ରାଉରକେଲା ହକି ଷ୍ଟାଡିୟମକୁ ପହଞ୍ଚିଲା ଆଷ୍ଟ୍ରୋ ଟର୍ଫ, ଜର୍ମାନୀର ବିଶେଷଜ୍ଞଙ୍କ ଅନୁଧ୍ୟାନ | News Room Odisha

ରାଉରକେଲା ହକି ଷ୍ଟାଡିୟମକୁ ପହଞ୍ଚିଲା ଆଷ୍ଟ୍ରୋ ଟର୍ଫ, ଜର୍ମାନୀର ବିଶେଷଜ୍ଞଙ୍କ ଅନୁଧ୍ୟାନ

ରାଉରକେଲା: ରାଉରକେଲାର ବୀର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ପହଞ୍ଚିଲା ହକି ଆଷ୍ଟ୍ରୋ ଟର୍ଫ। ଆଉ ଜର୍ମାନୀର ଦୁଇ ଜଣିଆ ବିଶେଷଜ୍ଞ ଦଳ ଏହାର ଅନୁଧ୍ୟାନ କରିଛନ୍ତି। ଆଗାମୀ ମୌସୁମୀ ବର୍ଷା ପୂର୍ବରୁ ଟର୍ଫ ବିଛାଇବା କାମ ସାରିବାକୁ ଲକ୍ଷ୍ଯ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଷ୍ଟାଡିୟମ ନିର୍ମାଣର ୬୦ ପ୍ରତିଶତ କାମ ସରିଯାଇଥିବା ବେଳେ ବଳକା କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବାକୁ ଲକ୍ଷ୍ଯ ରହିଛି।

ଆସନ୍ତା ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍ ଆୟୋଜନର ଭାର ଉଠାଇଛନ୍ତି ଓଡ଼ିଶା ସରକାର। ଏହାର ମ୍ୟାଚ୍ ଗୁଡିକ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିପିୟୁଟି ପରିସରରେ ନିର୍ମାଣଧୀନ ବୀର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଉଭୟ ଷ୍ଟାଡିୟମ ନିର୍ମାଣ ଜୋରସୋରରେ ଚାଲିଛି।

ବିଶେଷ କରି ରାଉରକେଲାର ଷ୍ଟାଡିୟମ ନିର୍ମାଣ କାମକୁ ସରକାର ସର୍ବାଧିକ ଗୁରୁତ୍ବ ଦେଇ ଆସୁଛନ୍ତି। ମୁଖ୍ଯ ଶାସନ ସଚିବ ଏବଂ ୫ଟି ସଚିବ ବାରମ୍ବାର ଗସ୍ତ କରି ଏହାର ନିର୍ମାଣ କାମର ତଦାରଖ କରୁଛନ୍ତି। ଇତିମଧ୍ୟରେ ବୀର୍ସା ଷ୍ଟାଡିୟମର ନିର୍ମାଣ କାମ ୬୦ ପ୍ରତିଶତ ସରିଯାଇଛି। ବଳକା କାମ ଯଥେଷ୍ଟ ପୂର୍ବରୁ ସରିବ। ଏଭଳି ସ୍ଥିତିରେ ଜର୍ମାନୀରୁ ପଲିଟନ୍ ଆଷ୍ଟ୍ରୋ ଟର୍ଫ ବି ଆସି ପହଞ୍ଚିସାରିଛି। ତେବେ, ଏହାକୁ ବିଛାଇବା ପୂର୍ବରୁ ଆବଶ୍ୟକ ବେସ୍ କାମ ଶେଷ ହୋଇଥିବା ବେଳେ ବର୍ଷା ପୂର୍ବରୁ ଏହାକୁ ବିଛାଇବାକୁ ପଡିବ। ତେଣୁ ଗତକାଲି ଜର୍ମାନୀରୁ ଆସିଥିବା ଦୁଇ ଜଣିଆ ବିଶେଷଜ୍ଞ ଦଳ ଏହାର ଅନୁଧ୍ୟାନ କରିଛନ୍ତି। ସେପଟେ ଏହି ଟର୍ଫ ବିଛାଇବା ପୂର୍ବରୁ ପଡିଆରେ ରବର ଗୁଣ୍ଡ ପକାଯିବ। ଏହାପରେ ଏହାକୁ ଗରମ ଥିବା ଅବସ୍ଥାରେ ଏଥିରେ ଟର୍ଫ ବିଛାଯିବ। ଆଉ ଟର୍ଫ ବିଛାଇବାକୁ ସପ୍ତାହେ ଲାଗିବ ବୋଲି ଜଣାପଡିଛି। ପୁଣି ଟର୍ଫ ବିଛାଇବା ପରେ କେଉଁଠି ପାଣି ଜମୁଛି ଦେଖି ତାର ମରାମତି କରାଯିବ। ଆଉ ଆସନ୍ତା ଜାନୁଆରୀ ୧୩ ତାରିଖରେ ଖେଳାଯିବାକୁ ଥିବା ପ୍ରଥମ ବିଶ୍ବକପ୍ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।