ବରଗଡ଼-ବରପାଲି ଏନଏଚ୍ ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ | News Room Odisha

ବରଗଡ଼-ବରପାଲି ଏନଏଚ୍ ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ

ବରଗଡ଼ : ବରଗଡ଼ରୁ ବୋରିଗୁମ୍ମା ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଜୋରସୋରେ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ବରଗଡ଼ରୁ ବରପାଲି ଯାଏଁ ଚାରଥାକିଆ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି। ତେବେ, ଏଥିରେ ଜବରଦଖଲ ମୁଖ୍ୟ ସମସ୍ୟା ପାଲଟିଥିବାରୁ ଗତକାଲି ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଜମି ଅଧିଗ୍ରହଣ ହୋଇ ଲୋକେ କ୍ଷତିପୂରଣ ପାଇବା ସତ୍ତ୍ବେ ଜାଗା ଛାଡୁନଥିବାରୁ ସରକାର କଡା ଆଭିମୁଖ୍ଯ ଗ୍ରହଣ କରିଛନ୍ତି। ଆଉ ବରଗଡ ସହରର ଅମ୍ବାପାଲି ଛକର ରାସ୍ତାକଡର କୋଠା ଭାଙ୍ଗିବା କାମ ଆରମ୍ଭ ହୋଇଛି।

ଏହି ସଂପ୍ରସାରଣ କାମ ଏକାମ୍ରଛକକୁ ଛୁଇଁ ସାରିଥିଲେବି ଜମି ଅଧିଗ୍ରହଣ ସତ୍ତ୍ବେ ରୟତମାନେ ଜାଗା ଖାଲି କରୁନଥିବାରୁ କାର୍ଯ୍ୟ ଆଗେଇ ପାରୁନଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିପାଇଁ ସରକାର ଅଧିଗ୍ରହଣ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଶୀଘ୍ର କାର୍ଯ୍ୟ ସମାପନ ପାଇଁ ନିର୍ଦ୍ଦଶେ ଦେବା ପରେ ବରଗଡ଼ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା। ସେହିକ୍ରମରେ ବରଗଡ଼ ପୌରାଞ୍ଚଳ ଅନ୍ତର୍ଗତ ବାର୍ଡ଼ ନମ୍ବର 17ର ଅମ୍ବାପାଲିର ଉଭୟ ପାର୍ଶ୍ବକୁ ଖାଲି କରାଯାଇଥିଲା । ବରପାଲି ଏନଏଚ୍ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରା ଚିହ୍ନିତ ସ୍ଥାନର ଭିତରକୁ ପସି ଆସିଥିବା ପ୍ରାୟ 40ଟି ଘର, ପାଚେରୀ, ଦୋକାନ ଘର, ଉଠା ଦୋକାନ, କେବିନ ଆଦିକୁ ହଟା ଯାଇଛି। ଏଥିରେ ଶିଳ୍ପପତି ସ୍ବର୍ଗତ ହରବଂଶ ସିଂଙ୍କ ସମେତ ବ୍ୟବସାୟୀଙ୍କ ଘର ଓ ଦୋକାନ ଭଙ୍ଗା ଯାଇଥିଲା । ଏପରିକି ରାସ୍ତା ଉପରକୁ ମାଡ଼ି ଆସିଥିବା ଗୋପପୁର ଫାଟକକୁ ମଧ୍ୟ ଭଙ୍ଗାଯାଇଥିବା ଜଣାପଡ଼ିଛି। ଉଚ୍ଛେଦ କାର୍ଯ୍ୟକ୍ରମକୁ ବରଗଡ଼ ପୌର କାର୍ଯ୍ଯନିର୍ବାହୀ ଅଧିକାରୀ ନାରାୟଣ ଡ଼ନସେନା ପରିଚାଳନା କରିଥିବା ବେଳେ ପୌର କର୍ମଚାରୀଗଣ ଚିତ୍ତରଞ୍ଜନ ମହାପାତ୍ର, ଭାଗିରଥି ପ୍ରଧାନଙ୍କ ସମେତ ଅମୀନମାନେ ସହଯୋଗ କରିଥିଲେ । ପୁଲିସ ଟିମ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ବରଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଡ ସବକଲେକ୍ଟର ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ। ସମ୍ପୂର୍ଣ୍ଣ ଜମି ମିଳିବା ପରେ ବନ୍ଦ ପଡ଼ିଯାଇଥିବା କାମ ପୁଣିଥରେ ଆରମ୍ଭ ହେବ ବୋଲି ଏନଏଚ ବିଭାଗ ସୂତ୍ରରୁ ଜଣାପଡ଼ିଛି। ତେବେ ଉଚ୍ଛେଦ ହୋଇଥିବା ଦୋକାନୀ ମାନେ ଅନ୍ୟତ୍ର ଥଇଥାନ ଦାବି କରିଛନ୍ତି।