‘ପିଲାଟି ଦିନରୁ ମୋର ସ୍ୱପ୍ନ ଥିଲା ମୁଁ ଏକ ବଡ଼ ହୋଟେଲରେ ସେଫ୍ ହେବି। ଏଥିପାଇଁ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିବାକୁ ପଡ଼େ ବୋଲି ମୁଁ ମୋ’ ସାଙ୍ଗମାନଙ୍କଠାରୁ ଜାଣିବାକୁ ପାଇଲି। ହେଲେ ଏହି ପାଠ ପଢ଼ିବା ଲାଗି ମୋ’ ପରିବାର ପାଖରେ ଆର୍ଥିକ ସମ୍ବଳ ନଥିଲା। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ସହାୟତା ଫଳରେ ମୁଁ ମାଗଣାରେ ହୋଟେଲ ମ୍ୟାନେଜମେଣ୍ଟ ତାଲିମ ଲାଗି ସୁଯୋଗ ପାଇପାରିଛି’’, କହନ୍ତି ବୀରମିତ୍ରପୁର ବ୍ଲକ ପୌରାପୋଷ ଗାଁର ଜଣେ ଯୁବକ ସୁଧୀର ସାହୁ।
‘‘ହୋଟେଲ ମ୍ୟାନେଜମେଣ୍ଟ ଭଳି ଏକ ପ୍ରଫେସନାଲ କୋର୍ସରେ ମୁଁ ନାମ ଲେଖାଇ ପାରିବି ବୋଲି କେବେ ଭାବି ନଥିଲି। ଜିଲ୍ଲା ପ୍ରଶାସନର ସହଯୋଗ ଯୋଗୁଁ ଆଜି ମୁଁ ଏହି କୋର୍ସ କରିପାରୁଛି। ନିକଟରେ ମୁଁ ସିଲିଗୁଡ଼ିସ୍ଥିତ ଏକ ଷ୍ଟାର ହୋଟେଲରେ ଇଣ୍ଡଷ୍ଟ୍ରିଆଲ ଏକ୍ସପୋଜର ଟ୍ରେନିଂ ସାରି ଫେରିଛି। ଖୁବଶୀଘ୍ର ମତେ ଏକ ଭଲ ହୋଟେଲରେ ନିଯୁକ୍ତି ମିଳିବ ବୋଲି ଆଶା କରୁଛି’’, କହନ୍ତି କୁଆରମୁଣ୍ଡା ବ୍ଲକର ପ୍ରବୀଣ ଏକ୍କା।
ବୀରମିତ୍ରପୁରର ସୁଧୀର ଏବଂ କୁଆରମୁଣ୍ଡାର ପ୍ରବୀଣଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ଅନେକ ଶିକ୍ଷିତ ଯୁବକ ଯୁବତୀ ବଲାଙ୍ଗିରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ମାଗଣାରେ ଶିକ୍ଷା ଓ ତାଲିମର ସୁଯୋଗ ପାଇପାରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଶିକ୍ଷାନୁଷ୍ଠାନଟି ହୋଟେଲ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ପରିଚିତ।
ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଗତ ଦୁଇ ବର୍ଷ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୫୦ ଜଣ ପ୍ରାର୍ଥୀ ଏହି ଅନୁଷ୍ଠାନରେ ବିଭିନ୍ନ ପାଠ୍ୟକ୍ରମରେ ମାଗଣାରେ ନାମ ଲେଖାଇ ସେମାନଙ୍କ କ୍ୟାରିୟର ସ୍ୱପ୍ନ ସାକାର କରିବା ଲାଗି ସୁଯୋଗ ପାଇପାରିଛନ୍ତି।
୨୦୨୦-୨୧ ଶିକ୍ଷା ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାର ୧୦ ଜଣ ପ୍ରାର୍ଥୀ ଏହି କାର୍ଯ୍ୟକ୍ରମ ଅଧୀନରେ ନାମ ଲେଖାଇଥିଲେ। ସେହିପରି ୨୦୨୧-୨୨ରେ ୪୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାର ସୁଯୋଗ ପାଇଛନ୍ତି। ୨୦୨୨-୨୩ ଶିକ୍ଷା ବର୍ଷ ଲାଗି ଏବେ ନାମଲେଖା ପ୍ରକ୍ରିୟା ଚାଲୁ ରହିଛି। ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକ – କୋଇଡ଼ା, କୁଆରମୁଣ୍ଡା, କୁତ୍ରା, ଲହୁଣୀପଡ଼ା, ହେମିଗର ଏବଂ ରାଜଗାଙ୍ଗପୁରର ସବୁ ବର୍ଗର ପ୍ରାର୍ଥୀଙ୍କ ସହ ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଏହି କୋର୍ସ କରିବାର ସୁଯୋଗ ଦିଆଯାଉଛି।
ବର୍ତ୍ତମାନ ନିଯୁକ୍ତି କ୍ଷେତ୍ରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। କୋଭିଡ୍ ପାଇଁ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ ପ୍ରଭାବିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏ କ୍ଷେତ୍ରରେ ପୁଣିଥରେ କାରବାର ସ୍ୱାଭାବିକ ହୋଇଛି। ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ମାଗଣାରେ ଦିଆଯାଉଥିବା ଏହି ସୁଯୋଗ ଅନେକଙ୍କ ପାଇଁ ଜୀବିକାର ଏକ ବାଟ ହୋଇପାରିଛି।
