ବ୍ରହ୍ମପୁର: ଶ୍ରୀଜଗନ୍ନାଥ ସଂସ୍କୃତି ସହ ଅନେକାଂଶରେ ଓତପ୍ରୋତଃ ଭାବେ ଜଡ଼ିତ ଗଞ୍ଜାମ ଜିଲ୍ଲା। ଏଣୁ ଏଠିକାର ପୁରପଲ୍ଲୀରେ ଦେଖିବାକୁ ମିଳେ ଶ୍ରୀଜଗନ୍ନାଥଙ୍କ ପରମ୍ପରାର ନିଆରା ଝଲକ। ଏଇ ଯେମିତି ଜିଲ୍ଲାର ଅନେକ ସ୍ଥାନରେ ପୁରୀ ଘୋଷଯାତ୍ରା ଦିନକ ପରେ ଏଠାରେ ରଥଟଣା ହେବାର ପରମ୍ପରା କାହିଁ କେତେ ବର୍ଷ ତଳୁ ପ୍ରଚଳିତ ରହି ଆସିଛି। ସେ ସୁରଙ୍ଗୀ ହେଉ କି ଦିଗପହଣ୍ଡି ଅଥବା ଧରାକୋଟ ଦିନକ ବିଳମ୍ବରେ ରଥଯାତ୍ରା ହେବାର ପ୍ରଥା ପ୍ରଚଳିତ।
ଏକଦା ଖେମୁଣ୍ଡି ଶାସନର ଅନ୍ତର୍ଭୁକ୍ତ ଥିବା ଦିଗପହଣ୍ଡିରେ ରଥଯାତ୍ରା ପରମ୍ପରା ପ୍ରାୟ ୩ ଶତାଦ୍ଦୀ ପୁରୁଣା। ଏଠି ଘୋଷଯାତ୍ରା ଦିନ ଠାକୁରଙ୍କ ପହଣ୍ଡି ବିଜେ ଓ ତା ପରଦିନ ରଥଟଣା ହେବାର ପ୍ରଥା ପ୍ରଚଳିତ। ଦିଗପହଣ୍ଡି ବଜାର ସାହି ଓ ସାନ ଦାଣ୍ଡ ସାହିର ଦଧିବାମନଙ୍କୁ ପହଣ୍ଡି ବିଜେ କରି ରଥାରୁଢ଼ କରାଯାଏ। ଦିନକ ପରେ ରଥ ଟାଣନ୍ତି ଭକ୍ତ। ପ୍ରାଚୀନ କାଳରେ ବିଶାଳ ରଥ ହେତୁ ଟାଣିବା ପାଇଁ ଅଧିକ ଭକ୍ତ ଲୋଡ଼ା ପଡୁଥିଲେ। ଏଣୁ ଦିନକ ପରେ ରଥଟଣା ହେଲେ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଆସି ଏକଜୁଟ ହେଉଥିଲେ। ଏଣୁ ଏଠି ମଧ୍ୟ ଦିନକ ପରେ ରଥଟଣା ପ୍ରଥା ଜାରି ରହିଛି।
ରଥଯାତ୍ରାର ଗୋଟିଏ ଦିନ ପରେ ସୁରଙ୍ଗିରେ ରଥ ଟଣା ହୁଏ। କୁହାଯାଏ ୧୭୭୫ ମସିହାରେ ରାଜା ଗୋବିନ୍ଦ ଚନ୍ଦ୍ର ଦେବଙ୍କ ଅମଳରୁ ରାଧାକାନ୍ତ ମଠ ଓ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ସହ ଆରମ୍ଭ ହୋଇଥିଲା ରଥଯାତ୍ରା। ସେତେବେଳେ ୧୬ ଚକ ବିଶିଷ୍ଟ ରଥରେ ଠାକୁରଙ୍କ ଏଇ ବାର୍ଷିକ ଯାତ୍ରା ହେଉଥିଲା। ହେଲେ ନିକଟସ୍ଥ ଜରଡ଼ା ପାର୍ଥସାରଥୀ ଓ ଚିକିଟି ଅକ୍ରୁରନାଥଙ୍କ ଘୋଷଯାତ୍ରା ଯୋଗୁଁ ସୁରଙ୍ଗୀର ୧୬ ଚକ ରଥ ଟାଣିବା ପାଇଁ ଭକ୍ତ ନିଅଣ୍ଟ ପଡୁଥିଲେ। ରାଜା ହାତୀ ଓ ଘୋଡ଼ା ଲଗାଇ ରଥ ଟାଣୁଥିଲେ। କାଳକ୍ରମେ ଦିନକ ପରେ ଆଖପାଖରୁ ଭକ୍ତ ରୁଣ୍ଡ ହୋଇ ସୁରଙ୍ଗୀ ରଥ ଟାଣିବା ଆରମ୍ଭ ହୋଇଗଲା ଯାହା ଏବେ ବି ଜାରି ରହିଛି। ରାଜା ଚନ୍ଦ୍ର ଚୂଡ଼ାମଣି ରଥଟଣାକୁ ସହଜ କରିବା ଦୃଷ୍ଟିରୁ ୮ ଚକ ବିଶିଷ୍ଟ ରଥ ପ୍ରଚଳନ କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ପ୍ରଚଳିତ।
ରଥ ଯାତ୍ରାର ଏଭଳି ନିଆରା ପରମ୍ପରା ରାଜାରାଜୁଡ଼ା ଶାସନ ସହ ସମ୍ପୃକ୍ତ ଧରାକୋଟରେ ଦେଖିବାକୁ ମିଳିଥାଏ। ଗୁଣ୍ଡିଚା ଦିନ ତିନି ଠାକୁରଙ୍କୁ ପହଣ୍ଡି କରାଯାଏ। ତିନି ଠାକୁର ରଥ ଉପରେ ବିଜେ ହୁଅନ୍ତି। ସ୍ଥାନୀୟ ରାଜପରିବାର ଦ୍ବାରା ଛେରା ପହଁରା ନୀତି ବି ସମ୍ପନ୍ନ ହୁଏ। ହେଲେ ଦିନକ ପରେ ହୁଏ ରଥଟଣା। ଅବିଭକ୍ତ ଗଞ୍ଜାମ ଜିଲ୍ଲା (ବର୍ତ୍ତମାନ ଗଜପତି ଜିଲ୍ଲା ମୋହନା ବ୍ଲକ୍) ଜିରାଙ୍ଗସ୍ଥିତ ବଳଦେବ ଜୀଉ ମନ୍ଦିରରେ ପହଣ୍ଡି ପରେ ରଥ ଉପରେ ପ୍ରଭୁ ଦର୍ଶନ ଦିଅନ୍ତି। ଆଉ ଦିନକ ପରେ ଏଠାରେ ରଥକୁ ଭକ୍ତମାନେ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥାନ୍ତି। ଆନ୍ଧ୍ରପ୍ରଦେଶ ସୀମାନ୍ତ ପାତ୍ରପୁର ବ୍ଲକ୍ ଭ୍ରମରପୁର ଗ୍ରାମରେ ତିନିଦିନ ରଥଟଣା ହେବା ପରମ୍ପରା ରହିଛି। ଏଠାରେ ସ୍ଥାନୀୟ ଭକ୍ତଙ୍କ ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଶ୍ରଦ୍ଧାଳୁମାନେ ଆସି ରଥଟଣାରେ ସାମିଲ ହୋଇଥାନ୍ତି।