କଲବଲ କରିବା ପରେ ଛତିଶଗଡ ଛାଡିଲା ପାଣି, ଆଜିଠୁ ବୁର୍ଲାରେ ସ୍ବାଭାବିକ ବିଦ୍ୟୁତ ଉତ୍ପାଦନ | News Room Odisha

କଲବଲ କରିବା ପରେ ଛତିଶଗଡ ଛାଡିଲା ପାଣି, ଆଜିଠୁ ବୁର୍ଲାରେ ସ୍ବାଭାବିକ ବିଦ୍ୟୁତ ଉତ୍ପାଦନ

ସମ୍ବଲପୁର: ଚଳିତ ବର୍ଷ ଛତିଶଗଡର ଦାଦାଗିରି ପାଇଁ ଓଡିଶା ନାହିଁ ନଥିବା କଳବଳ ହୋଇଛି। କଲମା ବ୍ୟାରେଜରେ ପାଣି ଅଟକାଇବା ଯୋଗୁଁ ଗୁରୁତର ଜଳସଂକଟ ସୃଷ୍ଟି ହୋଇଛି। ଫଳରେ ଗତ ୩ ଦିନ ଧରି ବୁର୍ଲା ପାୱାର୍ ହାଉସରୁ ବିଦ୍ୟୁତ ଉତ୍ପାଦନ ଠପ୍ ହୋଇଯାଇଛି। ତେବେ, ମୌସୁମୀ ବର୍ଷା ଆରମ୍ଭ ହେବା ପରେ କଲମା ରବିବାରରୁ ଗେଟ୍ ଖୋଲି ପାଣି ଛାଡିଛି। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରୁଛି। ଫଳରେ ଆଜିଠାରୁ ସ୍ବାଭାବିକ ଭାବେ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଛି।

ଏବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବେଳେ ଛତିଶଗଡ ସାଂଘାତିକ କଳବଳ କରିଥିଲା। କଲମାରେ ପାଣି ଅଟକାଇ ଦେବାରୁ ହୀରାକୁଦକୁ ମୁନ୍ଦାଏ ବି ପାଣି ଆସିନଥିଲା। ଫଳରେ ୫ ଦିନ ତଳୁ ହୀରାକୁଦ ଜଳସ୍ତର ୬୦୦ ଫୁଟ ତଳକୁ ଖସିଯାଇଥିଲା। ପରିସ୍ଥିତିକୁ ଦେଖି ବନ୍ଧ କର୍ତ୍ତୃପକ୍ଷ ବିଦ୍ୟୁତ ଉତ୍ପାଦନ ବନ୍ଦ କରିବାକୁ ବାଧ୍ଯ ହୋଇଥିଲେ। ଗତ ଶୁକ୍ରବାର ଠାରୁ ଗତକାଲି ଯାଏ ବୁର୍ଲା ପାୱାର୍ ହାଉସ୍ ଠପ୍ ହୋଇଯାଇଥିଲା। ତେବେ, ଉପରମୁଣ୍ଡରେ ବର୍ଷାକୁ ଅପେକ୍ଷା କରିଥିବା ଛତିଶଗଡ ସରକାର ନିର୍ଧାରିତ ସମୟର ୪ ଦିନ ପରେ ରବିବାରରୁ କଲମାର ଗେଟ୍ ଖୋଲିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବର୍ତ୍ତମାନ ୨୦ ଗେଟ୍ ଦେଇ ପାଣି ଆସୁଛି। ସେହିପରି ୩ ଦିନ ହେଲା ଉପରମୁଣ୍ଡରେ ଭଲ ବର୍ଷା ହେବା ଦ୍ବାରା ବର୍ତ୍ତମାନ ହୀରାକୁଦକୁ ୨୨ ହଜାର ୮୦୩ କ୍ୟୁସେକ ପାଣି ଆସୁଛି।