‘‘ଛାତ୍ରଛାତ୍ରୀ, ଶିକ୍ଷିତ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ତା’ମଧ୍ୟରୁ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଏକ ପ୍ରମୁଖ ଦିଗ। ଏହି କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଯେଉଁମାନେ ସ୍ୱପ୍ନ ଦେଖୁଥିଲେ, କିନ୍ତୁ ଆର୍ଥିକ ସ୍ଥିତି ବିଶେଷ ଭଲ ନଥିଲା ସେମାନଙ୍କର ଲକ୍ଷ୍ୟ ପୂରଣ କରିବା ଲାଗି ସରକାର ହାତ ବଢ଼ାଇଛନ୍ତି। ସେହି ପିଲାମାନେ କୋର୍ସ ସାରି ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଉଛନ୍ତି’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖଲ ପବନ କଲ୍ୟାଣ।
ସୁନ୍ଦରଗଡ଼ ଜିଲ୍ଲାର ପ୍ରାର୍ଥୀମାନଙ୍କୁ ଏହି ପାଠ୍ୟକ୍ରମ ପ୍ରଦାନ ଲାଗି ବଲାଙ୍ଗିରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ସହ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏକ ଏମଓୟୁ ସ୍ୱାକ୍ଷର କରିଛି। ସେହି ଅନୁସାରେ ଜିଲ୍ଲାର ପିଲାମାନଙ୍କୁ ସେଠାରେ ନାମଲେଖା ସହ କୋର୍ସ ଫି, ହଷ୍ଟେଲ, ଖାଇବା ପିଇବା ବାବଦ ସମସ୍ତ ଖର୍ଚ୍ଚ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମଏଫ୍ ପାଣ୍ଠିରୁ ବହନ କରାଯାଉଛି।
ଏହି ସରକାରୀ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ହସ୍ପିଟାଲିଟି ଆଣ୍ଡ ହୋଟେଲ ଆଡମିନଷ୍ଟ୍ରେସନରେ ୩ ବର୍ଷିଆ ଡିଗ୍ରୀ, ଫୁଡ୍ ପ୍ରଡକ୍ସନ, ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସ୍, ହାଉସ କିପିଂ, ଫ୍ରଣ୍ଟ ଅଫିସ୍ ଅପରେସନ୍, ବେକେରି ଏବଂ କନଫେକ୍ସନେରିରେ ଦେଢ଼ ବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ରହିଛି। ସେହିପରି ଫୁଡ୍ ପ୍ରଡକ୍ସନ ଓ ପାଟିସେରି, ଫୁଡ୍ ଆଣ୍ଡ ବେଭେରେଜ୍ ସର୍ଭିସରେ ୬ ମାସିଆ ସାର୍ଟିଫିକେଟ୍ କୋର୍ସ ଦିଆଯାଉଛି।
ବଲାଙ୍ଗିରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଂଟର ଅଧ୍ୟକ୍ଷ ଡକ୍ଟର ସୁରେଶ ଏକନାଥ କହନ୍ତି, ‘‘ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିବା ପରେ ଛାତ୍ରଛାତ୍ରୀମାନେ କାଫେଟେରିଆ, ଏୟାରଲାଇନ କ୍ୟାଟେରିଂ, କ୍ରୁସ୍ ସିପ୍, ହୋଟେଲ ମ୍ୟାନେଜମେଣ୍ଟ, ହସ୍ପିଟାଲ ଆଡମିନଷ୍ଟ୍ରେସନ, ବ୍ୟାଙ୍କ୍, ଆର୍ମଡ ଫୋର୍ସ ଓ ରେଲୱେ କିଚେନ ମ୍ୟାନେଜମେଣ୍ଟ ଆଦି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇପାରିବେ। ତେଣୁ ସୁନ୍ଦରଗଡ଼ ଜିଲ୍ଲାରୁ ଆସୁଥିବା ପିଲାମାନଙ୍କ କ୍ୟାରିୟର ଗଢ଼ିବା ପାଇଁ ଏହା ଏକ ଭଲ ସୁଯୋଗ।’’
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ସହାୟତାକ୍ରମେ ବଲାଙ୍ଗିରରେ ଏହି ପାଠ୍ୟକ୍ରମ ସାରି ଛତିଶଗଡ଼ରେ ଏକ ଷ୍ଟାର ହୋଟେଲରେ ନିଯୁକ୍ତି ପାଇଥିବା ସୂରଜମୁନି ସାହୁ କହନ୍ତି, ‘‘ମୁଁ ଗୋଟିଏ ବଡ଼ ହୋଟେଲରେ ଚାକିରି କରିବି ବୋଲି ଲକ୍ଷ୍ୟ ରଖିଥିଲି। ଜିଲ୍ଲା ପ୍ରଶାସନର ସହାୟତା ଯୋଗୁଁ ଆଜି ମୋର ଏହି ଲକ୍ଷ୍ୟ ପୂରଣ ହୋଇପାରିଛି। ଏଥିପାଇଁ ମୁଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଧନ୍ୟବାଦ ଜଣାଉଛି।’’
ବଲାଙ୍ଗିରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ବିଭିନ୍ନ ବିଷୟରେ ନାମଲେଖା ଲାଗି ଜୁଲାଇ ୩୧ ହେଉଛି ଶେଷ ତାରିଖ। ତେଣୁ ସୁନ୍ଦରଗଡ଼ ଜିଲ୍ଲାର ଆଗ୍ରହୀ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେଇ ମାଗଣାରେ ଏହି ଶିକ୍ଷା ପାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।