ଯାଜପୁର ତହସିଲ ଅର୍ଥ ଆତ୍ମସାତ ମାମଲା: ୬ ବର୍ଷ ପରେ ଧରାପଡିଲେ ପୂର୍ବତନ ନାଜିର | News Room Odisha

ଯାଜପୁର ତହସିଲ ଅର୍ଥ ଆତ୍ମସାତ ମାମଲା: ୬ ବର୍ଷ ପରେ ଧରାପଡିଲେ ପୂର୍ବତନ ନାଜିର

ଯାଜପୁର – ୬ ବର୍ଷ ପରେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି ଯାଜପୁର ତହସିଲର ପୂର୍ବତନ ନାଜିର ରଜତ ରାଉତରାୟ । ସେ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରହିଥିଲା । ୨୦୦୬ରୁ ୨୦୧୬ ମସିହା ଭିତରେ ଯାଜପୁର ତହସିଲରେ ସୈରାତ ନିଲାମ ଅର୍ଥ, ଜରୁରୀକାଳୀନ ବିଭାଗର ସହାୟତା ରାଶି ଓ ଖଜଣା ଅର୍ଥ ଦୁର୍ନୀତି ଅଭିଯୋଗ ହୋଇଥିଲା। ମୋଟ ୪ କୋଟି ୯୫ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ନେଇ ସ୍ପେଶାଲ ରେଭିନ୍ୟୁ ଅଡିଟ୍‌ ବେଳେ ଜଣାପଡିଥିଲା ।

୧୦ ବର୍ଷ ଭିତରେ ତହସିଲରେ କାର୍ଯ୍ୟରତ ୭ ଜଣ ତହସିଲ୍‌ଦାର, କ୍ୟାସିୟର, କିରାଣୀ ଓ ନାଜିର ରଜତ ରାଉତରାୟଙ୍କୁ ମିଶାଇ ୧୨ ଜଣ ଏହି ଦୁର୍ନୀତିରେ ଲିପ୍ତ ଥିବା ସ୍ପଷ୍ଟ ହୋଇଥିଲା।ନାଜିର ରଜତ ରାଉତରାୟ ଏହି ଦୁର୍ନୀତର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଥିଲା। ଏହା ପରେ ସମସ୍ତଙ୍କୁ ନୋଟିସ୍‌ ହୋଇଥିବା ବେଳେ ରଜତକୁ ଚାକିରିରୁ ସସ୍‌ପେଣ୍ଡ କରାଯାଇଥିଲା। ଦୁର୍ନୀତି ଟଙ୍କା ଫେରାଇଲେ ପୁଣି ଥରେ ଚାକିରି ଫେରିପାଇବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ରଜତ ମାତ୍ର ୪୦ରୁ ୫୦ ଲକ୍ଷ ଟଙ୍କା ଫେରାଇ ଚମ୍ପଟ ମାରିଥିଲେ।

ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ୨୦୧୬-୧୭ ମସିହାରେ ରାଜ୍ୟ ସରକାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୨୦୧୬ ମସିହାରୁ ଫେରାର ଥିବା ନାଜିର ରଜତକୁ ଆଜି ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ନେଇ ଆଶା ପ୍ରକାଶ ପାଇଛି ।