ବ୍ରହ୍ମପୁର: ଠାକୁରଙ୍କୁ ଭକ୍ତି ଓ ଆଦର… କାହା ମନରେ କେମିତି। ଆଉ ଯେତେବେଳେ ବଡ଼ ଠାକୁରଙ୍କ କଥା ଉଠେ, ସେତେବେଳେ ତ ସାରା ଜଗତ ନିଜସ୍ବ ଭାବରେ ଭକ୍ତିର ତଲ୍ଲୀନ ହୋଇଉଠେ। ଏଇ ଯେମିତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଓ ସୋରଡ଼ା ଅଞ୍ଚଳର ଦୁଇ ଯୁବ ପ୍ରତିଭା ଜଗାକାଳିଆଙ୍କୁ ନିଜ ରଙ୍ଗରେ ସଜାଇଛନ୍ତି।
ଅଦରକାରୀ ବସ୍ତୁରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିଛନ୍ତି ବ୍ରହ୍ମପୁର ଆମ୍ବପୁଆ ମାରୁତି ନଗର ଦ୍ଵିତୀୟ ଗଳିର ମନିଷା କୁମାରୀ ପଣ୍ଡା। ୧୦ଟି ପେପର୍ ପ୍ଲେଟ୍ ନେଇ ରଙ୍ଗ ଓ ତୂଳୀରେ ମହାପ୍ରଭୁଙ୍କ ୧୦ ଅବତାର ଅଙ୍କନ କରିଛନ୍ତି ସେ। ଡ୍ରଇଂ ସିଟ୍ରେ ଅତି ସୁନ୍ଦର ଭାବେ ଆଙ୍କିଛନ୍ତି ଦ୍ଵାପର ଯୁଗର ଶ୍ରୀକୃଷ୍ଣଙ୍କ ‘ନବଗୁଞ୍ଜର ବେଶ’। ଓସ୍ତ ପତ୍ର, ପ୍ଲାଷ୍ଟିକ୍ ବୋତଲ, ଶାଳଗ୍ରାମ, ପ୍ଲାଷ୍ଟିକ୍ ଚାମଚ, କଉଡ଼ି, ମେଡିସିନ୍ ଷ୍ଟ୍ରିପ୍, ଗ୍ଲାସ୍ କଭର୍, ମାଟି ସରା, ମାଟି ଦୀପ, ଅଭଡ଼ା ହାଣ୍ଡି, ହରଡ଼ ଡାଲି, ଚାଉଳ, ଖବରକାଗଜ, ମୟୁର ପିଞ୍ଛ ଆଦି ବିଭିନ୍ନ ସାମଗ୍ରୀ ଯାହା ଆମ ପାଇଁ ଅଦରକାରୀ ମନେ ହୁଏ ତାକୁ ନେଇ ମନିଷା ସୁନ୍ଦର ଭାବେ ସଜାଇ ଜଗତର ନାଥଙ୍କ ଚିତ୍ର, କଳାକୃତି ସୃଷ୍ଟି କରିଛନ୍ତି। ଆହୁରି ମଧ୍ୟ ତିନୋଟି ଆଲମଣ୍ଡ୍ ମଞ୍ଜିରେ ତିନି ଠାକୁରଙ୍କ ମୂର୍ତ୍ତି ଆଙ୍କିଛନ୍ତି। ଘୋଷଯାତ୍ରାର ସପ୍ତାହକ ପୂର୍ବରୁ ସେ ଆରମ୍ଭ କରିଥିଲେ ଏହି ପ୍ରୟାସ, ଆଉ ଠିକ୍ ଦିନକ ପୂର୍ବରୁ ଏହି ସଫଳତା ପାଇପାରିଛନ୍ତି। ପୂର୍ବରୁ ଗତବର୍ଷ ଅକ୍ଟୋବର ମାସରେ ପଟ୍ଟଚିତ୍ରରେ ଓଡ଼ିଶାର ସଂସ୍କୃତିକୁ ସୁନ୍ଦର ଭାବେ ବର୍ଣ୍ଣନା କରି ନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଥିଲେ ସେ। ପ୍ରଥମେ ଖବରକାଗଜ ଦ୍ଵାରା ଫଟୋ ଫ୍ରେମ୍, ଗୋଲାପ, ଫୁଲଦାନୀ ଭଳି ଅନେକ ଘରସଜ୍ଜା ସାମଗ୍ରୀ ତିଆରି କରୁଥିଲେ। ନିଜସ୍ୱ ଉଦ୍ୟମରେ ଆର୍ଟ କ୍ରାଫ୍ଟରେ ପାରଙ୍ଗମ ହୋଇପାରିଥିବା ମନିଷା ପେଣ୍ଟିଂ, ମଣ୍ଡଳ ଆର୍ଟ, ଆଦିବାସୀ ସମ୍ପ୍ରଦାୟ ଚିତ୍ର, ମଧୁବନୀ ଚିତ୍ର, ପଟ୍ଟଚିତ୍ର, ବୋତଲ ଆର୍ଟ ଭଳି ଅନେକ କଳାରେ ଦକ୍ଷତା ଅର୍ଜନ କରିଲେଣି।
