ଭୁବନେଶ୍ଵର: ବରିଷ୍ଠ ପ୍ରଶାସକ ସଂଜୟ କୁମାର ସିଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ଵ ନେଲା ପରେ ଆଜି ପୂର୍ବାହ୍ନରେ ବିଭାଗୀୟ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କୁ ସଚିବାଳୟସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟ ସାକ୍ଷାତ କରିଛନ୍ତି ।
ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ , ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡଃ ପ୍ରଦୀପ କୁମାର ରାଉତ ଏବଂ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ଉପସ୍ଥିତିରେ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସହିତ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ବିଭାଗ ପକ୍ଷରୁ ପୁରୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ସଚିବ ଶ୍ରୀ ସିଂ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।
ଆଲୋଚନା ସମୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସାରା ବିଶ୍ଵର ଅଗଣିତ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ପାଖକୁ ସିଧା ପ୍ରସାରଣ ମାଧ୍ୟମରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଘୋଷଯାତ୍ରାକୁ ପହଞ୍ଚାଇବାର ସୁବନ୍ଦୋବସ୍ତ କରିବାକୁ ମନ୍ତ୍ରୀ ପ୍ରଦିପ କୁମାର ଅମାତ ପରାମର୍ଶ ଦେଇଛନ୍ତି ।