ରାକ୍ଷୀର ମାନ ରଖିଲେ ନବୀନ | News Room Odisha

ରାକ୍ଷୀର ମାନ ରଖିଲେ ନବୀନ

ଭୁବନେଶ୍ବର: ହିନ୍ଦୁ ଧର୍ମରେ ରାକ୍ଷୀର ମାନକୁ ଭାଇ ଭଉଣୀର ସଂପର୍କରେ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଇଥାଏ। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ରାକ୍ଷୀର ମାନକୁ ରଖି ନିଜର ମହାନତା ପ୍ରତିପାଦିତ କରିଛନ୍ତି। ଦିନେ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିବା ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଅଭିଷିକ୍ତ କରାଇବାର ଗୁରୁଦାୟିତ୍ବ ନେଇ ଅସଲ ଭାଇର ପରିଚୟ ଦେଇଛନ୍ତି ନବୀନ। ଆଉ ଆଜି ଭୁବନେଶ୍ବରରେ ନବୀନଙ୍କୁ ଭାଇ ବୋଲି ଦ୍ରୌପଦୀଙ୍କ ସମ୍ବୋଧନ ଉଭୟଙ୍କ ମଧ୍ଯରେ ଥିବା ଭାଇ ଭଉଣୀର ପବିତ୍ର ସଂପର୍କକୁ ପ୍ରମାଣିତ କରିଛି।

ମାଁ ମାଟିକୁ ଫେରିଛି ମାଟିର ସୁନା ଝିଅ। ଦେଶର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହେବାକୁ ଯାଉଥିବା ଦ୍ରୌପଦୀ ମୁର୍ମୁଙ୍କ ଆଜି ଭୋଟ ଭିକ୍ଷା କରିବାକୁ ନିଜ ମାଟିକୁ ଆସିଥିବା ବେଳେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ଦ୍ରୌପଦୀଙ୍କ ଭାଇ ସମ୍ବୋଧନ ଚର୍ଚ୍ଚାର ବିଷୟ ହୋଇଛି।

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଫେରିଛନ୍ତି। ତାଙ୍କୁ ଉଭୟ ବିଜେଡି ଏବଂ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ବିମାନ ବନ୍ଦରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଲୋକନୃତ୍ଯ ଦଳର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବାଗତ କରାଯାଇଛି। ପରେ ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଦ୍ରୌପଦୀଙ୍କ ଶ୍ରଦ୍ଧା ସମସ୍ତଙ୍କୁ ଅଭିଭୂତ କରିଥିଲା।

ପରେ ଭାଇ ଭଉଣୀ ଏକାଠି ନବୀନ ନିବାସରେ ଭୋଜନ କରିଛନ୍ତି। ତେବେ, ପୂର୍ବରୁ ମନ୍ଦିରରେ ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧି ଦ୍ରୌପଦୀ ଭଉଣୀର ପରିଚୟ ଦେଇଥିଲେ। ଆଉ ଏହାର ପ୍ରତିଦାନ ସ୍ବରୂପ ନବୀନ ବିପକ୍ଷ ଦଳର ହୋଇଥିଲେ ବି ଅକୁଣ୍ଠ ଚିତ୍ତରେ ଦ୍ରୌପଦୀଙ୍କୁ ସମର୍ଥନ କରିବା ସହିତ ଅନ୍ୟ ଦଳରୁ ବି ସମର୍ଥନ ଯୋଗାଡରେ ଲାଗି ପଡିଛନ୍ତି। ତାଙ୍କର ମହାନତା ଏବେ ସର୍ବତ୍ର ଚର୍ଚ୍ଚାର ପରିସରକୁ ଆସିଛି।

Chief Minister Naveen PatnaikDroupadi Murmu