ଆରମ୍ଭ ହୋଇପାରେ ଭୁବନେଶ୍ୱର-କାଠମାଣ୍ଡୁ ବିମାନ ସେବା | News Room Odisha

ଆରମ୍ଭ ହୋଇପାରେ ଭୁବନେଶ୍ୱର-କାଠମାଣ୍ଡୁ ବିମାନ ସେବା

ଭୁବନେଶ୍ୱର – ଭୁବନେଶ୍ୱରରୁ ନେପାଳ ରାଜଧାନୀ କାଠମାଣ୍ଡୁକୁ ଉଡ଼ିବ ବିମାନ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱର ଓ ନେପାଳ ରାଜଧାନୀ କାଠମାଣ୍ଡୁ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବା ଯୁକ୍ତିଯୁକ୍ତ। ଏଥିପାଇଁ ମନ୍ତ୍ରାଳୟ ପ୍ରସ୍ତୁତ ଅଛି ‌ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ଭାବେ ବ୍ୟବସାୟିକ ବ୍ୟାପାର ହୋଇଥିବାରୁ ବିମାନ ସେବା ଆରମ୍ଭ ପାଇଁ କୌଣସି ଏୟାରଲାଇନ୍ସ ସହମତି ପ୍ରକାଶ କରିବା ଆବଶ୍ୟକ। ତେଣୁ ଭୁବନେଶ୍ୱର-କାଠମାଣ୍ଡୁ ମଧ୍ୟରେ ବିମାନ ସେବା ଆରମ୍ଭ ଲାଗି କିଛି ପ୍ରମୁଖ ବିମାନ କମ୍ପାନୀଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ମନ୍ତ୍ରୀସିନ୍ଧିଆ ଲିଖିତ ଭାବେ ଜଣାଇଛନ୍ତି। ବିମାନ ଚଳାଚଳ କମ୍ପାନୀର ସହମତି ପରେ ମନ୍ତ୍ରାଳୟ ପକ୍ଷରୁ ଅନୁମତି ଦେବାରେ ସମସ୍ୟା ନାହିଁ ବୋଲି ସେ ଜଣାଇଛନ୍ତି। ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ଗତମାସ ୨୯ ତାରିଖରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପତ୍ର ଲେଖି ଭୁବନେଶ୍ୱର ଓ କାଠମାଣ୍ଡୁ ମଧ୍ୟରେ ବିମାନ ସେବା ଆରମ୍ଭ ପାଇଁ ପ୍ରସ୍ତାବ ଦେଇଥିଲେ। ଅନେକ ଛାତ୍ରଛାତ୍ରୀ ଓଡ଼ିଶାରେ ରହି ପାଠ ପଢୁଛନ୍ତି। ଅନେକ ନେପାଳୀ ଲୋକ ଓଡ଼ିଶାରେ ରହୁଛନ୍ତି। ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଓ ଧାର୍ମିକ ସମ୍ପର୍କ ରହିଛି। ତେଣୁ ଭୁବନେଶ୍ୱର ଓ କାଠମାଣ୍ଡୁ ମଧ୍ୟରେ ବିମାନ ସେବା ଆରମ୍ଭ କରାଯିବା ଆବଶ୍ୟକ ବୋଲି ସେ ଦର୍ଶାଇଥିଲେ।