ଦେବସ୍ନାନ ପୂର୍ଣ୍ଣିମା ଅବସର ରେ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ । ଏହି ଅଲଭ୍ୟ ବେଶ ହେବା ପଛରେ ରହିଛି ଏକ କିମ୍ବଦନ୍ତୀ । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା। ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନା ରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜାନନ ବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ଧାରଣ କରିଥାନ୍ତି । ବଳଭଦ୍ର ଭଗବାନ ଶ୍ୱେତଵର୍ଣ ହୋଇଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ମେଘବର୍ଣ ଗଜ ବେଶରେ ଭକ୍ତଂକୁ ଦର୍ଶନ ଦେଇଥାନ୍ତି।
ଏହି ବେଶରେ ଶ୍ରୀଜୀଉ ଙ୍କ ପାଖରେ ମହାପ୍ରସାଦ ଭୋଗ ନିବେଦନ କରାଯାଇଥାଏ। ଯାହା ତାଙ୍କର ସମ୍ମୁଖ ଭାଗ ସହିତ ବିଗ୍ରହଙ୍କ ପଶ୍ଚାତ ଭାଗରେ ବି ଏହା ବଢା ଯାଇଥାଏ। ବର୍ଷରେ ଏହି ଗୋଟିଏ ଦିନ ପ୍ରଭୁ ଏପରି ନୈବେଦ୍ୟ ଗ୍ରହଣ କରିଥାନ୍ତି। କାରଣ ଗଣପତି ନିଜ ଶୁଣ୍ଢ ଦ୍ୱାରା ଚତୁର୍ଦିଗରୁ ପ୍ରସାଦ ଗ୍ରହଣ କରି ଭକ୍ତର ମନୋବାଞ୍ଛ ପୂରଣ କରିଥାନ୍ତି। ପରମ୍ପରା ଅନୁଯାୟୀ ଏହି ବେଶ ଗୋପାଳତୀର୍ଥ ମଠ ଓ ରାଘବଦଶ ମଠ ପ୍ରସ୍ତୁତ କରି ଥାନ୍ତି। ଏକ ମାସ ଆଗରୁ ସଂପୃକ୍ତ କାରିଗର ମାନେ ନିଷ୍ଠାର ସହିତ ହବିଷ କରି କଦଳୀ ପଟୁକା, କୈନ୍ଥ ଅଠା, ଶୋଲ, କପଡା, ଜରି ଜମ୍ବୁରା, ଓ କଞ୍ଚା ବାଉଁଶ ବ୍ୟବହାର କରି ଏହି ବେଶ ପ୍ରସ୍ତୁତ କରି ଥାନ୍ତି।