ସମ୍ବଲପୁର: ହୀରାଖଣ୍ଡ ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ତେଣୁ ଆମେ ସଭିଏଁ ଏହି ଗୌରବମୟ ଅସ୍ମିତା ସହ ଯୋଡିହାଇ ରହିବା ଆବଶ୍ୟକ ବୋଲି ହୀରାଖଣ୍ଡ ଛତ୍ରପତି ମହାରାଜ ବଳିୟାର ସିଂହଙ୍କ 406 ତମ ଜୟନ୍ତୀରେ ବକ୍ତା ଗଣ କହିଛନ୍ତି।
ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜର ସ୍ବାଧୀନତା ସଂଗ୍ରାମୀ ଭବନରେ ଆଜି ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷାବିତ ଡ. କିଶୋରୀ ଦାଶ କହିଲେ ଯେ ବଳରାମ ଦେବ ଯେଉ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ, ମହାରାଜ ବଳଭଦ୍ର ଦେବ ତାକୁ ସୁଦୃଢ଼ କରିଥିଲେ। ତେବେ ମହାରାଜ ବଳିୟାର ସିଂହ ହୀରାଖଣ୍ଡ ସାମ୍ରାଜ୍ୟକୁ ସଫଳତାର ଶୀର୍ଷକୁ ନେଇ ଯାଇଥିଲେ। ହୀରାଖଣ୍ଡର ସତ୍ତାକୁ ଖଣ୍ଡିତ କରିବା ପାଇଁ ହେଉଥିବା ଉଦ୍ୟମ ପ୍ରତି ଆମେ ସତର୍କ ହେବା ଆବଶ୍ୟକ।
ମୁଖ୍ୟବକ୍ତା ଭାବରେ ଯୋଗଦେଇ ଐତିହାସିକ ଡ. ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର କହିଲେ ଯେ ହୀରାଖଣ୍ଡ ନାମକୁ ରାଜା ବା ଶାସକଙ୍କ ଠାରୁ ଜନସାଧାରଣ ଅଧିକ ଆଗକୁ ବଢାଇଛନ୍ତି। ଏ ନେଇ ସେ ବିଭିନ୍ନ ପ୍ରାଚୀନ ରଚନାର ଦୃଷ୍ଟାନ୍ତ ଦେଇଥିଲେ। ସମ୍ବଲପୁର ହୀରାଖଣିର ପ୍ରାଚୀନତା ଏ ଅଂଚଳକୁ ବିଶ୍ବବ୍ୟାପି ପ୍ରଥମ ପରିଚିତି ଦେଇଥିଲା ଓ ଏହି ପରିଚୟରୁ ହିଁ ହୀରାଖଣ୍ଡ ନାମର ସୂତ୍ରପାତ ଘଟିଥିଲା। ଡ. ମିଶ୍ର ହୀରାଖଣ୍ଡ ସାମ୍ରାଜ୍ୟର ବହୁ ଅଜ୍ଞାତ ଅଧ୍ୟାୟ ବାବଦରେ ସୂଚନା ଦେଇଥିଲେ। ସେ ଆହୁରି କହିଲେ ଯେ ଆମ ଅଂଚଳ ସହିତ ଯେଉ ଅନ୍ୟ ନାମ ଗୁଡିକ ଯୋଡି ହୋଇଥିଲା, ସେ ସ୍ଥାନର ରାଜାମାନେ ଆମ ଅଂଚଳକୁ ଅକ୍ତିଆର କରିଥିବାରୁ ସେ ନାମ ଗୁଡିକ ଆସିଥିଲା। ସେ ନାମ ଗୁଡିକ ଆମଦାନୀ କରାଯାଇଥିବା ନାମ, ଆମ ନିଜସ୍ବ ନୁହେଁ ବୋଲି ସେ ପ୍ରକାଶ କରିଥିଲେ।
ଏଥିରେ ସଭାପତିତ୍ବ କରି ହୀରାଖଣ୍ଡ ସାମ୍ମୁଖ୍ୟର ସଭାପତି ଡ. ପରେଶ ଦାନୀ 1616 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିବା ବଳିୟାର ସିଂହଙ୍କ ଜୟନ୍ତୀ ପାଳନର କାରଣ ବା ଯଥାର୍ଥତା ବାବଦରେ ଆଲୋଚନା କରିଥିଲେ। ସମ୍ପାଦକ ସରୋଜ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସରରେ ପଙ୍କଜିନୀ ମେହେର ଓ କଳ୍ପନା ମିଶ୍ରଙ୍କ ପରିଚାଳନାରେ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। କମଳ ଲୋଚନ ପଣ୍ଡା, ବିଚିତ୍ରା ବାଗ, ନିତେଇ ଚରଣ ସରାଫ, ଜୟକୃଷ୍ଣ ବେହେରା, ଅଶୋକ ମିଶ୍ର, ମାହେଶ୍ବରୀ ପ୍ରସାଦ ପାଣିଗ୍ରାହୀ, ପ୍ରଦୀପ ରଂଜନ ପାଣିଗ୍ରାହୀ, ମୀନକେତନ ପାଠୀ, ତାପସ କୁମାର ଦାସ, ଭାରତୀ ପଣ୍ଡା, ସରୋଜ କୁମାର ସାହୁ, ଭାରତୀ ଦାଶ, ସାଧକ ସଦାନନ୍ଦ ପଣ୍ଡା ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ।