ବିଧାନସଭା ଓ୍ବେବସାଇଟ୍ ତଥ୍ୟ: ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ | News Room Odisha

ବିଧାନସଭା ଓ୍ବେବସାଇଟ୍ ତଥ୍ୟ: ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ

ଭୁବନେଶ୍ବର: ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କରେ ବିଧାନସଭା ଓ୍ବେବସାଇଟରେ ପ୍ରଦତ୍ତ ତଥ୍ୟ ଅପଡେଟ୍ କରାଯାଇଛି । ପ୍ରାୟ ଦେଢ଼ ବର୍ଷ ତଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡ଼ିରୁ ବହିଷ୍କାର କରାଯାଇଥିଲା । ହେଲେ ବିଧାନସଭା ୱେବସାଇଟରେ ଏହି ତଥ୍ୟ ଉଲ୍ଲେଖ କରାଯାଇନଥିଲା । ଏବେ ତାଙ୍କ ନାଁ ଆଗରେ ‘ବହିଷ୍କୃତ’ ଶବ୍ଦ ଲାଗିଛି ।

ବିଜେଡ଼ିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବିଧାନସଭା ୱେବସାଇଟରେ ବହିଷ୍କୃତ ବୋଲି ଉଲ୍ଲେଖ କରାଯାଇଛି । କିନ୍ତୁ ପ୍ରଦୀପ ପାଣିଗ୍ରାହୀଙ୍କ ନାମ ‘ବିଜେଡ଼ି’ ବିଧାୟକ ବୋଲି ଦର୍ଶାଯାଇଥିଲା । ନିକଟରେ ଏହି ବିବାଦୀୟ ବିଧାୟକ ମଧ୍ୟ ଦାବି କରିଥିଲେ ଯେ ସେ ଏବେ ବି ବିଜେଡ଼ିରେ ଅଛନ୍ତି। ତେବେ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଏବେ ବିଧାନସଭା ୱେବସାଇଟରେ ବିଧାୟକମାନଙ୍କ ସମ୍ପର୍କରେ ତଥ୍ୟ ଅପଡେଟ୍ କରାଯାଇଛି ।

ଏବେ ବିଧାନସଭା ଓ୍ବେବସାଇଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡ଼ିରୁ ବହିଷ୍କୃତ ବୋଲି ଦର୍ଶାଯାଇଛି। ତାଙ୍କ ନାଁ ପାର୍ଶ୍ବରେ ସେ ବିଜେଡ଼ି ଟିକେଟରେ ଜିତିଛନ୍ତି- ଦଳରୁ ବହିଷ୍କୃତ ହୋଇଛନ୍ତି ବୋଲି ଉଲ୍ଲେଖ କରାଯାଇଛି।

ବିଧାନସଭା ଓ୍ବେବସାଇଟରେ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କରେ ତଥ୍ୟ ବଦଳିଲା ପରେ ତାଙ୍କ କ୍ରମିକ ସଂଖ୍ୟା ମଧ୍ୟ ପରିବର୍ତ୍ତନ ହୋଇଛି । ପୂର୍ବରୁ ତାଙ୍କ କ୍ରମିକ ସଂଖ୍ୟା ୨୬ ଥିଲା । ଏବେ ତାହା ୭୯ କରାଯାଇଛି। ଅନ୍ୟପକ୍ଷରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ତାଙ୍କ କ୍ରମିକ ସଂଖ୍ୟା ୯୨ ରହିଛି ।

ଏହି ଦୁଇ ବିଧାୟକ ବହିଷ୍କୃତ ହୋଇଥିବାରୁ ସ୍ବାଭାବିକଭାବେ ବିଜେଡ଼ି ବିଧାୟକଙ୍କ ସଂଖ୍ୟା ବିଧାନସଭାରେ କମିଛି । ବିଧାନସଭାରେ ବିଜେଡ଼ିରସମୋଟ ବିଧାୟକଙ୍କ ସଂଖ୍ୟା ୧୧୪ ଥିଲା । ପ୍ରଦୀପ ଓ ପ୍ରଶାନ୍ତଙ୍କୁ ଦଳରୁ ବହିଷ୍କାର ପରେ ଏହି ସଂଖ୍ୟା ୧୧୨ରେ ପହଞ୍ଚିଛି ।