ସିଦ୍ଧଭୈରବୀ ପୀଠରେ ରଥଟଣା | News Room Odisha

ସିଦ୍ଧଭୈରବୀ ପୀଠରେ ରଥଟଣା

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ୍ ମନ୍ତ୍ରୀଡିସ୍ଥିତ ସିଦ୍ଧଭୈରବୀ ପୀଠର ଶ୍ରୀଜଗନ୍ନାଥ ମନ୍ଦିର ଦୁଇ ବର୍ଷ ବ୍ୟବଧାନରେ ଘୋଷଯାତ୍ରା ଅବସରରେ ପୁଣି ଚଳଚଞ୍ଚଳ ହୋଇ ଉଠିଥିଲା। ହଜାର ହଜାର ଭକ୍ତଙ୍କ ସମାଗମ ମଧ୍ୟରେ ଏଠାରେ ରଥଟଣା ହୋଇଥିଲା। ଆଜି ଭୋର୍‌ରୁ ଶ୍ରୀଜଗନ୍ନାଥ ମନ୍ଦିରରେ ସମସ୍ତ ପରମ୍ପରା ମୁତାବକ ପୂଜାର୍ଚ୍ଚନା ସମ୍ପନ୍ନ ହୋଇ ନୀତିକାନ୍ତି ଆଗେଇ ନେଇ ସେବାୟତମାନେ ପୂର୍ବାହ୍ନ ୯ଟା ବେଳକୁ ଆରତୀ କରି ତିନି ଠାକୁରଙ୍କୁ ପହଣ୍ଡି ବିଜେ କରାଇଥିଲେ। ଭୈରବ ପାଣିଗ୍ରାହୀ ଛେରା ପହଁରା କରିଥିବା ବେଳେ ଭକ୍ତଙ୍କ ମେଳରେ ରଥ ଟାଣି ଠାକୁରଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାସ, ବ୍ରହ୍ମପୁର ମହାନଗର ନିଗମ ଡେପୁଟି ମେୟର ଇ.ବିବେକ ରେଡ୍ଡୀ। ଡ. ଦାସ ରଥଟଣା ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ବହୁ ପଞ୍ଚାୟତ ପ୍ରତିନିଧି, ବିଜେଡି ନେତା ଓ କର୍ମୀ ମଧ୍ୟ ଯୋଗଦାନ କରିଥିଲେ। ମନ୍ଦିର କମିଟି କର୍ମକର୍ତ୍ତା, ପୂଜକ, ସ୍ଥାନୀୟ ଗ୍ରାମବାସୀ ଠାକୁରଙ୍କ ରୀତିନୀତି ସମ୍ପାଦନରେ ଶ୍ରଦ୍ଧା ମନରେ ସହଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ସିଦ୍ଧଭୈରବୀ ପୀଠରେ କିଛି ବର୍ଷ ତଳେ ସ୍ଥାପିତ ଶ୍ରୀଜଗନ୍ନାଥଙ୍କ ସୁନ୍ଦର ମନ୍ଦିର ବେଶ୍ ଆକର୍ଷଣୀୟ ହୋଇଛି। ଏଠାରେ ରଥଯାତ୍ରା ଆରମ୍ଭରୁ ବହୁ ଭକ୍ତଙ୍କ ସମାଗମ ହୋଇ ଆସୁଥିଲା। ତେବେ କରୋନା କଟକଣା ହେତୁ ଗତ ଦୁଇ ବର୍ଷ ଘୋଷଯାତ୍ରା ବନ୍ଦ ଥିବା ବେଳେ ଏଥର ମନ୍ଦିର ପରିଚାଳନା କମିଟି ନେତୃତ୍ବରେ ପୁଣି ଆନନ୍ଦ ଉଲ୍ଲାସର ସହ ଗୁଣ୍ଡିଚା ଯାତ୍ରାର ଆୟୋଜନ କରାଯାଇଥିବା କହିଛନ୍ତି କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ।