ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧାନ ବ୍ୟତୀତ ଉଦ୍ୟାନ କୃଷି ପାଇଁ ନାଁ କରିଛି। ପନିପରିବାରୁ ଆରମ୍ଭ କରି ଲଙ୍କା ମରିଚ ଓ ମାଛ ଚାଷ ବ୍ୟାପକ ଭାବେ ହୋଇଆସୁଛି। ତେବେ ଉପଯୁକ୍ତ ସଂରକ୍ଷଣ ଅଭାବରୁ ଚାଷୀଙ୍କୁ ଏହାର ସୁଫଳ ମିଳିପାରୁନାହିଁ। ଏଥିପାଇଁ ପର୍ଯ୍ୟାପ୍ତ ଶୀତଳଭଣ୍ଡାର ନିର୍ମାଣ କରିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି। ଆଉ ସୁଇଜରଲ୍ୟାଣ୍ଡ ଜ୍ଞାନକୌଶଳରେ ଏହି ଶୀତଳଭଣ୍ଡାର ନିର୍ମାଣ କରିବାକୁ ଯୋଜନା ହୋଇଛି। ଏନେଇ ସୁଇଜରଲ୍ୟାଣ୍ଡର ଏକ ବିଶେଷଜ୍ଞ ସଂସ୍ଥା ଏବଂ ରାଉରକେଲାର କୋଏଲ୍ ଫ୍ରେସ ନାମକ ସଂସ୍ଥା ମିଳିତ ଭାବେ ସର୍ଭେ କରିଛନ୍ତି।
ଡିଆରଡିଏ ସମ୍ମିଳନୀ କକ୍ଷରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁଇଜରଲ୍ୟାଣ୍ଡର ଉକ୍ତ ସଂସ୍ଥାର ଦୁଇ ଅଧିକାରୀଙ୍କ ସମେତ ରାଉରକେଲାର କୋଏଲ୍ ଫ୍ରେସ ସଂସ୍ଥାର ଅଧିକାରୀ ସାମିଲ ହୋଇଥିଲେ। ସେହିପରି ଡିଆରଡିଏ ପ୍ରକଳ୍ପ ଅଧିକାରୀ ଦିଲ୍ଲୀପ କୁମାର ବଳ, ଓରମାସ ଅଧିକାରୀ ଶ୍ରୀମନ୍ତ ହୋତା ଓ କୃଷି ଏବଂ ଉଦ୍ୟାନ ବିଭାଗର ଅଧିକାରୀ ଅଂଶଗ୍ରହଣ କରିଥିଲେ।
ସବୁ ପ୍ରକାର ପନିପରିବାରୁ ଆରମ୍ଭ କରି ମାଛ ଏବଂ ଅନ୍ଯାନ୍ଯ ଖାଦ୍ୟ ପଦାର୍ଥ ସଂରକ୍ଷଣ ନେଇ ଆଲୋଚନା ହୋଇଥିଲା। ଏଥିପାଇଁ କେତୋଟି ଶୀତଳଭଣ୍ଡାର ଆବଶ୍ୟକ ତାହାର ରିପୋର୍ଟ ମାଗିଛନ୍ତି ଜିଲ୍ଲାପାଳ। ସବିଶେଷ ଅନୁଧ୍ୟାନ ପରେ ଏନେଇ ପାଣ୍ଠି ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହୋଇଛି। ତେବେ, ଭିନ୍ନ ଭିନ୍ନ ଖାଦ୍ୟ ପଦାର୍ଥ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଶୀତଳଭଣ୍ଡାର ଆବଶ୍ୟକ ହେଉଥିବା ବେଳେ ଏହି ସମସ୍ତ ପ୍ରକଳ୍ପ ସୁଇଜରଲ୍ୟାଣ୍ଡର ଜ୍ଞାନକୌଶଳରେ ନିର୍ମାଣ ହେବ ବୋଲି ଜଣାପଡିଛି।