ସେହିପରି ସୋରଡ଼ା ସହର ସୂର୍ଯ୍ୟକାନ୍ତ ସାହିର ବାସିନ୍ଦା ଲକ୍ଷ୍ମୀନାରାୟଣ ମହାରଣା କାଠ, ସାବୁନ୍ ଓ ଚକ୍ ଖଡ଼ିରେ ତିଆରି କରିଛନ୍ତି ନନ୍ଦିଘୋଷ ରଥର ପ୍ରତିକୃତି। ୩ ଦିନ ମଧ୍ୟରେ ୯ ଫୁଟ ଉଚ୍ଚର ଏହି କଳାକୃତିକୁ ସେ ପ୍ରସ୍ତୁତ କରିଛନ୍ତି। କାଠରେ ରଥ ନିର୍ମାଣ କରି ତା ମଧ୍ୟରେ ୧ ଇଞ୍ଚର ଠାକୁରଙ୍କ ମୂର୍ତ୍ତି ରଖିଥିବା ସ୍ଥଳେ ସାବୁନରେ କରିଛନ୍ତି ଦୁଇଟି ଘୋଡ଼ା ଓ ସାରଥି। ଆହୁରି ମଧ୍ୟ ସେ କାଠ, ସାବୁନ୍ ଓ ଚକ୍ ଖଡ଼ିରେ ଦଶାବତାର, ଅଶୋକ ଚକ୍ର, ବିଭିନ୍ନ ଦେବୀ ଦେବତା ଓ ମହାପୁରୁଷଙ୍କ ପ୍ରତିକୃତି ନିର୍ମାଣ କରିବାରେ ସଫଳ ହୋଇଛନ୍ତି।
ଅପରପକ୍ଷରେ ରଥଯାତ୍ରା ଅବସରରେ ବ୍ରହ୍ମପୁର ଆଇଟିଆଇ ମଧ୍ୟ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଓଡ଼ିଶାର ଯୁବ ପ୍ରତିଭାଙ୍କୁ ନେଇ ବିଶ୍ବସ୍ତରୀୟ କଳାକୌଶଳ ସୃଷ୍ଟି କରିବାରେ ପ୍ରୟାସରତ ଏହି ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ ତିଆରି କରିଛନ୍ତି ୧୩ ଫୁଟ ଉଚ୍ଚ, ୭ ଫୁଟ ଲେଖାଏଁ ଲମ୍ବା ଏବଂ ସମାନ ଓସାରର ଏହି ସ୍କ୍ରାପ୍ ରଥ। ଏଥିପାଇଁ ବ୍ୟବହୃତ ହୋଇଛି ସାତ କୁଇଣ୍ଟାଲ ଓଜନର ଅଦରକାରୀ ବା ଅବ୍ୟବହୃତ ସାମଗ୍ରୀ। ରଥ ନିର୍ମାଣରେ ବାରି ହୋଇପଡୁଛି ପାରମ୍ପରିକ କଳାକୌଶଳ। ଏହି ସ୍ଥାୟୀ ରଥର ଚକ ମଧ୍ୟ ଲୁହାରେ ନିର୍ମିତ। ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀଙ୍କ ସୂଚନା ମୁତାବକ ଫିଟର୍, ଟୋନର୍ ଓ ପେଣ୍ଟର୍ ବିଭାଗ ମିଳିତ ଉଦ୍ୟମରେ ରଥ ନିର୍ମାଣ କରାଯାଇଛି। ରଥରେ ୬ଟି ଚକ, ଦୁଇଟି ଘୋଡ଼ା, ଦଧିନଉତିରେ ଦୁଇଟି ଶୁଆ ଓ ଠାକୁରଙ୍କୁ ସ୍ଥାପନ କରିବା ପାଇଁ ପିଣ୍ଡି କରାଯାଇଛି। ରଥଯାତ୍ରା ଅବସରରେ ଏହାର ଲୋକାର୍ପଣ କରାଯାଇଛି।