ନଭେମ୍ବର ସୁଦ୍ଧା ଗୋଲବଜାର ପ୍ରକଳ୍ପ ସଂପୂର୍ଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ | News Room Odisha

ନଭେମ୍ବର ସୁଦ୍ଧା ଗୋଲବଜାର ପ୍ରକଳ୍ପ ସଂପୂର୍ଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସମ୍ବଲପୁର : ସମ୍ବଲପୁର ସହରର ବଜାର ପେଣ୍ଠସ୍ଥଳୀ ଭାବେ ପରିଚିତ ଗୋଲବଜାରର ଅତ୍ୟାଧୁନିକ ମାର୍କେଟ୍ କଂପ୍ଲେକ୍ସ ନିର୍ମାଣ କାମ 4 ବର୍ଷ ହେଲା ଜାରି ରହିଛି। ହେଲେ ଏହାର ନିର୍ମାଣ କାମରେ ମନ୍ଥରତା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ, ଆସନ୍ତା ନଭେମ୍ବର ସୁଦ୍ଧା ଏହାର ନିର୍ମାଣ ସାରିବାକୁ ଜିଲ୍ଲାପାଳ ଅନନ୍ୟା ଦାସ ନିର୍ଦ୍ଦଶେ ଦେଇଛନ୍ତି।

ସମ୍ବଲପୁର ସହରର ଐତିହାସିକ ଗୋଲବଜାରର ପରିବା ମାର୍କେଟ ଅବ୍ୟବସ୍ଥିତ ଭାବେ ଝୁମ୍ପୁଡି ଷ୍ଟଲରେ ବସିବା କାରଣରୁ ପୂର୍ବରୁ ଅନେକ ଥର ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଠାରେ ବହୁତଳ ବିଶିଷ୍ଟ ଅତ୍ୟାଧୁନିକ ମାର୍କଟେ କଂପ୍ଲେକ୍ସ ନିର୍ମାଣ କରିବାକୁ ଯୋଜନା କରିଥିଲା। ଏଥିପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ଗତ 2017-18 ମସିହାରୁ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ଏହାର ନିର୍ମାଣରେ ମନ୍ଥରତା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଏହା ସଂପୂର୍ଣ ହୋଇପାରିନାହିଁ। ପ୍ରାୟ 3 କୋଟି ଟଙ୍କାର କାର୍ଯ୍ୟ ସମ୍ପନ୍ନ ହେବାପରେ ଅର୍ଥିକ ସମସ୍ୟା କାରଣରୁ ଏହି ପ୍ରକଳ୍ପ ଦୀର୍ଘ ବର୍ଷ ଧରି ପଡିରହିଲା। ଗତ କିଛି ମାସ ହେଲା ପୁଣି ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଜିଲ୍ଲାପାଳ ଅନନ୍ୟା ଦାସ ଏହାର ସମୀକ୍ଷା କରି ଉଦବେଗ ପ୍ରକାଶ କରିବା ସହିତ ଆସନ୍ତା ନଭେମ୍ବର ସୁଦ୍ଧା ସାରିବାକୁ ଡେଡଲାଇନ୍ ଦେଇଛନ୍ତି। ବର୍ତ୍ତମାନ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉଥିବାରୁ ସାଧାରଣରେ ମଧ୍ୟ ଏହାକୁ ସ୍ବାଗତ କରାଯାଇଛି।

ପ୍ରକାଶ ଯୋଗ୍ୟ ଯେ, ଗୋଲବଜାରକୁ ଏକ ନୂତନ ରୂପ ଦେବା ପାଇଁ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ମାର୍କେଟ କମ୍ପ୍ଲେକ୍ସ 4 ମହଲା ବିଶିଷ୍ଟ ନିର୍ମାଣ ହେବାର ଯୋଜନା ରହିଛି। ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ସହ ପ୍ରେକ୍ଷାଳୟର ମଧ୍ୟ ବ୍ୟବସ୍ଥା ରହିଛି। ମାର୍କେଟ କମ୍ପ୍ଲେକ୍ସରେ ପ୍ରାୟ 250ରୁ ଅଧିକ ଦୋକାନ ଘର ନିର୍ମାଣ ହେବା ସହ ଗୋଲବଜାର ଅଞ୍ଚଳରେ ଥିବା ଦୋକାନୀଙ୍କୁ ଥଇଥାନ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗୋଲବଜାର ଛକରେ ସୃଷ୍ଟି ହେଉଥିବା ଟ୍ରାଫିକ୍ ସମସ୍ୟାର ମଧ୍ୟ ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।