ସୁଧ ବାବଦ ଦେୟ ପ୍ରଦାନ କରିବା ଉଚିତ୍‌ , ଏହା ନହେଲେ ରାଜ୍ୟ ଅତିରିକ୍ତ ବୋଝ ବହନ କରିବ । କିନ୍ତୁ କେନ୍ଦ୍ର ଏ ବାବଦରେ କୌଣସି ପଦକ୍ଷେପ ନେଉନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି ।